ରାଜଧାନୀରେ ଅଭୟଚାନ୍ଦପୁର ହାଜତ ମୃତ୍ୟୁର ପ୍ରତିବାଦ

ଜଗତସିଂହପୁର ଏସ୍‌ପି, ଥାନା ଅଧିକାରୀଙ୍କୁ ନିଲମ୍ବନ କରାଯାଉ

ଭୁବନେଶ୍ବର : ପାରାଦୀପ ଅଭୟଚାନ୍ଦପୁର ହାଜତ ମୃତ୍ୟୁ ଘଟଣା‌‌ର ପ୍ରତିବାଦ କରି ସୋମବାର ଦିନ ରାଜଧାନୀର ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଘଟଣା‌ରେ ଅଭୟଚାନ୍ଦପୁର ଥାନା ଅଧିକାରୀ ଓ ଜଗତ୍‌ସିଂହପୁର ଏସ୍‌ପିଙ୍କୁ ତୁରନ୍ତ ନିଲମ୍ବନ କରାଯାଉ ବୋଲି ବିକ୍ଷୋଭକାରୀମାନେ ଦାବି କରିଛନ୍ତି। ପୁଲିସର ଏପରି କାର୍ଯ୍ୟ ଉଭୟ ସମ୍ବିଧାନ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ହନନ।

ଅଭୟଚାନ୍ଦପୁର ଥାନା ଅଧିକାରୀ ଜୀବନାନନ୍ଦ ଜେନା ପୂର୍ବରୁ ପୁରୀ ଜିଲ୍ଲାର ବାସେଳିସାହା ଥାନାରେ ଥାନା ଅଧିକାରୀ ଥିଲେ। ସେ ସମୟରେ କେ.ରମେଶ ନାମକ ଜଣେ ବ୍ୟକ୍ତିଙ୍କ ହାଜତ ମୃତ୍ୟୁ ହୋଇଥିଲା। ସେତେବେଳେ ପୁଲିସ ମୃତଦେହକୁ ହସ୍ତାନ୍ତର ନ କରି ତରବରିଆ ଭାବେ ପୋଡ଼ି ଦେଇଥିଲା। ଏବେ ବି ସେୟା କରାଯାଇଛି। ତେଣୁ ଥାନାଧିକାରୀ ଶ୍ରୀ ଜେନାଙ୍କ ବିରୋଧରେ ଧାରା-୩୦୨ରେ ମାମଲା ରୁଜୁ, ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଉ ବୋଲି ବିକ୍ଷୋଭକାରୀମାନେ ଦାବି କରିଥିଲେ।

ଏହି ବିକ୍ଷୋଭରେ ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ଅଖିଳ ଭାରତ ଜନମଞ୍ଚ, ଫରୱାର୍ଡ ବ୍ଲକ, ଜନ ଅଧିକାର ମଞ୍ଚ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଇନସାଫ, ସିପିଏମ, ସିପିଆଇ, ସିପିଆଇ(ଏମ.ଏଲ),ସିପିଆଇ(ଏମ.ଏଲ)-ଲିବରେସନ୍,ସିପିଆଇ(ଏମ.ଏଲ)-ରେଡ୍ ଷ୍ଟାର୍, ସମାଜବାଦୀ ପାର୍ଟି, ପିୟୁସିଏଲ୍, ପିୟୁଡିଆର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର