ମନରେଗାରେ ମିଳୁନି ଅନୁଦାନ; ସମ୍ପୂର୍ଣ୍ଣ ହୋଇପାରୁନି ୨୮୧ ଅଙ୍ଗନବାଡ଼ି କେନ୍ଦ୍ର, ଖାଲି ପଡିଛି ୫୧ ପଦବି

ଶିଶୁ ବିକାଶ ଯୋଜନା ବାଧାପ୍ରାପ୍ତ: ଦୁଇ ବର୍ଷରେ ୬୮ କେନ୍ଦ୍ରରୁ ସରିଛି ମାତ୍ର ୩ଟି

ରାୟଗଡ଼ା: ମନରେଗା ଯୋଜନାରେ ଚାଲିଥିବା ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କାର୍ଯ୍ୟ ସରୁନି। ଅନୁଦାନ ଅଭାବ ସାଙ୍ଗକୁ ଦାୟିତ୍ବରେ ଥିବା ଅଧିକାରୀଙ୍କ ଅବହେଳା କେନ୍ଦ୍ର ସମ୍ପୂର୍ଣ୍ଣରେ ମୁଖ୍ୟ ବାଧକ ସାଜିଛି। ୨୦୧୫ରୁ ୨୦୨୧ ମଧ୍ୟରେ କାର୍ଯ୍ୟାଦେଶ ହୋଇଥିବା ୭୪୯ କେନ୍ଦ୍ର ମଧ୍ୟରୁ ଏଯାବତ୍ ସରିଛି ୪୬୮ଟିର ନିର୍ମାଣ। ବଳକା ୨୮୧ କେନ୍ଦ୍ର ମଧ୍ୟରୁ କେଉଁଠି ଅଧାପନ୍ତରିଆ ତ କେଉଁଠି ନିର୍ମାଣ କାର୍ଯ୍ୟ ଆରମ୍ଭ ‌ହିଁ ହୋଇପାରିନି।

ସ୍ଥାୟୀ ଗୃହ ନଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ଚିହ୍ନଟ କରି ମନରେଗା ଯୋଜନାରେ ନିର୍ମାଣ କରିବାକୁ ରାଜ୍ୟ ସରକାର ୨୦୧୩-୧୪ ଆର୍ଥିକ ବର୍ଷରୁ ପ୍ରୟାସ ଆରମ୍ଭ କରିଥିଲେ। ୨୦୧୩-୧୪ ଆର୍ଥିକ ବର୍ଷରେ ରାୟଗଡ଼ା ଜିଲ୍ଲାର ୬୫ଟି କେନ୍ଦ୍ରକୁ ଅନୁମୋଦନ ମିଳିଥିବା ବେଳେ ସମସ୍ତ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସରିଛି। ସେହିପରି ୨୦୧୪-୧୫ ଆର୍ଥିକ ବର୍ଷର ମଞ୍ଜୁର ୪୧ କେନ୍ଦ୍ରର ନିର୍ମାଣ ଶେଷ ହୋଇଛି। ୨୦୧୫-୧୬ ଆର୍ଥିକ ବର୍ଷରେ ମଞ୍ଜୁର ହୋଇଥିବା ୩୫୫ କେନ୍ଦ୍ରରୁ ଏଯାବତ୍ ୨୯୪ଟିର ନିର୍ମାଣ ସରିଥିବା ବେଳେ ୬୧ଟି ଅଧାପନ୍ତରିଆ ହୋଇ ପଡିଛି।

୨୦୧୬-୧୭ ଆର୍ଥିକ ବର୍ଷରେ ମଞ୍ଜୁର ହୋଇଥିବା ୧୫୬ କେନ୍ଦ୍ରରୁ ୯୦ଟିର ନିର୍ମାଣ ସରିଛି। ବଳକା ୬୬ଟିର ନିର୍ମାଣ ସରିପାରୁନି। ୨୦୧୭-୧୮ ଆର୍ଥିକ ବର୍ଷର ୧୭୧ କେନ୍ଦ୍ର ମଧ୍ୟରୁ ୮୧ଟିର ନିର୍ମାଣ ସରିଛି। ୮୯ ଘରର ସ୍ଥିତି ନେଇ ଶିଶୁ ବିକାଶ ବିଭାଗ ଶଙ୍କାରେ ରହିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୬୮ଟି କେନ୍ଦ୍ର ନିର୍ମାଣ ପାଇଁ ମଞ୍ଜୁର ହୋଇଥିଲା। ଇତି ମଧ୍ୟରେ ଦୁଇ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ୬୮ କେନ୍ଦ୍ର ମଧ୍ୟରୁ ମାତ୍ର ୩ଟିର ନିର୍ମାଣ ଶେଷ ହୋଇଛି। ବିଷମକଟକ ବ୍ଲକ୍ ୨ଟି ଏବଂ ମୁନିଗୁଡ଼ା ବ୍ଲକ୍ ଗୋଟିଏ କେନ୍ଦ୍ରର ନିର୍ମାଣ ସାରିଛନ୍ତି। ବାକି ୮ ବ୍ଲକ୍ ଗୋଟିଏ ବି କେନ୍ଦ୍ର ନିର୍ମାଣରେ ସକ୍ଷମ ହୋଇପାରିନାହାନ୍ତି। ଉକ୍ତ ଆର୍ଥିକ ବର୍ଷରେ ରାୟଗଡ଼ା ବ୍ଲକକୁ ୧୫ଟି, କାଶୀପୁର ବ୍ଲକକୁ ୧୪, ଗୁଣପୁର ବ୍ଲକକୁ ୧୧, ରାମନାଗୁଡା ବ୍ଲକକୁ ୯, ବିଷମକଟକ ବ୍ଲକକୁ ୧୦ କେନ୍ଦ୍ର ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଛି। ଅଥଚ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆଖିଦୃଶିଆ ହୋଇପାରୁନି। ଅଧାପନ୍ତରିଆ ଏବଂ ନିର୍ମାଣ ହୋଇନଥିବା କେନ୍ଦ୍ରର ସ୍ଥିତିକୁ ନେଇ ଶିଶୁ ବିକାଶ ବିଭାଗ ୧୧ ବିଡିଓଙ୍କୁ ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରୁନି। କେନ୍ଦ୍ର ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁ ଦୁର୍ଗମ ଏବଂ ଗ୍ରାମାଞ୍ଚଳର କୋମଳମତି ଶିଶୁମାନେ ଭଡ଼ା ଘରେ ଗଛମୂଳରେ ପ୍ରାକ୍ ଶିକ୍ଷା ଗ୍ରହଣ କରୁଛନ୍ତି। ସ୍ଥାୟୀ କେନ୍ଦ୍ର ନଥିବାରୁ ବର୍ଷା ଓ ଶୀତ ଦିନରେ କେନ୍ଦ୍ରକୁ ଆସୁଥିବା କୋମଳମତି ଶିଶୁମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଶିଶୁ ବିକାଶ ବିଭାଗ ଅଧୀନରେ ପରିଚାଳିତ ଅଙ୍ଗନବାଡ଼ି କେନ୍ଦ୍ର ଓ ମିନି ଅଙ୍ଗନବାଡି କେନ୍ଦ୍ରରେ ଖାଲି ପଡିଥିବା ୫୧ ପଦବି ପୂରଣ ଦିଗରେ ମଧ୍ୟ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଉନି। କାଶୀପୁର ବ୍ଲକରେ ସର୍ବାଧିକ ୧୯, ମୁନିଗୁଡ଼ା ବ୍ଲକରେ ୯, ଚନ୍ଦ୍ରପୁର ବ୍ଲକରେ ୬, ବିଷମକଟକ ବ୍ଲକରେ ୫, ରାମନାଗୁଡା ବ୍ଲକରେ ୪, ପଦ୍ମପୁର ବ୍ଲକରେ ୨ଟି, କୋଲନରା,  କଲ୍ୟାଣସିଂହପୁର, ଗୁଡାରି ବ୍ଲକରେ ଗୋଟିଏ ଲେଖାଁଏ ପଦବି ଖାଲି ପଡିଛି। ପଦବି ପୂରଣ ହେଉନଥିବା ବେଳେ ଅତିରିକ୍ତ ଦାୟିତ୍ବ ଯୋଗୁ ସମ୍ମନିତ ଶିଶୁ ବିକାଶ ଯୋଜନା ଅଧୀନରେ ପରିଚାଳିତ ବିଭିନ୍ନ ଯୋଜନା ତୃଣମୂଳସ୍ତରରେ ପହଞ୍ଚିବାରେ ବିଳମ୍ବ ହେଉଛି।

ସମ୍ବନ୍ଧିତ ଖବର