ମଝିଘରିଆଣୀ ମନ୍ଦିର ହେବ ରୂପାନ୍ତର

୫-ଟି ସଚିବଙ୍କ ରାୟଗଡ଼ା ଗସ୍ତ, ବଦଳିବ କଲେଜଗୁଡ଼ିକର ଭିତ୍ତିଭୂମି

ରାୟଗଡା : ଦୁଇ ଦିନିଆ ଗସ୍ତରେ ରାୟଗଡ଼ା ପହଞ୍ଚିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ଉନ୍ନୟନ ପ୍ରକଳ୍ପର ସମୀକ୍ଷା ସହ ସାଧାରଣ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ସମସ୍ୟା ଗୁଡ଼ିକର ଦୂରୀକରଣ ନିମନ୍ତେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ପ୍ରଥମେ ରାୟଗଡା ସ୍ଥିତ ନବନିର୍ମିତ ବିଜୁ ପଟ୍ଟନାୟକ ଅଡିଟୋରିୟମ ପରିଦର୍ଶନ କରିଥିଲେ। ସେଠାରେ ବିଭିନ୍ନ କଲେଜ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହିତ ମତ ବିନିମୟ କରିଥିଲେ। ଗୁଣାତ୍ମକ ଶିକ୍ଷାଦାନ ସହ ଉନ୍ନତ ଭିତ୍ତିଭୂମି ସଂପର୍କରେ ଆଲୋଚନା କରିଥିଲେ। ଏହାପରେ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜର ଭିତ୍ତିଭୂମି ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକତା ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାରେ ଶିକ୍ଷା ଭିତ୍ତିଭୂମିର ଉନ୍ନତି ପାଇଁ ୧୪.୫୦କୋଟି ଟଙ୍କା ମଞ୍ଜୁର କରିଥିବା ଘୋଷଣା କରିଥିଲେ।

ପରବର୍ତ୍ତୀ ସମୟରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଓ ଡାକ୍ତରଙ୍କ ସହିତ ସ୍ବାସ୍ଥ୍ୟସେବା ବିଷୟରେ ଚର୍ଚ୍ଚା କରିଥିଲେ। ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଆମ ହସ୍‌ପିଟାଲ ଯୋଜନାରେ ଉନ୍ନତିକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୯ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାୟାକଳ୍ପ ପୁରସ୍କାର ପାଇ ଆସୁଥିବାରୁ ତଥା ମୁସ୍କାନ ପ୍ରମାଣପତ୍ର ପାଇଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଇଥିଲେ। ହସ୍‌ପିଟାଲରେ ନିୟୋଜିତ ମା ମଙ୍ଗଳା ମିଶନ ଶକ୍ତି ଗୋଷ୍ଠୀ ସଦସ୍ୟାଙ୍କ ସହ ଆଲୋଚନା ସହ କାମର ସମୀକ୍ଷା କରିଥିଲେ। ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯାଉଥିବାରୁ ପ୍ରଶଂସା କରିଥିଲେ। ଖାଦ୍ୟ, ସ୍ବଚ୍ଛତା, ବିଶୁଦ୍ଧ ପାନୀୟ ଜଳ ଏବଂ ଗୁଣାତ୍ମକ ସେବାର ନିୟମିତ ନିରୀକ୍ଷଣ କରିବାକୁ ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ରାୟଗଡାରେ ନିର୍ମାଣାଧୀନ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ପରିଦର୍ଶନ ସମୟରେ କାମକୁ ତ୍ୱରାନ୍ୱିତ କରି ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ କ୍ରୀଡ଼ାର ବିକାଶ ପାଇଁ କ୍ରୀଡ଼ାବିତ୍‌ଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ସାଧାରଣ ଜନତାଙ୍କୁ ଭେଟି ଦାବିପତ୍ର ଗ୍ରହଣ କରିଥିଲେ। ଜିଲ୍ଲାରେ ଜଳ ଯୋଗାଣ ଏବଂ ପୋଲ ନିର୍ମାଣକୁ ପ୍ରାଥମିକତା ଦିଆଯିବ ବୋଲି କହିଥିଲେ। ଶେଷରେ ମା ମଝିଆଘରଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର କମିଟି ସଦସ୍ୟଙ୍କ ସହିତ ମନ୍ଦିରର ଉନ୍ନତି ସମ୍ପର୍କରେ ଆଲୋଚନା ହୋଇଥିଲା। ବିସ୍ତୃତ ଯୋଜନା ପ୍ରସ୍ତୁତ କରି ରିପୋର୍ଟ ପଠାଇବା ନିମନ୍ତେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୬ରୁ ୮ମାସ ମଧ୍ୟରେ ମା ମଝିଘରିଆଣୀଙ୍କ ମନ୍ଦିର ରୂପାନ୍ତରୀକରଣ ହୋଇଯାଇଥିବ। ଆସନ୍ତା ରାୟଗଡ଼ା ଗସ୍ତ ସମୟରେ ନୂତନ ମନ୍ଦିର ଦେଖିବାକୁ ଚାହେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର