ଭଦ୍ରକରୁ ଅପହୃତ ଯୁବତୀ ପାଣିକୋଇଲିରୁ ଉଦ୍ଧାର

ଅପହରଣକାରୀ ଓ କାର୍‌ ଚାଳକ ଅଟକ, ଅନ୍ୟତ୍ର ବିବାହ ଠିକ୍‌ ହେବା ଜାଣି ଉଠାଇ ନେଉଥିଲେ

ପାଣିକୋଇଲି : ଆଜି ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବ୍ରଜନଗର ନିକଟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୋଟିଏ କାର୍ ରାସ୍ତାରେ ଯାଉଥିବା ବେଳେ ଭିତରୁ ଜଣେ ଯୁବତୀ ‘ମୋତେ ବଞ୍ଚାଅ.. ବଞ୍ଚାଅ’ ବୋଲି ଚିତ୍କାର କରୁଥିଲେ। ସେହି ସମୟରେ ପଛରୁ ଆସୁଥିବା ଏକ କାର୍‌ ଆଡ଼ା ପକାଇ ସେହି କାର୍‌କୁ ଅଟକାଇଥିଲା। ସେଠାରେ ସ୍ଥାନୀୟ ଲୋକେ ଓ ପଥଚାରୀମାନେ ରୁଣ୍ତ ହୋଇଯାଇଥିଲେ। କାର୍‌ ଭିତରେ ଥିଲେ ଜଣେ ଯୁବତୀ ଓ ଜଣେ ଯୁବକଙ୍କ ସହ କାର୍‌ ଚାଳକ। ତାଙ୍କୁ ଯୁବକଜଣକ ଜୋରଜବରଦସ୍ତ ଅପହରଣ କରିଥିବା ଯୁବତୀ ଅଭିଯୋଗ କରିଥିଲେ। ଖବର ପାଇ ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍‌ ସହ ଯୁବକଯୁବତୀ ଓ କାର୍‌ ଚାଳକଙ୍କୁ ଥାନାକୁ ଆଣିଥିଲା।

ସୂଚନା ମୁତାବକ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିରିଗଡ଼ିଆ ଅଞ୍ଚଳର ଜଣେ ଯୁବତୀ(୨୩)ଙ୍କ ସହ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ବାବନପୁର ଗ୍ରାମର ବିଜୟ ସ୍ବାଇଁଙ୍କ ପୁଅ ପ୍ରୀତିପ୍ରବଣ(୨୪)ଙ୍କ ସହ ପ୍ରେମସମ୍ପର୍କ ଥିଲା। ପ୍ରୀତିପ୍ରବଣଙ୍କ ମାମୁ ଚରମ୍ପାରେ ବିଦ୍ୟୁତ୍‌‌‌ ବିଭାଗରେ ଯନ୍ତ୍ରୀ ଅଛନ୍ତି। ସେ ସମ୍ପୃକ୍ତ ଯୁବତୀଙ୍କ ଘର ପାଖରେ ରହୁଛନ୍ତି। ମାମୁଙ୍କ ପାଖକୁ ଯିବାଆସିବା କରିବା ମଧ୍ୟରେ ପ୍ରୀତିପ୍ରଣବ ଓ ସମ୍ପୃକ୍ତ ଯୁବତୀଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏବେ ଯୁବତୀଙ୍କର ଅନ୍ୟତ୍ର ବିବାହ ସ୍ଥିର ହୋଇଛି। ଏହା ଜାଣିବା ପରେ ପ୍ରୀତିପ୍ରଣବ ଯୁବତୀଙ୍କୁ ଉଠାଇ ନେବାକୁ ଯୋଜନା କରିଥିଲା। ଆଜି କାର୍‌ (ଓଡି ୦୨ ବିବି ୦୯୨୪) ରେ ପ୍ରୀତିପ୍ରବଣ ବିରିଗଡ଼ିଆ ଛକରେ ପହଞ୍ଚି ଯୁବତୀଙ୍କୁ ଡକାଇଥିଲା। ସେଠାରେ ପହଞ୍ଚିବା କ୍ଷଣି ଯୁବତୀଙ୍କୁ ଜବରଦସ୍ତ କାର ଭିତରକୁ ଟେକିନେଇ ଦ୍ରୁତଗତିରେ ପଳାଉଥିଲା।

ବ୍ରଜନଗରଠାରେ ଯୁବତୀଜଣକ କାର୍‌ର କାଚ ଖୋଲି ଲୋକମାନଙ୍କୁ ଉଦ୍ଧାର କରିବାକୁ ଡାକ ପକାଇଥିଲେ। ଏହା ଶୁଣିବା ପରେ ପଛରେ ଯାଉଥିବା ଏକ କାର୍‌ ଆଗକୁ ଯାଇ ଆଡ଼ା ପକାଇଥିଲା। ପୁଲିସ ଉଭୟଙ୍କୁ ଥାନାକୁ ନେବା ସହ କାର୍‌ ଚାଳକ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ପାରିପଦା ଗ୍ରାମର ଦେବଦତ୍ତ ବେଉରିଆକୁ ମଧ୍ୟ ଅଟକ ରଖିଛି। ଯୁବତୀଙ୍କଠାରୁ ଶୁଣିବା ପରେ ପାଣିକୋଇଲି ଥାନାଧିକାରୀ ଚକ୍ରପତି କହଁର ଭଦ୍ରକ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କ ସହିତ ଯୋଗାଯୋଗ କରିଥିଲେ। ପରେ ଯୁବତୀଙ୍କ ବାପାଙ୍କୁ ଧରି ଭଦ୍ରକ ପୁଲିସ ପାଣିକୋଇଲି ଥାନାରେ ପହଞ୍ଚିଥିଲା। ସମ୍ପୃକ୍ତ ଯୁବତୀ, ଅପହରଣକାରୀ ଓ କାର ଚାଳକଙ୍କୁ ଭଦ୍ରକ ଥାନାକୁ ସ୍ଥାନାନ୍ତର କରାଯାଇଛି ବୋଲି ପାଣିକୋଇଲି ଥାନାଧିକାରୀ ଶ୍ରୀ କହଁର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର