ବିଦ୍ୟାଳୟରେ ୬ ଛାତ୍ରୀ ଅସୁସ୍ଥ

କଳାବାଡ଼ିଆ: ବାଙ୍ଗିରିପୋଷି ବ୍ଲକ୍‌ ନାଫ୍ରି ପଞ୍ଚାୟତ ଝିଙ୍କପାହାଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସବୁଦିନ ପରି ଆଜି ମଧ୍ୟ ମଧ୍ୟାହ୍ନଭୋଜନ ରନ୍ଧା ହୋଇଥିଲା। ମଧ୍ୟାହ୍ନଭୋଜନ ପରେ ୬ ଜଣ ଛାତ୍ରୀ; ସୁଭଦ୍ରା ହେମ୍ବ୍ରମ, ମାଇଦି ମୁର୍ମୁ, ବାସନ୍ତୀ ସିଂ, ସରସ୍ବତୀ ହେମ୍ବ୍ରମ, ସୋନାଲି ମାଝୀ, ସୁମିତ୍ରା ମୁର୍ମୁ ଅସୁସ୍ଥ ହେବା ସହ ବାନ୍ତି କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ କୁଳଦା ବେହେରା ଏବଂ ସହକାରୀ ଶିକ୍ଷୟିତ୍ରୀ ସରସ୍ବତୀ ସୋରେନ ଅସୁସ୍ଥ ଛାତ୍ରୀଙ୍କ ସହ ଅନ୍ୟ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ୩ଟି ଗାଡ଼ିରେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ତେବେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ଲକ୍ଷ୍ମୀପ୍ରିୟା ପ୍ରଧାନଙ୍କ ତତ୍ତ୍ବାବଧାନରେ ପ୍ରାଥମିକ ଚିକିତ୍ସା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ୨ ଘଣ୍ଟା ନିରୀକ୍ଷଣରେ ରଖାଯାଇଥିଲା। ଡାକ୍ତର ସମସ୍ତଙ୍କୁ ବିପଦମୁକ୍ତ ବୋଲି କହିବା ସହ ଘରକୁ ଯିବା ପାଇଁ ଅନୁମତି ଦେଇଥିଲେ। ତେବେ କେଉଁ କାରଣରୁ ଏବଂ କେଉଁ ଖାଦ୍ୟ ଖାଇ ଛାତ୍ରୀମାନେ ଅସୁସ୍ଥ ହେଲେ, ସେନେଇ କିଛି ଜଣାପଡ଼ି ନାହିଁ। ସୂଚନା ଥାଉକି ଅସୁସ୍ଥ ସମସ୍ତ ଛାତ୍ରୀ ନେତ୍ରାପଟ ଆବାସିକ ବିଦ୍ୟାଳୟରେ ରହନ୍ତି। ସେଠାରୁ ୯ଟା ବେଳେ ଭାତ ଓ ସୟାବିନ୍‌ ତରକାରୀ ଖାଇ ଝିଙ୍କପାହାଡ଼ି ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଆସିଥିଲେ।

ସମ୍ବନ୍ଧିତ ଖବର