ଶାବର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କଲେ ୫-ଟି ସଚିବ, କାଲି ଗୁପ୍ତେଶ୍ବରଙ୍କୁ କରିଥିଲେ ଦର୍ଶନ

କୋରାପୁଟ: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ପ୍ରଭୁଙ୍କ ଶରଣ ନେଇଛନ୍ତି। ବରିଷ୍ଠ ଅଧିକାରୀ ଶ୍ରୀ ପାଣ୍ଡିଆନ୍‌ ଆଜି ସକାଳ ପ୍ରାୟ ୭ଟାରେ ପ୍ରସିଦ୍ଧ ଶାବର ଶ୍ରୀକ୍ଷେତ୍ର ପହଞ୍ଚିଛନ୍ତି। ସେଠାରେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦଶର୍ନ କରିଛନ୍ତି। ମନ୍ଦିରରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଛନ୍ତି। ମନ୍ଦିରର ସେବାୟତମାନଙ୍କ ସହିତ ଆଲୋଚନା କରିଛନ୍ତି। ଶାବର ଶ୍ରୀକ୍ଷେତ୍ର ଦର୍ଶନ ସମୟରେ ୫-ଟି ସଚିବଙ୍କ ସହିତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ୫-ଟି ସଚିବ ଶୁକ୍ରବାର କୋରାପୁଟ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ‘ଗୁପ୍ତେଶ୍ବର’ ଯାଇଥିଲେ।

୫-ଟି ସଚିବ ଶୁକ୍ରବାର ଠାରୁ କୋରାପୁଟ ଗସ୍ତରେ ଅଛନ୍ତି। ଜୟପୁରର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ କରିଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ ମଧ୍ୟ ସେଠାକୁ ଯାଇଥିଲେ। ତେବେ ଶ୍ରୀ ପାଣ୍ଡିଆନ କେରାପୁଟ ଜିଲ୍ଲାରେ ଥିବା ସ୍ଥାନଗୁଡ଼ିକରେ ଚାଲିଥିବା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବାର ଅଛି। ଶ୍ରୀ ପାଣ୍ଡିଆନ ଶାବର ଶ୍ରୀକ୍ଷେତ୍ର ଗସ୍ତ ପୂର୍ବରୁ ଆଜି ସକାଳୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିଦର୍ଶନ କରିଥିଲେ। ମେଡିକାଲ କଲେଜରେ ସେ ରୋଗୀଙ୍କ ସହିତ କଥା ହୋଇ ସେଠାରେ ଦିଆଯାଉଥିବା ସେବା ଓ ଅନ୍ୟ ପ୍ରସଙ୍ଗରେ ପଚାରି ବୁଝିଥିଲେ। ସେହିପରି ସେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ଶ୍ରୀ ପାଣ୍ଡିଆନ ଆଜି ଦେଓମାଳି ଗସ୍ତରେ ଯିବେ। ସେଠାରେ ନିର୍ମାଣ କାମ ନେଇ ସମୀକ୍ଷା କରିବେ। ଏହା ପରେ ସେ ଜିଲ୍ଲାର ନାରାୟଣପାଟଣା ଯାଇ ସେଠାରେ ୫ଟି ସ୍କୁଲ ସଂପର୍କରେ ସମୀକ୍ଷା କରିବେ।

୫-ଟି ସଚିବ ଭିକେ ପାଣ୍ଡିଆନ୍ ଶୁକ୍ରବାର ଅପରାହ୍‌ଣରେ ପ୍ରସିଦ୍ଧ ଶୈବପୀଠ ‘ଗୁପ୍ତେଶ୍ୱର’ ପରିଦର୍ଶନ କରିଥିଲେ। ବୈପାରିଗୁଡ଼ା ଗସ୍ତରେ ଶ୍ରୀ ପାଣ୍ଡିଆନ୍‌ ଗୁପ୍ତେଶ୍ବରଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ନେଇଥିଲେ। ଶ୍ରୀ ପାଣ୍ଡିଆନ ମଧ୍ୟାହ୍ନ ସାଢେ ଗୋଟାଏ ସମୟରେ ହେଲିକପ୍ଟର ଯୋଗେ ରାମଗିରି ଠାରେ ଅବତରଣ କରିବା ପରେ ସେଠାରୁ କାର୍ ଯୋଗେ ଗୁପ୍ତେଶ୍ୱର ଯାଇଥିଲେ। ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା ସାରି ଗୁପ୍ତେଶ୍ୱର ପୀଠର ଉନ୍ନତିକରଣ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।

 

ରାସ୍ତା ଏବଂ ଗୃହ ବିଭାଗ ତରଫରୁ ପ୍ରସ୍ତୁତ ନକ୍ସାର ଗୁପ୍ତେଶ୍ୱର ପୀଠର ଉନ୍ନତିକରଣ କାର୍ଯ୍ୟ ତଦାରଖ କରିବା ସହ ଯଥାଶୀଘ୍ର କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସାବେରୀ ନଦୀ କୂଳରେ ପହଞ୍ଚି ଗୁପ୍ତେଶ୍ୱରର ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ। ଏହି ଅବସରରେ ବୈପାରିଗୁଡା ଜୋନ୍ -୧ ଜିଲ୍ଲା ପରିଷଦ ସଭ୍ୟ ରାଜେଶ୍ବର ମହୁରିଆ ଏବଂ ଗୁପ୍ତେଶ୍ୱର ପଞ୍ଚାୟତ ସମିତି ସଭ୍ୟ ବିଭୀଷଣ ହନ୍ତାଳ ଶ୍ରୀ ପାଣ୍ଡିଆନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

 

ସମ୍ବନ୍ଧିତ ଖବର