ପିପିଲି-ଡେଲାଙ୍ଗ ବିକାଶ ପାଇଁ ୬୮ କୋଟି, ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନବୀନଙ୍କ ଘୋଷଣା

ବେରବୋଇରେ ଗାନ୍ଧୀଙ୍କ ସ୍ମୃତି ପୀଠ ବିକାଶ ହେବ, ମଡେଲ ସ୍କୁଲ ସ୍ଥାପନ କରିବେ ସରକାର

ଭୁବନେଶ୍ବର: ପିପିଲି ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ କାର୍ଡ ଖେଳିଛନ୍ତି। ପିପିଲି- ଡେଲାଙ୍ଗ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏକାଥରକେ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି। ଏଥିରେ ରାସ୍ତାଘାଟ ଠାରୁ ଆରମ୍ଭ କରି ଜଳସେଚନ, ଷ୍ଟାଡିୟମ, ସେତୁ, ବସଷ୍ଟାଣ୍ଡ ଆଦି ବିଭିନ୍ନ ବିକାଶ କାମ କରାଯିବ। କେବଳ ସେତିକି ନୁହେଁ, ସରକାର ଏକଥା ବି ସେ ଦୋହରାଇଛନ୍ତି ଯେ ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପାଳନ କରାଯାଇଛି। ମାର୍ଚ୍ଚ ୨୩ ତାରିଖ ୧୯୨୧ରେ ଗାନ୍ଧୀଜୀ ପ୍ରଥମେ ଓଡ଼ିଶା ଆସିଥିଲେ। ୧୯୩୮ରେ ସେ ଡେଲାଙ୍ଗର ବେରବୋଇ ଆସିଥିଲେ ଏବଂ ଏହିଠାରେ କୃଷି ଓ ଗ୍ରାମୋଦ୍ୟୋଗର ପ୍ରଦର୍ଶନୀରେ ଭାଗ ନେଇଥିଲେ।

ଗାନ୍ଧୀଜୀଙ୍କ ଆଦର୍ଶ ବର୍ତ୍ତମାନ ସମୟରେ ଖୁବ ଜରୁରୀ। ଏଣୁ ବେରବୋଇଠାରେ ଏକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏହାବ୍ୟତୀତ ସେଠାରେ ଗାନ୍ଧୀଜୀଙ୍କ ସ୍ମୃତି ପୀଠର ମଧ୍ୟ ବିକାଶ ହେବ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ନାମ ନେଇଥିଲେ। ହେଲେ ସରକାରୀ କାର୍ଯ୍ୟକ୍ରମ ହୋଇଥିବା କାରଣରୁ ତାଙ୍କ ପରିବାରକୁ ଏଥିରୁ ଦୂରେଇ ରଖାଯାଇଥିଲା। ଏହା କିନ୍ତୁ ବିଜେଡି ଭୋଟ ରାଜନୀତି ଚର୍ଚ୍ଚା ବଢ଼ାଇ ଦେଇଛି। ବାସ୍ତବରେ ନବୀନ କାହାକୁ ଏଠାରେ ଟିକେଟ୍ ଦେବେ ସେ ନେଇ ମଧ୍ୟ କଳ୍ପନାଜଳ୍ପନା ଆଜି ପରେ ବହୁଗୁଣିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ କହିଥିଲେ, ସେ ସବୁବେଳେ ଗାଁ ର ବିକାଶ ଉପରେ ଗୁରୁତ୍ବ ଦେଇଆସିଛନ୍ତି। ମହିଳା ଓ ଚାଷୀଙ୍କ କଲ୍ୟାଣକୁ ପ୍ରାଥମିକତା ଦେଉଛନ୍ତି। କିନ୍ତୁ ଗରିବ ଲୋକଙ୍କ ମୁହଁରେ ହସ ହିଁ ତାଙ୍କୁ ସବୁଠାରୁ ଅଧିକ ସନ୍ତୋଷ ଦେଇଥାଏ।

କରୋନା ଲକ୍‌ଡ଼ାଉନ ସମୟରେ ମିସନ ଶକ୍ତି ଓ ଚାଷୀଭାଇଙ୍କ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରଶଂସା କରିଥିଲେ। ପୂର୍ବତନ ବିଧାୟକ ସ୍ୱର୍ଗତଃ ମହାରଥୀଙ୍କ ସ୍ମୃତି ଚାରଣ କରି ନବୀନ କହିଥିଲେ, ‘‘ଦୁଃଖର କଥା, ଆପଣଙ୍କର ପ୍ରିୟ ବିଧାୟକ ପ୍ରଦୀପ ବାବୁ ଆଜି ଆମ ଭିତରେ ନାହାନ୍ତି। ଗତ ୩୦ ବର୍ଷରୁ ଅଧିକ ସମୟ ଧରି ପିପିଲି-ଡେଲାଙ୍ଗର ବିକାଶ ସହ ସେ ଯୋଡି ହୋଇ ରହିଥିଲେ। ଆପଣମାନଙ୍କ ଭଲମନ୍ଦ, ସୁଖଦୁଃଖ ସବୁଥିରେ ସେ ଆପଣମାନଙ୍କ ସାଥିରେ ରହିଥିଲେ। ପିପିଲି-ଡେଲାଙ୍ଗର ବିକାଶ ପାଇଁ ସେ ସାରା ଜୀବନ କାମ କରିଯାଇଛନ୍ତି।’’

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ବିକାଶ ଉପରେ ସମସ୍ତଙ୍କର ଅଧିକାର ରହିଛି। ବିଶେଷକରି ଗରିବ ଲୋକମାନଙ୍କର ହିଁ ବିକାଶ ଉପରେ ପ୍ରଥମ ଅଧିକାର ରହିଛି। ବିକାଶର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚାଇବା ଏବଂ ସାଧାରଣ ଲୋକକୁ ତାର ହକ୍‌ ଦେବା ପାଇଁ ସେ କାମ କରୁଛନ୍ତି ଓ କରିଚାଲିବେ। ଲୋକସେବା ଭବନରୁ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ସମଗ୍ର ପୁରୀ ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ।

ଏହି ଅବସରରେ ପିପିଲି ଓ ଡେଲାଙ୍ଗ ଦୁଇଟି ସ୍ଥାନରେ ସଭାର ଆୟୋଜନ କରାଯାଇଥିଲା। ପିପିଲିଠାରେ ଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଡେଲାଙ୍ଗଠାରେ ଆୟୋଜିତ ସମାବେଶରେ ଯୋଗଦେଇ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ପୁରୀ ଜିଲ୍ଲାର ବିକାଶରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି ବୋଲି କହିଥିଲେ। ଶ୍ରୀମନ୍ଦିରର ବିକାଶ ପୁରୀ ଜିଲ୍ଲା ପାଇଁ ଆହୁରି ଅଧିକ ପର୍ଯ୍ୟଟକ ଆକୃଷ୍ଟ କରିବ ବୋଲି ସେ କହିଥିଲେ।

ଏହି ଅବସରରେ ପିପିଲିଠାରେ ୧୭୬୧ ଜଣଙ୍କୁ ରାସନ କାର୍ଡ, ୩୦୫୯ ଜଣଙ୍କୁ ଭତ୍ତା ଏବଂ ଭିନ୍ନକ୍ଷମ ମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ସେହିପରି ଡେଲାଙ୍ଗଠାରେ ୩୨୦ ଜଣଙ୍କୁ ରାସନ କାର୍ଡ, ୧୨୩୦ ଜଣଙ୍କୁ ଭତ୍ତା ଏବଂ ୨୦ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା। ପିପିଲି ବଡକଣ୍ଟି ଗ୍ରାମର ହିତାଧିକାରୀ ପ୍ରମୋଦିନୀ ମାଝୀ ଏବଂ ଡେଲାଙ୍ଗର ପ୍ରମୋଦ ଭୋଇ ହିତାଧିକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ପୁରୀ ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରୀ ସାଂସଦ ପିନାକୀ ମିଶ୍ର, ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରତାପ କେଶରୀ ଦେବ, ଉମାକାନ୍ତ ସାମନ୍ତରାୟ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିକାଶ ସମ୍ପର୍କିତ ଏକ ଭିଡିଓ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।

ସମ୍ବନ୍ଧିତ ଖବର