୧୯ରୁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ, ଘର ଉପରେ ଉଡ଼ିବ ଡ୍ରୋନ୍‌

୨୧ ପର୍ଯ୍ୟନ୍ତ କଟକଣା, ପରିବାର ଲୋକଙ୍କ ତାଲିକା ପ୍ରସ୍ତୁତି ଆରମ୍ଭ

ପୁରୀ : ରଥଯାତ୍ରା ଭଳି ବାହୁଡ଼ା ଯାତ୍ରାରେ ବି ଜିଲ୍ଲା ପ୍ରଶାସନ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲଗାଇଛି। ବଡ଼ଦାଣ୍ଡ ହୋଟେଲ୍‌, ଲଜ୍‌, ଧର୍ମଶାଳା ଆଦିକୁ ୪ ଦିନ ପାଇଁ ବନ୍ଦ ଘୋଷଣା କରିଛି। ସବୁର ବୁକିଂ ବାତିଲ୍ କରାଯାଇଛି। ରଥଯାତ୍ରାର ବିଶୃଙ୍ଖଳା ଯେଭଳି ପୁନରାବୃତ୍ତି ନ ଘଟେ ସେଥିପାଇଁ ବଡ଼ଦାଣ୍ଡ ଉପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ବଡ଼ଦାଣ୍ଡ ସଂଲଗ୍ନ ଘରଗୁଡ଼ିକରେ ରହୁଥିବା ପରିବାର ସଦସ୍ୟଙ୍କ ତାଲିକା ପ୍ରସ୍ତୁତି ଆରମ୍ଭ ହୋଇଛି। ଘରୁ ବାହାରି ରଥଯାତ୍ରା ଦର୍ଶନରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ଘର ଉପରେ ନଜର ରଖିବା ପାଇଁ ପୁଲିସ ସହ ଡ୍ରୋନ୍ ଉଡ଼ାଇବାକୁ ନିଷ୍ପତ୍ତି ହୋଇଛି।

ବାହୁଡ଼ାଯାତ୍ରାରେ କେବଳ ଜରୁରୀକାଳୀନ ସେବାକୁ ବାଦ୍‌ଦେଲେ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ହୋଟେଲ, ଲଜ୍‌ ମାଲିକ ଆଦିଙ୍କୁ ସ୍ଥାନୀୟ ଥାନାକୁ ଏ ସମ୍ପର୍କରେ ଅଣ୍ଡରଟେକିଂ ଲେଖି ଦେବାକୁ କୁହାଯାଇଛି। ପୁରୀ ପୌରସଂସ୍ଥା ବଡ଼ଦାଣ୍ଡ ସଂଲଗ୍ନ ଘରେ ରହୁଥିବା ପରିବାର ସଦସ୍ୟଙ୍କ ତାଲିକା ପ୍ରସ୍ତୁତି ଆଜିଠାରୁ ଆରମ୍ଭ ହୋଇଛି। କର୍ଫ୍ୟୁ ସମୟରେ ଯଦି ସଦସ୍ୟ ସଂଖ୍ୟା ବାଦ୍‌ କେହି ଘରେ ରହିଥିବାର ପ୍ରମାଣ ମିଳେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ସମସ୍ତଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ଜିଲ୍ଲା ପ୍ରଶାସନ ଚେତାବନୀ ଦେଇଛି।

ଔଷଧ ଦୋକାନ ସହ ଅନ୍ୟାନ୍ୟ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ବି ଜୁଲାଇ ୧୯ ତାରିଖ ରାତି ୮ଟାରୁ ଜୁଲାଇ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ‌ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରଥଯାତ୍ରା ଭଳି ବାହୁଡ଼ାଯାତ୍ରାରେ ବି କର୍ଫ୍ୟୁର ୪୮ ଘଣ୍ଟା ଜିଲ୍ଲାର ୮ ପ୍ରମୁଖ ପ୍ରବେଶ ପଥରେ ନାକାବନ୍ଦୀ କରାଯିବ। ବାହାର ଜିଲ୍ଲା ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହାବାଦ୍‌ ପୁରୀର ତିନି ପ୍ରମୁଖ ପ୍ରବେଶ ପଥ ବାଟଗାଁ ଛକ, ମଙ୍ଗଳାଘାଟ ଛକ ଓ ଗ୍ରିଡ୍‌ ଷ୍ଟେସନ୍‌ ଛକକୁ ବି ସିଲ୍‌ କରାଯିବ। ଜିଲ୍ଲା ଭିତର ଲୋକେ ବି ପୁରୀ ସହର ଭିତରକୁ ପ୍ରବେଶ କରିପାରିବେନି। କର୍ଫ୍ୟୁ ସମୟରେ କେବଳ ବଡ଼ଦାଣ୍ଡ ନୁହେଁ, ପୁରୀ ସହରରେ ଥିବା ସମସ୍ତ ଦୋକାନବଜାର ବନ୍ଦ ରହିବ। କେବଳ ଔଷଧ ଦୋକାନ, ଚଷମା ଦୋକାନ, ଔଷଧ ଯନ୍ତ୍ରାଂଶ ରଖୁଥିବା ଦୋକାନ ଖୋଲାରହିବ। ବଡ଼ଦାଣ୍ଡ ବାହାରେ ପୁରୀ ସହର ଭିତରେ ହୋମ୍‌ ଡେଲିଭରି ସେବା ଜାରି ରହିବ। ଜଳଯୋଗାଣ, ବିଜୁଳି, ଟେଲିକମ୍‌, ପୁଲିସ, ସୁରକ୍ଷା ଆଦି ସେବା ଯୋଗାଇ ଦେଉଥିବା ସରକାରୀ କାର୍ଯ୍ୟାଳୟକୁ ବାଦ୍‌ ଦେଲେ ୪୮ ଘଣ୍ଟା ବାକି ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ଯେଉଁମାନେ ଏହି ନିୟମକୁ ଉଲ୍ଲଂଘନ କରିବେ ଆଇପିସି ଧାରା ୧୮୮, ସେକ୍ସନ୍‌ ୫୧ରୁ ୬୦, ଜିଲ୍ଲା ମାଜିଷ୍ଟ୍ରେଟ୍‌ ଆଇନ,୨୦୦୫ ଏବଂ କୋଭିଡ୍‌ ନିୟମ-୨୦୨୦ ‌ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧିତ ଖବର