ଟ୍ରାକ୍ଟର୍‌ ଦୁର୍ଘଟଣା ପରେ ଠଣାଗାଁ, ଥଳିବାଡ଼ ଗାଁ ସ୍ତବ୍ଧ; ମା’ର ଫେରନ୍ତା ବାଟକୁ ଅନାଇଛି ଓମ୍ପା

ତ୍ରପୁର : ରାସନ୍ ସାମଗ୍ରୀ ଆଣିବାକୁ ଯାଇ ଗତକାଲି ଟ୍ରାକ୍ଟର୍ ଓଲଟିବା ଘଟଣାରେ ଜରଡ଼ା ଥାନା ତୁମ୍ବା ପଞ୍ଚାୟତର ଠଣାଗାଁ ଓ ଥଳିବାଡ଼ ଗାଁ ସ୍ତବ୍ଧ ହୋଇଯାଇଛି। ଦୁର୍ଘଟଣା ଯେତିକି ହୃଦୟବିଦାରକ ଥିଲା ତାଠାରୁ ଅଧିକ ଦୁଃଖଦାୟକ ପାଲଟିଛି ଦୁର୍ଘଟଣା ପରର ମୁହୂର୍ତ୍ତ। ଏହି ଘଟଣାରେ ଠଣାଗାଁର ମଙ୍ଗଳା ପ୍ରଧାନ (୪୫) ଓ ସୀତା ପ୍ରଧାନ (୩୫)ଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ହେଲେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସୀତାଙ୍କୁ ଖୋଜୁଛି ତାଙ୍କର ତିନିବର୍ଷର ପୁଅ ଓମ୍। ବହୁ ଆଶା ନେଇ ଘର ବାରଣ୍ଡାରେ ବସି ମା’ର ଫେରିବା ବାଟକୁ ଚାହିଁ ବସିଛି। ଆଉ ବାହୁନି ବାହୁନି କାନ୍ଦୁଛି।
ଓମ୍‌ର ବାପା ହରିଚନ୍ଦନ ପ୍ରଧାନ ଦାଦନ ଖଟିବା ପାଇଁ ତାମିଲନାଡ଼ୁ ଯାଇଥିବା ବେଳେ ମା’ ସୀତାଙ୍କ ସହ ଓମ୍ ରହୁଥିଲା। ଗତକାଲି ସକାଳେ ରାସନ୍ ସାମଗ୍ରୀ ଆଣିବାକୁ ସୀତା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ଫେରିବା ବେଳେ ଦୁର୍ଘଟଣାରେ ତାଙ୍କ ମୃ୍ତ୍ୟୁ ହୋଇଥିଲା। ସୀତାଙ୍କ ମୃତ୍ୟୁ ପରେ ବାପା ହରିଚନ୍ଦନ ଗ୍ରାମକୁ ଫେରି ନାହାନ୍ତି।  ଓମ୍‌କୁ ତା’ର ଦୁଇ ମାମୁ ନେଇ ପାଖରେ ରଖିଛନ୍ତି।
ସୂଚନା ଥାଉକି, ଗତକାଲି ତୁମ୍ବା ପଂଚାୟତର ଠଣାଗାଁ ଓ ଥଳିବାଡ଼ର ୨୫ରୁ ଅଧିକ ଲୋକେ ଏକ ଟ୍ରାକ୍ଟର୍ ଯୋଗେ ତୁମ୍ବା ପଞ୍ଚାୟତକୁ ରାସନ୍ ସାମଗ୍ରୀ ପାଇଁ ଯାଇଥିଲେ। ଫେରିବା ବେଳେ ସାମନ୍ତରାପୁର ପଂଚାୟତ ଅଧୀନ ପାଞ୍ଚାମ୍ବ କଳ୍ପେଶ୍ୱର ମନ୍ଦିର ନିକଟରେ ଟ୍ରାକ୍ଟର୍ ଡାଲାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଠଣାଗାଁର ବାଙ୍କି ପ୍ରଧାନ, ଶୁକ୍ରୁ ପ୍ରଧାନ, ଖତି ପ୍ରଧାନ, ରେଣୁ ପ୍ରଧାନ, କଇରିମାଳ ବିଷୋୟୀ, ଚିତ୍ର ପ୍ରଧାନ, ଶଶି ପ୍ରଧାନଙ୍କ ସମେତ ଥଳିବାଡ଼ ଗ୍ରାମର ଜାଗିଲି ଶବର, ବେହେରା ଶବର, ପୀତବାସ ଶବର, ସାଇବାଣୀ ଶବର, ରୁକୁଣା ଶବର, ଖତି ଶବର, ସବିତା ଶବର, ପାର୍ବତୀ ଶବର, ବିଳାସ ଶବର, ହାରା ଶବର, ଲକ୍ଷ୍ମୀ ଶବର ଓ ବାଙ୍କି ଶବର ଆହତ ହୋଇଥି‌ଲେ। ଅନ୍ୟପଟେ ଉଭୟ ଗ୍ରାମକୁ ନେଟୱର୍କ ସମସ୍ୟା ଥିବାରୁ ଗ୍ରାମବାସୀଙ୍କୁ ଘଟଣା ବିଷୟରେ ବହୁ ବିଳମ୍ବରେ ଖବର ମିଳିଥିଲା। ଖବର ଜାଣିବା ପରେ ଉଭୟ ଗ୍ରାମ ସ୍ତବ୍ଧ ପାଲଟି ଯାଇଛି।
ସମ୍ବନ୍ଧିତ ଖବର