ମିଳିଲାନି ଉପଯୁକ୍ତ ସ୍ୱାସ୍ଥ୍ୟସେବା, ଶେଷରେ ଆଖିବୁଜିଲା ୮ବର୍ଷର ବାଳକ ବିକାଶ ମିଣିଆକା

ଅର୍ଥ ସାଜିଥିଲା ପ୍ରତିବନ୍ଧକ, ମୃତ୍ୟୁପରେ ମିଳିଲା ସରକାରୀ ସହାୟତା

ଲକ୍ଷ୍ମୀପୁର, (ପରମେଶ୍ୱର ସାହୁ) : ଲକ୍ଷ୍ମୀପୁର ବ୍ଲକ କୁଟିଙ୍ଗା ଗ୍ରାମପଞ୍ଚାୟତର ମିନାପାଇ ଗାଁର ୮ବର୍ଷର ବାଳକ ବିକାଶ ମିଣିଆକାର ଅସ୍ୱାଭାବିକ ଭାବେ ବଢିଥିଲା ପେଟ, ପେଟ ବଢିବା ସାଙ୍ଗକୁ ଯନ୍ତ୍ରଣାରେ ଛଟ ପଟ ହେଉଥିବା ବେଳେ ଚିକିତ୍ସା ପାଇଁ ସାଜିଥିଲା ଅର୍ଥ ପ୍ରତିବନ୍ଧକ। ଗତ ପ୍ରାୟ ୬ ମାସ ହେଲା ଏପରି ସ୍ଥିତି ଉପୁଜିଥିବା ବେଳେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଲମତାପୁଟ୍‌ର ଆଶାକିରଣ ମେଡିକାଲ୍‌ ଓ ବିଶାଖାପାଟଣାରେ ଚିକିତ୍ସାରେ ସଫଳ ନହେବା ପରେ ଭଗବାନଙ୍କୁ ସାହାଭରଷା କରି ଗାଁରେ ରଖିଦେଇଥିବା ବିକାଶର ବାପା କିଛି ସହୃଦୟ ବ୍ୟକ୍ତିଙ୍କ ସହାୟତା ଦ୍ୱାରା ଗତକାଲି କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ୍‌ରେ ଭର୍ତି କରାଇଥିଲେ। କୋରାପୁଟରେ ଏହି ପେଟ ଫୁଲା ରୋଗ ସକାଶେ କଟକ ବଡ ଡାକ୍ତରଖାନାଙ୍କୁ ନିଆଯିବା ସକାଶେ ଡାକ୍ତର ପରାମର୍ଶ ଦେଇଥିଲେ ,କିନ୍ତୁ କଟକ ଯିବା ପୁର୍ବରୁ କୋରାପୁଟରେ ଚିକିତ୍ସାଧିନ ଅବସ୍ଥାରେ ରବିବାର ପାହାନ୍ତିଆରେ ବିକାଶର ମୃତ୍ୟୁ ହୋଇଛି।

ସୂଚନା ମୁତାବକ ଗତ ୩ମାସ ତଳେ ଡାକ୍ତରଙ୍କ ପରାମର୍ଶ କରି ବିକାଶର ବାପା ବାଷ୍ଟ ମିଣିଆକା ଗାଁରେ ଧାର ଉଧାର କରି ବିଶାଖାପାଟଣାରେ ପୁଅର ଚିକିତ୍ସା ପାଇଁ ଭର୍ତ୍ତି କରିଥିଲ। ସେଠାରେ ପ୍ରାୟ ୫ଦିନ ରହିଲେ, ଡାକ୍ତର ଜଣକ ରକ୍ତ ନମୁନା ପଠାଯାଇଛି ପରୀକ୍ଷା କରାଯିବା ସକାଶେ, ଆହୁରି ୫ଦିନ ଲାଗିବ କହିବା ପରେ ଟଙ୍କା ସମାପ୍ତ ହୋଇଯିବା କାରଣରୁ ରକ୍ତ ନମୁନାର ପରୀକ୍ଷା ରିପୋର୍ଟ ଆସିବା ପୁର୍ବରୁ ବିଶାଖା ପାଟଣା ଛାଡି ନିଜ ଗାଁକୁ ଚାଲି ଆସିଥିଲ। ବିଶାଖାପାଟଣାରୁ ଫେରି ୩ ମାସ ଘରେ ରହିବା ପରେ ଭଗବାନଙ୍କ ଭରଷାରେ ରହିଯାଇଥିବା ବେଳେ କିଛି ସହୃଦୟ ବ୍ୟକ୍ତି ଏଖବର ପାଇ ଶନିବାର ପୁଣି ୧୦୮ ଆମ୍ବୁଲାନ୍‌ସ ଯୋଗେ କୋରାପୁଟ ଏସଏଲିଏନ୍‌ ମେଡିକାଲ୍‌ କଲେଜରେ ଭର୍ତି କରିଥିଲ। ଗରିବ ଆଦିବାସୀ ପରିବାରର ବାଷ୍ଟ ମିଣିଆକା ସର୍ବସ୍ୱାନ୍ତ ହୋଇ ପୁଅର ଚିକିତ୍ସା କରିପାରିନଥିବା ବେଳେ ଖବର ପାଇ କୋରାପୁଟର ପୁର୍ବତନ ଅତିରିକ୍ତ ଜିଲ୍ଲାପାଳ ଆଲୋକ ଚନ୍ଦ୍ର ଅନୁଗୁଳିଆ ଡାକ୍ତରଖାନାରେ ପହଞ୍ଚି ବିକାଶର ସ୍ଥିତି ପରଖିବା ସହ ଜିଲ୍ଲା ଜରୁରିକାଳୀନ ଅଧିକାରୀଙ୍କୁ ତୁରନ୍ତ କଟକ ପଠାଇବାର ବ୍ୟବସ୍ଥା କରିବା ସକାଶେ କହିଥିଲେ, କିନ୍ତୁ ରବିବାର କଟକ ଯିବା ପୁର୍ବରୁ ବିକାଶର ମୃତ୍ୟୁ ଖବର ଶ୍ରୀ ଅନୁଗୁଳିଆ ସକାଳୁ ସକାଳୁ ଜାଣିବା ପରେ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ପହଞ୍ଚି ଦୁଃଖ କରିବା ସହ ରେଡ୍‌ କ୍ରସ ପାଣ୍ଠିରୁ ୫ହଜାର ଟଙ୍କା ଜରୁରୀକାଳୀନ ଅଧିକାରୀଙ୍କ ଉପସ୍ଥିତିରେ ପ୍ରଦାନ କରିବା ସହ ତାଙ୍କ ଗାଁ ମିନାପାଇକୁ ବିକାଶର ଶବ ଆଣିବା ସକାଶେ ଆମ୍ବୁଲାନ୍‌ସର ବ୍ୟବସ୍ଥା କରିଦେଇଥିଲ। ଅନ୍ୟପକ୍ଷରେ ବିକାଶର ଶବ ଅଣାଯିବା ପରେ କୁଟିଙ୍ଗା ସରପଞ୍ଚ ନିରୁପମା ୱାଡେକା ମଧ୍ୟ ମିନାପାଇ ଗାଁରେ ପହଞ୍ଚି ପରିଶ୍ଚନ୍ଦ୍ର ଯୋଜନାର ୨ହଜାର ଟଙ୍କା ପ୍ରଦାନ କରିଥିଲ।

ଜଣେ ଗରିବ ଆଦିବାସୀ ପରିବାରର ବାଳକକୁ ରୋଗଶଯ୍ୟାରେ ଥିବା ସମୟରେ ସରକାରୀ ସହାୟତା ମିଳିଥିଲେ ହୁଏତ ସେ ମୃତ୍ୟୁ ମୁଖରୁ ବଞ୍ଚିଯାଇ ପାରିଥାନ୍ତି, କିନ୍ତୁ ସେତେବେଳେ କୌଣସି ସରକାରୀ ସହାୟତା ନମିଳିବା ଏକ ଦୁଃଖଦ ଖବର ହୋଇଥିବା ବେଳେ ମୃତ୍ୟୁ ପରେ ସହାୟତା ରାଶି ପ୍ରଶାସନ ତରଫରୁ ଯୋଗାଇଦେବା କେତେଦୂର ଯଥାର୍ଥ ବୋଲି ଏଠାରେ ଆଲୋଚନା ହୋଇଥିଲା। ସରକାରଙ୍କ ସିଏମ୍‌ଆର୍‌ଏଫ, ଓଏସ୍‌ଟିଏଫ ଓ ଆରବିଏସକେ ଭଳି ସମସ୍ତ ଯୋଜନା ରହିଥିବା ବେଳେ ଏହି ବାଳକ କାହିଁକି ଏସବୁ ଯୋଜନାରେ ସାମିଲ୍‌ କରାଯାଇ ପାରିଲା ନାହିଁ ତାହା ମଧ୍ୟ ଏବେ ସବୁଠାରୁ ବଡ ପ୍ରଶ୍ନବାଚି ସୃଷ୍ଠି ହୋଇଛି। ଅନ୍ୟ ପକ୍ଷରେ ଗୋଟିଏ ପୁଅ, ଗୋଟିଏ ଝିଅ ଓ ପତ୍ନିଙ୍କୁ ନେଇ ସୁଖ ସଂସାର ବିତାଉଥିବା ବାଷ୍ଟ ମିଣିଆକା ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର