ହୋଟେଲ ମାଲିକ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ, ଜଣେ ଫେରାର

ବନ୍ଧୁକ ଓ ମୋଟରବାଇକ୍‌ ସହ ହାତୁଡି ଜବତ, ହତ୍ୟା ପାଇଁ ଡିଲ୍‌ ହୋଇଥିଲା ୨.୫ ଲକ୍ଷ

ରାଉରକେଲା: ହୋଟେଲ ‘ବସେରା’ ମାଲିକ ତଥା କଂସାବାସନ ବ୍ୟବସାୟୀ ହତ୍ୟା ଘଟଣାର ପର୍ଦ୍ଦଫାସ କରିଛି ପୁଲିସ। ହତ୍ୟା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗାନ୍ଧିରୋଡର ରଜତ ବିଶ୍ବକର୍ମା (୨୭), ହୋଟେଲ ଡିଲକ୍ସ ଲେନ୍‌ର ଦିଲୀପ କୁମାର ଶର୍ମା (୫୮), କୋଏଲନଗରର ରାଜେଶ ସିଂହ ଓରଫ ରାଜୁ (୩୯), ବେଦବ୍ୟାସ ବିଶ୍ବକର୍ମା ବିହାରର ଅମନ ପ୍ରସାଦ (୨୨), ଉଦିତନଗରର ନିଲ୍‌ ପଲ ଓରଫ ସାରଦା (୩୪)। ଏମାନଙ୍କ ନିକଟରୁ ପୁଲିସ ହତ୍ୟା ଘଟଣାରେ ବ୍ୟବହୃତ ଦେଶୀ ବନ୍ଧୁକ, ଚୋରା ପଲ୍‌ସର ମୋଟରବାଇକ୍, ଦେଶୀ ବନ୍ଧୁକ ଜବତ କରିଛି। ମୁଖ୍ୟ ଅଭିଯୁକ୍ତ ରଜତ ବିଶ୍ବକର୍ମାର ଅନ୍ୟ ଜଣେ ସହଯୋଗୀ ଫେରାର ଅଛି।

ମାର୍କେଟ କମ୍ପ୍ଲେକ୍ସରୁ ଦୋକାନ ଖାଲି ନ କରିବାରୁ ହତ୍ୟାକାରୀମାନେ ସଜ୍ଜନକୁ ହାତୁଡିରେ ପିଟି ପିଟି ହତ୍ୟା କରିଥିଲେ। ସଜ୍ଜନଙ୍କୁ ହତ୍ୟା କରିବାକୁ ୨ ଲକ୍ଷ ୫୦ ଲକ୍ଷ ଟଙ୍କା ଡିଲ୍‌ ହୋଇଥିଲା। ଘଟଣାର ମଧ୍ୟସ୍ଥତା ସାଜିଥିଲେ ଗିରଫ ଦିଲୀପ କୁମାର ଶର୍ମା। ହତ୍ୟାକାରୀମାନେ ଦିଲୀପ ଠାରୁ ୪୦ ହଜାର ଟଙ୍କା ଅଗ୍ରୀମ ନେଇଥିଲେ। ହତ୍ୟା ପରେ ଅବଶିଷ୍ଟ ଟଙ୍କା ଦେବାକୁ ଦିଲୀପ ହତ୍ୟାକାରୀକୁ କହିଥିଲା।

ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ୯ ତାରିଖ ରାତି ପ୍ରାୟ ୧୦ଟା ୪୫ମିନିଟରେ ସ୍କୁଟିରେ ଘର ନିକଟରେ ପହଞ୍ଚିଥିଲେ ସଜ୍ଜନ ମିତ୍ତଲ। ଗେଟ୍ ଖୋଲି ସ୍କୁଟି ସହ ଭିତରକୁ ପଶୁଥିବାବେଳେ ହଠାତ୍ ଦୁଇ ଦୁର୍ବୃତ୍ତ ପଲ୍ସର ବାଇକରୁ ଓହ୍ଲାଇ ତାଙ୍କୁ ଲୁହା ରଡରେ ପ୍ରାଣାନ୍ତକ ଆକ୍ରମଣ କରି ଚମ୍ପଟ ମାରିଥିଲେ। ସଜ୍ଜନ ଲହୁଲୁହାଣ ହୋଇ ତଳେ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ଘର ଲୋକ ଦୌଡ଼ି ଆସି ସଜ୍ଜନଙ୍କୁ ଉଦ୍ଧାର କରି ଆଇଜିଏଚକୁ ନେଇଥିଲେ। ରାତି ପ୍ରାୟ ୧ଟା ୫୫ ମିନିଟ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସଜ୍ଜନଙ୍କ ମୃତ୍ୟୁ ଖବର ପାଇ ରାଉରକେଲା ହୋଟେଲ ସଂଘର କର୍ମକର୍ତ୍ତା, ରାଉରକେଲା ବଣିକ ସଂଘର ସଭାପତି ପ୍ରବୀଣ ଗର୍ଗଙ୍କ ସମେତ ବହୁ ଲୋକ ଆଇଜିଏଚ୍ ଓ ତାଙ୍କ ଘରେ ପହଞ୍ଚିଥିଲେ। ମୃତ ସଜ୍ଜନଙ୍କ ଭାଇ କୈଳାସ ପୂର୍ବ ଶତ୍ରୁତାରୁ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ। ଗତ ୨୦୨୦ ସେପ୍ଟେମ୍ବର ୧୯ରେ ବିନା ନୋଟିସରେ ତାଙ୍କ ଭାଇଙ୍କ ଦୋକାନକୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ନିଜର ଦାବି କରି ଭଙ୍ଗାରୁଜା କରିଥିଲେ। ଯାହାକୁ ସଜ୍ଜନ ଓ ତାଙ୍କ ପରିବାର ଲୋକ ବିରୋଧ କରିଥିଲେ। ପୂର୍ବ ରାଗ ରଖି ସେମାନେ ତାଙ୍କ ଭାଇଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ସେ କହିଥିଲେ। ପରିବାର ଲୋକ ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୁଙ୍କୁ ଭେଟି ହତ୍ୟାକାରୀକୁ ଗିରଫ ଦାବି କରିଥିଲେ।

ସମ୍ବନ୍ଧିତ ଖବର