ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ : ମୁଖ୍ୟ ଅଭିଯୁକ୍ତ ସହ ୫ ଗିରଫ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଂଚଳର ଜଣେ ନାବାଳିକାକୁ ଅପହଣ ଓ ଦୁଷ୍କର୍ମ ଅଭିଯୋଗରେ କୋକସରା ପୁଲିସ ମୁଖ୍ୟ ଅଭିଯୁକ୍ତ ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦୟାନିଧି ନାଏକ (୧୯), ଅର୍ଜୁନ ନାଏକ (୨୪), ମାନସ ମଙ୍ଗରାଜ (୨୦), ଲଡୁଗାଁର କିଶୋର ମହାନନ୍ଦ (୩୬) ଓ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ତି ଥାନା ବାଡୁନ ଝୋଲାପଡାର ଗଗନେଶ୍ବର ବାଗ (୨୨)। ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ଭବାନୀପାଟଣା ଜେଲ୍‌ ହାଜତକୁ ପଠେଇ ଦିଆଯାଇଥିବା କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, କୋକସରା ଅଂଚଳର ଜଣେ ନାବାଳିକାକୁ କୋକସରାର ଦୟାନିଧି ନାଏକ ୨ ବର୍ଷ ହେଲା ପ୍ରେମ କରିବା ସହ ବିବାହର ପ୍ରତିଶ୍ରୁତି ଦେଇ ଗତ ୧୬ ତାରିଖ ରାତିରେ ଅପହରଣ କରି ନେଇଥିଲା। ଏକ ସ୍କୁଟି ଯୋଗେ ସେ ଲଡୁଗାଁ ଯାଇ ସେଠାରୁ କିଶୋର ମହାନନ୍ଦର ବାଇକରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ତି ଥାନା ବାଡୁନଝୋଲା ପଡ଼ାରେ ପହଞ୍ଚିଥିଲା। ଏହି ଘଟଣାରେ ଅନ୍ୟ ୪ ଜଣ ଦୟାନିଧିକୁ ସହଯୋଗ କରିଥିଲେ। ୧୭ ତାରିଖ ସକାଳେ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ କୋକସରା ଥାନାରେ ଝିଅକୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ। କୋକସରା ପୁଲିସ ଏକ ମାମଳା ରୁଜୁ କରି ଦୟାନିଧିର ବଡ଼ଭାଇ ଅଜୁର୍ନ ନାଏକ ଓ ସାଙ୍ଗ ମାନସ ମଙ୍ଗରାଜକୁ ଥାନାରେ ଅଟକ ରଖି ପଚାରାଉଚରା କରିଥିଲା। ଗତ ୨୩ ତାରିଖ ଦିନ ପୁଲିସ ଏକ ଟିମ୍ ସହ ଚନ୍ଦାହାଣ୍ତିର ବାଡୁନଝୋଲିପଡାର ଗଗନେଶ୍ବର ଘରେ ଚଢ଼ଉ କରି ଦୟାନିଧି ଓ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରିଥିଲା। ପରେ କୋକସରା ଥାନା କେସ ନଂ ୧୧୩/ ୨୦୨୦ରେ ଏକ ମାମଲା ରୁଜୁ କରାଯାଇ ନାବାଳିକକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ଦୟାନିଧି ଓ ଅନ୍ୟମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସମସ୍ତ ଅଭିଯୁକ୍ତଙ୍କ ଜାମିନ ନାମଂଜୁର ହେବାର ଭବାନୀପାଟଣା ଜେଲ୍‌ ହାଜତକୁ ପଠେଇ ଦିଆଯାଇଥିବା କୋକସରା ଥାନା ଅଧିକାରୀ ଶ୍ରୀ ଛତ୍ରିଆ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର