ଓଟିଇଟି ପରୀକ୍ଷାର ଉତ୍ତରପତ୍ର ୫ ହଜାରରେ ବିକ୍ରି ଘଟଣା: ଡିଇଓ କହିଲେ- ୯ ଜଣ କପି କରୁଥିବା ବେଳେ ଧରାପଡିଲେ

ବାହାରେ କଣ ହୋଇଛି ଆମକୁ ଜଣା ନାହିଁ: ଡିଇଓ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତକାଲି ଥିବା ପ୍ରାଥମିକ ଶିକ୍ଷକମାନଙ୍କ ପ୍ରବେଶିକା ପରୀକ୍ଷା(ଓଟିଇଟି)। ଏହି ପରୀକ୍ଷା ପୂର୍ବରୁ ବାହାରେ ପ୍ରଶ୍ନର ଉତ୍ତର ପତ୍ର ୫ ହଜାର ଟଂକାରେ ବିକ୍ରି ହେଉଥିବା ନେଇ ଚର୍ଚା ଆରମ୍ଭ ହୋଇଥିଲା। ମୋବାଇଲରୁ ମୋବାଇଲ ଉତ୍ତର ପତ୍ରଗୁଡିକ ଘୁରି ବୁଲିଲା। ତେବେ ମାଲକାନଗିରି ସଦର ମହକୁମାର ତିନୋଟି ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଏହି ପରୀକ୍ଷା କେନ୍ଦ୍ରରେ କପି କରୁଥିବା ବେଳେ ୯ ଜଣ ଶିକ୍ଷକ ଧରାପଡିଥିବା ନେଇ ଆଜି ଜିଲ୍ଲା ଶିକ୍ଷାଧିକାରୀ ମାନସ ଜେନା କହିଛନ୍ତି। ସେମାନଙ୍କ ବିରୋଧରେ ଉତ୍ତ କର୍ତ୍ତୃପକ୍ଷଙ୍କୁ ଚିଠି ପ୍ରେରଣ କରାଯାଇଥିବା ସେ କହିଥିଲେ।

ତେବେ ଏଥିରୁ ଅନୁମାନ ହେଉଛି ଯେ ପରୀକ୍ଷା କେନ୍ଦ୍ରରେ କପି ହେଉଥିଲା। ଯେଉଁ ଉତ୍ତର ପତ୍ରଗୁଡିକ ବାହାରେ ବିକ୍ରି ହେଉଥିଲା ଶିକ୍ଷକମାନେ ତାକୁ ଖରିଦକରି ତାକୁ ପରୀକ୍ଷା କେନ୍ଦ୍ରକୁ ନେଇ କପି କରୁଥିଲେ। ତେବେ କିନ୍ତୁ ଏଭଳି ବିଭ୍ରାଟ ପରୀକ୍ଷା କେନ୍ଦ୍ରରେ ହୋଇନଥିବା ନେଇ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି। ବାହାରେ କଣ ହୋଇଛି ଆମେ ଜାଣିନାହୁଁ। କିନ୍ତୁ ଭିତରେ କୌଣସି ଉତ୍ତର ପତ୍ର ଶିକ୍ଷକମାନେ ଆଣିନଥିବା କହିଥିଲେ।  ଶିକ୍ଷା ବିଭାଗ ଜାଣି ଶୁଣି ଲୁଚାଉଛି କି ବୋଲି ସାଧାରଣରେ ଏବେ ପ୍ରଶ୍ନ କରାଯାଇଛି।

ଲକ୍ଷାଧିକ ଟଂକା ଏହି ପରୀକ୍ଷାରେ କମାଣି ହୋଇଥିବା ଆଲୋଚନା ଜୋର ଧରିଛି। ଏହି ଟଂକାକୁ କିଏକିଏ  ଭାଗରେ ମିଶିଛନ୍ତି ସେନେଇ ତଦନ୍ତ ହେଲେ ସବୁ ପଦାକୁ ଆସିବ ବୋଲି କୁହାଯାଇଛି। ପ୍ରକାଶ ଥାଉକି ଏହି ଜିଲ୍ଲା ସଦର ମହକୁମାର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ମୋଟ ୭୪୨ ଜଣ ଶିକ୍ଷକ ଏହି ପରୀକ୍ଷା ଦେଇଥିଲେ।ସେହିପରି ବିଏଡ ଶିକ୍ଷକମାନଙ୍କ ପାଇଁ  ପରୀକ୍ଷା  ମଧ୍ୟ ବାଳିକା ଉଚ୍ଚ ବିଦ୍ୟାଳୟରେ ହୋଇଥିଲା।୧୩୫ ଜଣ ଶିକ୍ଷକକ ଏହି ପରୀକ୍ଷା ଦେଇଥିଲେ।

ତେବେ ଯେଉଁ ଶିକ୍ଷକମାନେ ଉତ୍ତର ପତ୍ର ପାଇପାରିନାହାନ୍ତି ସେମାନେ ନିଜ ମନରୁ ପରୀକ୍ଷା ଦେଇଛନ୍ତି। ଯଦି ଯେଉଁ ଶିକ୍ଷକମାନେ କପି କରି ପାସ ହୋଇଯିବେ ଏବଂ ଅନ୍ୟମାନେ ପରୀକ୍ଷାରେ ଫେଲ ହୋଇଯିବେ ତେବେ ଏହା ଅନ୍ୟାୟ ବୋଲି କିଛି ଶିକ୍ଷକ ପ୍ରକାଶ କରିଛନ୍ତି। ଶିକ୍ଷା ବିଭାଗ ଏହାକୁ ଗୁରୁତ୍ବର ସହ ନେବା ଦରକାର ବୋଲି ଦାବି ହୋଇଛି। କିନ୍ତୁ ଜିଲ୍ଲା ଶିକ୍ଷା ଅଧିକାରୀ ଏହାକୁ ଖାମଖିଆଲି ଭାବେ ନେଇ ପରୀକ୍ଷାରେ କୌଣସି ବିଭ୍ରାଟ ହୋଇନଥିବା ଏବଂ ଏହି ଉତ୍ତର ପତ୍ର ବିଷୟରେ କିଛି ଜାଣିନଥିବା ନେଇ ଦୃଢକ୍ତି ପ୍ରକାଶ କରୁଛନ୍ତି। ଯଦି ଉଚିତ ତଦନ୍ତ ହେବ ତେବେ ସବୁ ଦୁର୍ନୀତିର ପ୍ରଦାଫାସ ହେବ ବୋଲି କୁହାଯାଇଛି। ତେବେ କିଏ ଏହି ଦୁର୍ନୀତିର ମୁଖ୍ୟ ଖଳନାୟକ ତାହା ପର୍ଦାଫାସ ହେବା ଦରକାର ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି।

ସମ୍ବନ୍ଧିତ ଖବର