ପୁଣି ଭିମ୍‌ସାରରେ ଭୁଲ୍‌ ଚିକିତ୍ସା ଅଭିଯୋଗ : ସାମାନ୍ୟ ବଥର ଚିକିତ୍ସା ପାଇଁ ଯାଇଥିଲେ, ଏବେ ଗୁରୁତର ଅସୁସ୍ଥ

ଏବେ କଟକ ସ୍ଥାନାନ୍ତର ପାଇଁ ପରାମର୍ଶ

ସମ୍ବଲପୁର: ପୁଣି ଥରେ ବୁର୍ଲା ବଡ଼ ଡାକ୍ତରଖାନାରେ ଡାକ୍ତରଙ୍କ ଚିକିତ୍ସାରେ ତ୍ରୁଟି ସାମ୍ନାକୁ ଆସିଛି। ସାମାନ୍ୟ ବଥର ଚିକିତ୍ସା ପାଇଁ ଇଏନ୍‌ଟି ବିଭାଗ ଓପିଡିକୁ ଆସିଥିବା ଜଣେ ଯୁବତୀଙ୍କ ଓଠରେ ଡାକ୍ତର ଇଞ୍ଜେକ୍ସନ ଦେଇଥିଲେ। ଏହାପରେ ଯୁବତୀଙ୍କ ଓଠରୁ ନେଇ ସମଗ୍ର ମୁହଁ କଳା ପଡ଼ିଯାଇ ମ‌ାଂସ ପଚିଯିବା ପରେ ଖଣ୍ଡ ଖଣ୍ଡ ହୋଇ ଛିଣ୍ଡିବାରେ ଲାଗିଛି। ସେପଟେ, ନିଜ ଭୁଲ୍‌ ଜାଣିବା ପରେ ଘଟଣାକୁ ଚପାଇ ଦେବା ପାଇଁ ତରିବରିଆ ଭାବେ ଉକ୍ତ ଯୁବତୀଙ୍କୁ ୱାର୍ଡରେ ଭର୍ତ୍ତି କରି ଦିଆଯାଇଥିଲା।

ଏବେ ମୁହଁର ପ୍ଲାଷ୍ଟିକ୍‌ ସର୍ଜରି କରାଇବା ପାଇଁ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେଇଯିବାକୁ କହୁଛନ୍ତି। ଯୁବତୀଙ୍କ ପରିବାର ଲୋକେ ଆର୍ଥିକ ସ୍ବଚ୍ଛଳ ହୋଇନଥିବାବେଳେ ଡାକ୍ତରଙ୍କ ତ୍ରୁଟି ଯୋଗୁଁ ପ୍ଲାଷ୍ଟିକ୍‌ ସର୍ଜରି ଭଳି ବ୍ୟୟବହୁଳ ଚିକିତ୍ସା କିଭଳି କରିବେ ସେନେଇ ସେମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଏନେଇ ଇନ୍‌ଟି ବିଭାଗୀୟ ମୁଖ୍ୟ ଡା.ରାଧାକାନ୍ତ ପଟ୍ଟନାୟକଙ୍କୁ ଯୋଗାଯୋଗ କରାଯିବାରେ, ବେଳେବେଳେ ଉକ୍ତ ଇଞ୍ଜେକ୍ସନ ସେଭଳି ରିଆକ୍ସନ କରିଥାଏ ବୋଲି କହିଥିଲେ। ତେବେ କଟକ ଏସ୍‌ସିବିକୁ ଗଲେ ସେଠାରେ ପ୍ଲାଷ୍ଟିକ ସର୍ଜରିରେ ଅଧିକ ଚିକିତ୍ସା ହୋଇପାରିବ ବୋଲି ଡା.ପଟ୍ଟନାୟକ କହିଥିଲେ।

ମିଳିଥିବା ସୂଚନା ମୁତାବକ, ବୁର୍ଲା ଅଞ୍ଚଳର ଜଣେ ଯୁବତୀ(୨୫)ଙ୍କ ଓଠର ତଳ ପାର୍ଶ୍ବରେ ବଥ ଭଳି ବାହାରି କଷ୍ଟ ହେଉଥିଲା। ସେ ବୁର୍ଲା ଡାକ୍ତରଖାନା ଆସି ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତରଙ୍କ କହିବାନୁସାରେ ପ୍ରଥମେ ଏଫ୍‌ଏନ୍‌ଏସି ପରୀକ୍ଷା କରାଇଥି‌ଲେ। ସେହିଦିନ ହିଁ ରିପୋର୍ଟ ଆସିବା ପରେ ତାହା ହେମାଞ୍ଜିଓମା ବୋଲି ଜଣାପଡ଼ିଥିଲା। ଦିନ ସାଢ଼େ ୩ଟା ସମୟରେ ଇଏନ୍‌ଟି ବିଭାଗ ଓପିଡିରେ ଯାଇ ଡା.ଇପ୍ସିତା ପଣ୍ଡା ଓ ଡା. ସୁଜାତା ପଣ୍ଡାଙ୍କୁ ଦେଖାଇଥିଲେ। ଡା.ସୁଜାତା ପଣ୍ଡା ଯୁବତୀଙ୍କ ଓଠରେ ଏକ ଇଞ୍ଜେକ୍ସନ ଦେବାକୁ କହିଥିଲେ। କିନ୍ତୁ ଇଞ୍ଜେକ୍ସନ ଦେବାର ଅଳ୍ପ ସମୟ ମଧ୍ୟରେ ଯୁବତୀଙ୍କ ମୁହଁର ରଙ୍ଗ କଳା ପଡ଼ିଯାଇଥିଲା। ଏହା ଦେଖି ଯୁବତୀଙ୍କ ରକ୍ତଚାପ କମି ଯାଇଥିଲା ଓ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସେହି ସନ୍ଧ୍ୟାରେ ହିଁ ଇଏନ୍‌ଟି ଅନ୍ତର୍ବିଭାଗରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଯୁବତୀଙ୍କ ମୁହଁର କଳା ପଡ଼ିଯାଇଥିବା ଅଂଶ ସୁଧୁରିବା ପରିବର୍ତ୍ତେ ପଚିବାକୁ ଲାଗିଥିଲା। ଅତ୍ୟନ୍ତ ଦୁର୍ଗନ୍ଧ ବାହାରିବାରୁ ତାଙ୍କୁ ଏକ ସ୍ବତନ୍ତ୍ର ବେଡ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏବେ ପଚି ଯାଇଥିବା ଅଂଶ ଖଣ୍ଡ ଖଣ୍ଡ ହୋଇ ଛିଣ୍ଡିବାରେ ଲାଗିଛି। ମାତ୍ର ସବୁକିଛି ହାତରୁ ଖସିଯିବ‌ା ପରେ ବିଭାଗର ଡାକ୍ତରମାନେ ନିଜ ମୁଣ୍ଡରୁ ଦୋଷ ତୁଟାଇବାକୁ ଯୁବତୀଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର