ରାୟଗଡ଼ାରେ ଗଞ୍ଜେଇ ଚୋରା ଚାଲାଣର ଖୋଳତାଡ଼, ଜଣେ ଗିରଫ

ରାୟଗଡ଼ା: ଗଞ୍ଜେଇ ଚୋରା ଚାଲାଣ ମାମଲାର ଖିଅ ଖୋଜିବାକୁ ରାୟଗଡ଼ାରେ ପହଞ୍ଚିଛି ରାଞ୍ଚିସ୍ଥିତ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଟିମ୍ । ୮ ଜଣିଆ ଟିମ୍ ରାୟଗଡ଼ା ପୌର ପରିଷଦର ଗୁରୁମୁଗୁଡାସ୍ଥିତ ପ୍ରସିଦ୍ଧ କୁମାର ପାଣିଙ୍କ ଘରେ ଚଢ଼ଉ କରି ପ୍ରସିଦ୍ଧଙ୍କୁ ଗିରଫ କରିବା ସହ ବ୍ୟାଙ୍କ ପାସ୍ ବୁକ୍ ଓ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ଜବତ କରିଛନ୍ତି। ପ୍ରସିଦ୍ଧଙ୍କୁ ଆଜି ଅପରାହ୍ନରେ ରାୟଗଡ଼ା କୋର୍ଟରେ ହାଜର କରିବା ପରେ ଟିମ୍ ଅଧିକ ତଦନ୍ତ ଜାରି ରଖିଛି।

ଗତ ଜୁଲାଇ ୧୪ ତାରିଖରେ ନାରକୋଟିକ୍ସ୍ ଟିମ୍ ରାଞ୍ଜିରେ ଗଞ୍ଜେଇ ଭର୍ତ୍ତି ଦୁଇଟି ପିକଅପ୍ ଭ୍ୟାନକୁ କାବୁ କରିଥିଲା। ଦୁଇ ଭ୍ୟାନରୁ ୨୨୫ କେଜି ଗଞ୍ଜେଇ ଜବତ କରିବା ସହ ଟିମ୍ ୯ ଜଣଙ୍କୁ ଗିରଫ କରିଥିଲା। ଗିରଫ ୯ ଜଣଙ୍କ ନିକଟରୁ ଗଞ୍ଜେଇ ଚୋରା ଚାଲାଣର ସବିଶେଷ ତଥ୍ୟ ହାସଲ କରିବା ପରେ ଉକ୍ତ ଗଞ୍ଜେଇ ରାୟଗଡ଼ାରୁ ଯାଇଥିବା ନେଇ ଟିମ୍ ଜାଣିବାକୁ ପାଇଥିଲା। ଗଞ୍ଜେଇ ଚୋରା ଚାଲାଣରେ ଗିରଫ ପ୍ରସିଦ୍ଧଙ୍କ ଲିଙ୍କ୍ ଥିବାରୁ ରାଞ୍ଚି ଓ ଭୁବନେଶ୍ବର ନାରକୋଟିକ୍ସ୍ ସବ୍ ଜୋନ୍ ଅଫିସରୁ ୮ ଜଣିଆ ଟିମ୍ ରାୟଗଡ଼ା ଅଭିମୁଖେ ବାହାରି ଗତକାଲି ରାତିରେ ପହଞ୍ଚିଥିଲେ। ଆଜି ସକାଳୁ ଟିମ୍ ରାୟଗଡ଼ା ପୁଲିସ୍ ସହାୟତାରେ ପ୍ରସିଦ୍ଧଙ୍କ ଘରେ ଚଢ଼ଉ କରି ପ୍ରସିଦ୍ଧଙ୍କୁ ଗିରଫ କରିବା ସହ ଯାଞ୍ଚ କରିଥିଲେ। ଘରୁ କୌଣସି ସାମଗ୍ରୀ ଜବତ ହୋଇନଥିବା ବେଳେ ବ୍ୟାଙ୍କ ପାସ୍ ବୁକ୍ ସମେତ କିଛି କାଗଜପତ୍ର ଜବତ ହୋଇଥିବା ଟିମ୍ ମୁଖ୍ୟ ତଥା ଭିଜିଲାନସ୍ ଅଫିସର୍ ଏସ୍. କେ. ମିଶ୍ର ସୂଚନା ଦେଇଛନ୍ତି। ପ୍ରସିଦ୍ଧଙ୍କୁ କୋର୍ଟରେ ହାଜର ପରେ ରିମାଣ୍ଡରେ ରାଞ୍ଚି ଅଭିମୁଖେ ନେଇଛି ଟିମ୍। ରାଞ୍ଚି ନାରକୋଟିକ୍ସ୍ ସ୍ବତନ୍ତ୍ର କୋର୍ଟରେ ଏହି ମାମଲାର ବିଚାର ଚାଲିବ ବୋଲି ଜଣା ପଡ଼ିଛି।

ସମ୍ବନ୍ଧିତ ଖବର