ମା’, ୩ ପିଲାଙ୍କ ସନ୍ଦେହଜନକ ମୃତ୍ୟୁ : ମହାନଦୀରୁ ୪ ମୃତଦେହ ଉଦ୍ଧାର

ଜଗତସିଂହପୁର/କୁଜଙ୍ଗ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ଅଞ୍ଚଳର ଶନି ମନ୍ଦିର ପାର୍ଶ୍ୱ ମହାନଦୀ କୂଳରୁ ଅତ୍ୟନ୍ତ ସନ୍ଦେହଜନକ ଅବସ୍ଥାରେ ମା’ ଓ ତାଙ୍କର ତିନି ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଉଛନ୍ତି ଜଗନ୍ନାଥପୁର ଗ୍ରାମର ମାମାନୀ ସେଠୀ(୩୨), ତାଙ୍କର ଦୁଇ ଝିଅ ବର୍ଷା (୧୦), ଦିଶା(୮) ଓ ପୁଅ ମୁନା(୫)। ଏହି ଘଟଣା ଉପରୁ ରହସ୍ୟ ଉଠାଇବା ପାଇଁ ପୁଲିସ ମୃତ ମାମାନୀଙ୍କ ବାପା ସୁରେଶ ସେଠୀ ଓ ଭାଇ କାଳିଆ ସେଠୀଙ୍କୁ ଜେରା କରୁଛି।

ଆଜି ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ ନଈରେ ୪ଟି ମୃତଦେହ ଭାସୁଥିବାର ସ୍ଥାନୀୟ ଅଞ୍ଚଳର କେତେକ ଲୋକ ଦେଖିଥିଲେ। ଏ ସଂପର୍କରେ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକୁ ଉଦ୍ଧାର କରିଥିଲେ। ମା’ ଓ ତିନି ପିଲାଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ହୃଦୟବିଦାରକ ଦୃଶ୍ୟ ସୃଷ୍ଟି କରିଛି।

ଦୁଇ ଝିଅଙ୍କୁ ଗୋଡ଼ ଛନ୍ଦାଛନ୍ଦି ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ପୁଅର ପାଟିରେ ରକ୍ତଦାଗ ଦେଖିବାକୁ ମିଳିଥିଲା। ସମସ୍ତଙ୍କ ଦେହରେ କିନ୍ତୁ ପୋଷାକ ଥିଲା।

ପୁଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଘଟଣା ସଂପର୍କରେ ଏଯାଏଁ କେହି ଏତଲା ଦେଇ ନଥିଲେ ବି ପୁଲିସ ଘଟଣାର ବିଧିବଦ୍ଧ ତଦନ୍ତ କରିବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜୟପ୍ରକାଶ ଆର କହିଛନ୍ତି।

ମାମାନୀ ଓ ତାଙ୍କର ତିନି ପିଲା ଗାଧୋଇବା ବେଳେ ନଦୀରେ ବୁଡି ଯାଇଛନ୍ତି ନା ସେମାନେ ଆତ୍ମହତ୍ୟା କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହେଉ ନଥିବାବେଳେ ଅନେକ ଏହାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି। ସେମାନଙ୍କ କହିବା କଥା, ବର୍ତ୍ତମାନ ପରିସ୍ଥିତିରେ ମାମାନୀଙ୍କର ସେଭଳି ଆର୍ଥିକ ସମସ୍ୟା ନଥିଲା। ତାଙ୍କ ସ୍ୱାମୀ ଗତମାସରେ ପ୍ରାଣ ହରାଇଥିବା ବେଳେ ତାଙ୍କୁ କ୍ଷତିପୂରଣ ବାବଦରେ ପ୍ରାୟ ୫ ଲକ୍ଷ ଟଙ୍କା ମିଳିଥିଲା। ଅନ୍ୟପଟେ କିଛି ଲୋକଙ୍କ ସହ ତାଙ୍କର ଜମିବାଡ଼ି ବିବାଦ ଥିବା କୁହାଯାଉଛି। ତେଣୁ ଏଭଳି ମୃତ୍ୟୁ ଅତ୍ୟନ୍ତ ରହସ୍ୟଜନକ ମନେ ହେଉଛି।

ସୂଚନା ଅନୁଯାୟୀ, ଗତ ମାସରେ ମାମାନୀଙ୍କ ସ୍ୱାମୀ ବିଶ୍ୱମ୍ଭର ସେଠୀଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ପୂର୍ବରୁ ବିଶ୍ୱମ୍ଭରଙ୍କ ବାପା ଓ ମା’ଙ୍କର ମୃତ୍ୟୁ ଘଟିଥିଲା। ବିଶ୍ୱମ୍ଭରଙ୍କର ମୃତ୍ୟୁ ପରେ ମାମାନୀଙ୍କ ଉପରେ ପରିବାରର ସମ୍ପୂର୍ଣ୍ଣ ବୋଝ ରହିଥିଲା। ମାମାନୀଙ୍କ ଦୁଇ ଝିଅ କୁଜଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିଲା ବେଳେ ଛୋଟ ପୁଅ ମୁନା ଅଙ୍ଗନବାଡିରେ ପଢ଼ୁଥିଲା। ବର୍ତ୍ତମାନ ପରିବାରଟି ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇ ଯାଇଥିବା ବେଳେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଏକା ସାଙ୍ଗରେ ଏହି ଚାରି ଜଣଙ୍କ ମୃତ୍ୟୁକୁ ଗ୍ରାମବାସୀ ବି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହି ଘଟଣା ପଛରେ ଏକ ବଡ଼ଧରଣର ଷଡ଼ଯନ୍ତ୍ର ରହିଛି ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ବିଶ୍ୱମ୍ଭରଙ୍କ ମୃତ୍ୟୁ ପରେ ତାଙ୍କୁ ମିଳିଥିବା କ୍ଷତିପୂରଣ ଟଙ୍କା ହିଁ ଏହି ଘଟଣା ପଛର ମୂଳ କାରଣ ହୋଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ବିଶ୍ୱମ୍ଭର ପାରାଦୀପ ସ୍ଥିତ ଇଫ୍‌କୋରେ ଜଣେ ଅସ୍ଥାୟୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଘରକୁ ବାଇକ୍‌ରେ ଫେରୁଥିବା ସମୟରେ ତାଙ୍କର ଅନ୍ୟ ଏକ ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ବିଶ୍ୱମ୍ଭରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଶ୍ୱମ୍ଭରଙ୍କର ମୃତ୍ୟୁ ହୋଇଥିଲା। ବିଶ୍ୱମ୍ଭରଙ୍କ ମୃତ୍ୟୁ ପରେ ଇଫ୍‌କୋ କମ୍ପାନି ତିନି ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଥିଲା। ଏହାସହ ରେଡକ୍ରସ୍‌ରୁ ୧୦ ହଜାର ଟଙ୍କା ଓ ସେ ବ୍ୟକ୍ତିଗତ ଭାବେ କରିଥିବା ଜୀବନବୀମାରୁ ମଧ୍ୟ ଅର୍ଥ ମିଳିଥିଲା। ଏ ସମସ୍ତ କ୍ଷତିପୂରଣ ଟଙ୍କା ମାମାନୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଆସିଥିଲା। ମାମାନୀଙ୍କୁ ପାଖାପାଖି ପାଞ୍ଚ ଲକ୍ଷ ଟଙ୍କା ସହାୟତା ମିଳିଥିଲା। ଏହି ଟଙ୍କା ହିଁ ମାମାନୀ ଓ ତାଙ୍କ ତିନି ପିଲାଙ୍କ ମୃତ୍ୟୁର କାରଣ ହୋଇଛି ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର