ବିପର୍ଯ୍ୟୟ ମୁକାବିଲା ପାଇଁ ୬ ରାଜ୍ୟର ମାନସ ମନ୍ଥନ, ବିପର୍ଯ୍ୟୟଜନିତ କ୍ଷୟକ୍ଷତି ହ୍ରାସ ଉପରେ ହେବ ଆଲୋଚନା

ଏନ୍‌ଡିଏମ୍‌ଏ ଓ ଓଏସ୍‌ଡିଏମ୍‌ଏଙ୍କ ମିଳିତ ସହଯୋଗରେ ଆଜିଠୁ କର୍ମଶାଳା

ଭୁବନେଶ୍ବର: ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ବିପର୍ଯ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ ପାଇଁ ଆସନ୍ତାକାଲିଠୁ ଭୁବନେଶ୍ବରରେ ଦୁଇ ଦନିଆ କର୍ମଶାଳା ଆୟୋଜନ ହେବାକୁ ଯାଉଛି। କର୍ମଶାଳାରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପ୍ରତିନିଧିମାନେ ଯୋଗଦେବେ। କର୍ମଶାଳାକୁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଉଦଘାଟନ କରିବେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ନୂତନ ଜ୍ଞାନ କୌଶଳ ଉପଯୋଗ କରି ପ୍ରାକୃତିକ ଦୁର୍ବିପାକ ସମୟରେ କିପରି ସମ୍ପତ୍ତି ହାନିକୁ ରୋକିହେବ, ସେଥିପାଇଁ ଏହି କର୍ମଶାଳାରେ ଆଲୋଚନା କରାଯିବ। ବିଶେଷକରି ବନ୍ୟା, ବାତ୍ୟା, ଭୂମିକମ୍ପ ଓ ବଜ୍ରପାତ ସମୟରେ ଜରୁରୀକାଳୀନ ସେବା, ସ୍ବାସ୍ଥ୍ୟ ଓ ବିପର୍ଯ୍ୟୟ ପ୍ରଶମନ ପଦକ୍ଷେପ ଏବଂ ବିପର୍ଯ୍ୟୟ କ୍ଷୟକ୍ଷତି ପରିଚାଳନାରେ ଜିଓଗ୍ରାଫିକାଲ୍‌ ଇନ୍‌ଫର୍‌ମେସନ୍‌ ସିଷ୍ଟମ୍‌ (ଜିଆଇଏସ୍‌)ର ଭୂମିକା ଉପରେ ତର୍ଜମା କରାଯିବ। ଏହାସହିତ ବନ୍ୟା ବେଳେ ଡ୍ୟାମ୍ ନିରାପତ୍ତା ନେଇ ବାହାର ରାଜ୍ୟମାନେ ଆପଣାଇଥିବା ନୂତନ ଜ୍ଞାନ କୌଶଳ ଉପରେ ବି ଆଲୋଚନା କରାଯିବ।

ଏହି ଦୁଇଦିନିଆ କର୍ମଶାଳାରେ ଏନ୍‌.ଡି.ଏମ୍‌.ଏ ସଦସ୍ୟ ସଚିବ ଜି.ଭି.ଭି ଶର୍ମା, ଭାରତ ସରକାରଙ୍କ ଜଳଶକ୍ତି ବିଭାଗ ସଚିବ ୟୁ.ପି ସିଂହ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏମ୍‌ଡି ପ୍ରଦୀପ ଜେନା ଯୋଗଦେବେ। ଏମାନଙ୍କ ବ୍ୟତୀତ ଭାରତୀୟ ପାଣିପାଗ ବିଭାଗ, କେନ୍ଦ୍ରୀୟ ଜଳ ଆୟୋଗ, ଇନ୍‌କଏସ୍‌, ନ୍ୟାସନାଲ୍‌ ସେଣ୍ଟର୍‌ ଫର୍‌ ସେସ୍‌ମୋଲୋଜି (ଏନ୍‌ସିଏସ୍‌), ଜାତୀୟ ସୂଚନା କେନ୍ଦ୍ର (ଏନ୍‌ଆଇସି), ଆଇଆଇଟି ମାଡ୍ରାସର ବିଶେଷଜ୍ଞମାନେ ଯୋଗଦେଇ ବହୁମୂଲ୍ୟ ମତାମତ ପ୍ରଦାନ କରିବେ।

ସମ୍ବନ୍ଧିତ ଖବର