ଦୁର୍ଘଟଣାରେ ଦୁଇ ଛାତ୍ରଙ୍କ ସମେତ ୩ ମୃତ

ଉତ୍ତ୍ୟକ୍ତ ଲୋକ ଠିକାଦାର କ୍ୟାମ୍ପ୍‌ ପୋଡ଼ିଦେଲେ

ଘେଁସ: ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ପେଟୁପାଲି ନିକଟରେ ମଙ୍ଗଳବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଜେସିବି ଧକ୍କାରେ ବାଇକ୍‌ ଆରୋହୀ ଦୁଇ ଜଣ ହାଇସ୍କୁଲ ଛାତ୍ରଙ୍କ ସହ ୩ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ସଂପୃକ୍ତ ଜେସିବି ଓ ନିକଟରେ ଥିବା ଠିକାଦାର କ୍ୟାମ୍ପ୍‌କୁ ପୋଡ଼ି ଦେଇଥିଲେ। ମୃତକମାନେ ହେଲେ ଡଙ୍ଗରକେର୍ମେଲି ଗାଁର ଦେବେନ୍ଦ୍ର ପଧାନଙ୍କ ପୁଅ ସରୋଜ ପଧାନ (୨୭), ସୋହେଲା ଥାନା ଛୁରିଆପାଲି ଗାଁର ରାଜେନ୍ଦ୍ର କୁମ୍ଭାରଙ୍କ ପୁଅ ଆକାଶ କୁମ୍ଭାର (୧୪) ଓ ମହେନ୍ଦ୍ର ଭୋଇଙ୍କ ପୁଅ କସ୍ତୁଭ ଭୋଇ (୧୪)। ପ୍ରାପ୍ତ ସୂଚନାନୁସାରେ, ଆକାଶ ଓ କସ୍ତୁଭ ଛୁରିଆପାଲି ହାଇସ୍କୁଲର ୯ମ ଶ୍ରେଣୀ ଛାତ୍ର ହୋଇଥିବା ବେଳେ ସେମାନେ ଘେଁସରେ ଏକ କୋଚିଂ ସେଣ୍ଟର୍‌ରେ କୋଚିଂ ନେଉଥିଲେ। ସବୁଦିନ ଭଳି ମଙ୍ଗଳବାର ଦୁହେଁ ସାଙ୍ଗ ହୋଇ କୋଚିଂକୁ ଆସିଥିଲେ। ଏଠାରୁ ସକାଳ ୯ଟାରେ ଘରକୁ ଫେରିବାକୁ ବାହାରିଥିଲେ। ସେମାନେ ଘେଁସ୍‌ ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ସରୋଜ ଏକ ବାଇକ୍‌ (ଓଆର୍‌ ୧୭ଏଚ୍‌-୮୦୪୮)ରେ ଏକୁଟିଆ ଯାଉଥିବା ଦେଖି ଉଭୟେ ତାଙ୍କୁ ଲିଫ୍‌ଟ ମାଗିଥିଲେ। ସରୋଜ ଉଭୟଙ୍କୁ ଗାଡ଼ିରେ ବସାଇ ଯାଉଥିବା ବେଳେ ପେଟୁପାଲି ନିକଟରେ ବିଜୁ ଏକ୍ସପ୍ରେସ୍‌ େଓ୍ଵ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଏକ ଜେସିବି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଜେସିବି ସମେତ ନିକଟରେ ଥିବା ଠିକାଦାର କ୍ୟାମ୍ପ୍‌ରେ ନିଆଁ ଲଗାଇଦେଇଥିଲେ।

ସମ୍ବନ୍ଧିତ ଖବର