୧୦ ହଜାର ବ୍ୟକ୍ତି ଓ ହଜାରେ ସଂସ୍ଥାରୁ ୫୧.୭୯ ଲକ୍ଷ ଆଦାୟ

ସୁନ୍ଦରଗଡ଼: ଦୁଇ ଦିନ ହେଲା ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ତଳକୁ ଖସିଛି। ଦ୍ବିତୀୟ ଲହରରେ ରାଜ୍ୟ ରେଡ୍ ଜୋନରେ ଦ୍ବିତୀୟ ସ୍ଥାନରେ ଥିବା ଜିଲ୍ଲା ଆଜି ତୃତୀୟ ସ୍ଥାନରେ। ୧୧ ତାରିଖରେ ସଂକ୍ରମିତ ସଂଖ୍ୟା ୯୬୪ ଥିଲା ବେଳେ ୧୨ ତାରିଖରେ ୭୭୪ ଚିହ୍ନଟ ହୋଇଛନ୍ତି। ତଥାପି ସ୍ଥିତି ନିୟନ୍ତ୍ରଣକୁ ଆସି ନାହିଁ। ତେବେ ଏହାକୁ ରୋକିବାକୁ ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଓ ପୁଲିସ ଉଦ୍ୟମ ଜାରି ରଖିଛନ୍ତି। ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ମଧ୍ୟରେ କୋଭିଡ୍ ଆଇନକୁ ଅମାନ୍ୟ କରୁଥିବା ବ୍ୟକ୍ତିବିଶେଷ ଓ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଅମାନିଆଙ୍କ ଠାରୁ ତଣ୍ଡ ଆଦାୟ କରିବା ସହ ଦୋକାନ, ସଂସ୍ଥାକୁ ସିଲ୍ କରୁଛନ୍ତି ଅଧିକାରୀ।

ଅମାନିଆଙ୍କୁ ସାବାଡ୍ ଅଭିଯାନ ଜାରି ରହିଥିବା ବେଳେ ମେ’ ୯ ତାରିଖ ସୁଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୋଭିଡ ଆଇନ ଉଲ୍ଲଂଘନ କରୁଥିବା ୧୦୬୭୬ ଜଣ ବ୍ୟକ୍ତି, ୧୦୭୩ ଦୋକାନ ଓ ବ୍ୟବସାୟିକ ସଂସ୍ଥାରୁ ୫୧ ଲକ୍ଷ ୭୯ ହଜାର ୫୪୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ତନ୍ମଧ୍ୟରେ ୧୦ଟି ଅନୁଷ୍ଠାନ କାର୍ଯ୍ୟାଳୟ ରହିଛି। ଏହା ବ୍ୟତୀତ ଏହି ସମୟ ମଧ୍ୟରେ ୧୬୭ଟି ସଂସ୍ଥାକୁ ସିଲ୍ କରାଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ତଥ୍ୟାନୁସାରେ, ରାଉରକେଲା ପୁଲିସ ଜିଲ୍ଲାରେ ଆଜି ସୁଦ୍ଧା ୫୧୫୩ ଜଣ ଅମାନିଆ ବ୍ୟକ୍ତି, ୧୭୪ଟି ଦୋକାନ ଓ ସଂସ୍ଥାରୁ ୨୨ ଲକ୍ଷ ୬୧ ହଜାର ୨୮୦ ଟଙ୍କା ଜରିମାନା ଆଦାୟ କରିଛି। ଏହା ସହ ୪୩ଟି ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ସିଲ୍ କରିଛି।

ସେହିପରି ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ୯ ତାରିଖ ସୁଦ୍ଧା ୧୧୪୬ ଅମାନିଆ ବ୍ୟକ୍ତି ଓ ୩ଟି ଦୋକାନରୁ ୫ ଲକ୍ଷ ୭୭ ହଜାର ୯ ଶହ ଟଙ୍କା ଜରିମାନା ଆଦାୟ ହୋଇଛି। ଏହି ସମୟ ମଧ୍ୟରେ ୩ଟି ଦୋକାନକୁ ସିଲ୍ କରାଯାଇଛି। ସେହିପରି ରାଉରକେଲା ମହାନଗର ନିଗମ ପକ୍ଷରୁ ମେ’ ୯ ତାରିଖ ସୁଦ୍ଧା ୧୭୪ ଜଣ ବ୍ୟକ୍ତି ଓ ୬୬ ଦୋକାନ ବା ସଂସ୍ଥାରୁ ୧ ଲକ୍ଷ ୧୯ ହଜାର ୪ଶହ ଟଙ୍କା ଜରିମାନା ଓ ୨୪ଟି ଦୋକାନକୁ ସିଲ୍ କରାଯାଇଛି। ଅନ୍ୟପଟେ ସଦର ଉପଖଣ୍ଡର ୯ଟି ତହସିଲ ଅଧୀନରେ ଏହି ସମୟ ମଧ୍ୟରେ ୨୨୪୩ ଜଣ ଅମାନିଆ ବ୍ୟକ୍ତି ଓ ୫୦୮ଟି ଦୋକାନ ଓ ୮ଟି ଅଫିସ, ପ୍ରତିଷ୍ଠାନରୁ ୧୨ ଲକ୍ଷ ୬୮ ହଜାର ୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି।

ଏହି ସମୟ ମଧ୍ୟରେ ଏ ଅଞ୍ଚଳରେ ୨୨ଟି ଦୋକାନକୁ ସିଲ୍ କରାଯାଇଛି। ପାନପୋଷ ଉପଖଣ୍ଡର ୫ଟି ତହସିଲ ଅଧୀନରେ ୧୨୬୩ ଜଣ ବ୍ୟକ୍ତି, ୧୩୩ଟି ଦୋକାନ ଓ ୨ଟି ଅଫିସରୁ ୪ ଲକ୍ଷ ୩୯ ହଜାର ୯୩୦ ଟଙ୍କା ଆଦାୟ ସହ ୫୧ଟି ଦୋକାନକୁ ସିଲ୍ କରାଯାଇଛି। ସେହିପରି ବଣାଇଁ ଉପଖଣ୍ଡର ୪ଟି ତହସିଲ ଅଧୀନରେ ୬୯୭ ଜଣ ବ୍ୟକ୍ତି ଓ ୧୮୯ଟି ଦୋକାନ, ସଂସ୍ଥାରୁ ୫ ଲକ୍ଷ ୧୨ ହଜାର ୯୮୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହା ସହ ଏହି ସମୟ ମଧ୍ୟରେ ୨୪ଟି ଦୋକାନ, ପ୍ରତିଷ୍ଠାନକୁ ସିଲ୍ କରାଯାଇଛି।

ସମ୍ବନ୍ଧିତ ଖବର