ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ୩୮ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ୭୧ ଏକର ଜମି ପ୍ରଦାନ କରାଯିବ। ଏ ନେଇ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଜମି ଆବଣ୍ଟନ କମିଟିରେ ନିଷ୍ପତ୍ତି ନିଆଯାଇଛି। ଏସବୁ ଶିଳ୍ପ ସଂସ୍ଥାରେ ପୁଞ୍ଜିନିବେଶ ହାର ଶତ ପ୍ରତିଶତ କରିବା ଏବଂ ଓଡ଼ିଆ ପିଲାମାନଙ୍କୁ ନିଯୁକ୍ତି ପ୍ରଦାନ ସୁନିଶ୍ଚିତ କରିବାକୁ ସେ ସେମାନଙ୍କୁ ନିର୍ଦେଶ ଦେଇଛନ୍ତି। ଶିଳ୍ପ ସଂସ୍ଥା ବିଶେଷ କରି ଖାଦ୍ୟ ପ୍ରକ୍ରିୟାକରଣ, ପୋଷାକ ପ୍ରସ୍ତୁତି, ସରଞ୍ଜାମ ଓ ଯନ୍ତ୍ରପାତି ନିର୍ମାଣ ଆଦି କ୍ଷେତ୍ରରେ ଆବଶ୍ୟକ ମାନବ ସମ୍ବଳ ଓଡ଼ିଶାରୁ ନିୟୋଜିତ କରିବାକୁ ସେହି ଶିଳ୍ପ ସଂସ୍ଥାମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଇଡ୍କୋ ମୁଖ୍ୟ ପରିଚାଳନା ନିର୍ଦେଶକ ସଂଜୟ ସିଂଙ୍କ ସୂଚନା ମୁତାବକ ଜମି ଆବଣ୍ଟନ ହେଉଥିବା ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୫୦୮ କୋଟି ୧୯ ଲକ୍ଷ ଟଙ୍କାର ନିବେଶ କରାଯିବ। ଏହି ପ୍ରକଳ୍ପଗୁଡ଼ିକୁ ଖୋର୍ଧା, ଛତାବର, ଅଁଳାପାଟଣା, ଡେରାଶ, ମଞ୍ଚେଶ୍ୱର, ରସୁଲଗଡ଼, ଅନ୍ଧାରୁଆ, ଜାଆଁଳା, ଭଗବାନପୁର ଆଦି ଶିଳ୍ପାଞ୍ଚଳରେ ପ୍ରାୟ ୭୧ ଏକର ଜମି ଆବଣ୍ଟନ କରାଯାଇଥିଲା।