ମଧ୍ୟାହ୍ନଭୋଜନ ଅର୍ଥ ପ୍ରଦାନରେ ଆକାଉଣ୍ଟ ବାଧକ: ବଣ୍ଟା ହୋଇପାରୁନି ୧୧.୬୨ ଲକ୍ଷ ଟଙ୍କା

୧୫ ହଜାର ଛାତ୍ରଛାତ୍ରୀଙ୍କ ଜମାଖାତା ନାହିଁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଅର୍ଥ ପ୍ରଦାନରେ ବ୍ୟାଙ୍କ ଆକାଉଣ୍ଟ ସାଜିଛି ବାଧକ। ଜିଲ୍ଲାର ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀଙ୍କର ଆକାଉଣ୍ଟ ନଥିବାରୁ ଅର୍ଥ ଯାଇପାରୁନାହିଁ। ଅକଳରେ ପଡ଼ିଛି ଜିଲ୍ଲା ଶିକ୍ଷା ବିଭାଗ। ଏହାର କୌଣସି ସମାଧାନର ପନ୍ଥା ଏଯାଏଁ ବାହାରି ପାରିନାହିଁ।

କରୋନା ପାଇଁ ମାର୍ଚ୍ଚରୁ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଘରେ ଚାଉଳ ଏବଂ ରୋଷେଇ ଖର୍ଚ୍ଚ ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଆଜିଯାଏ କେନ୍ଦୁଝର ଜିଲ୍ଲାରେ ତାହା ସମ୍ଭବ ହୋଇପାରିନାହିଁ। ଜିଲ୍ଲାର ୧୩ଟି ବ୍ଲକରେ ରହିଛି ୨୬୭୩ ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ୨୬୭୩ ଟି ବିଦ୍ୟାଳୟର ମୋଟ ୧ଲକ୍ଷ ୯୯ ହଜାର ୭୪୬ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ମାର୍ଚ୍ଚ ୧୬ ତାରିଖରୁ ଜୁନ୍‌ ୧୩ ତାରିଖ ପର୍ଯ୍ୟନ୍ତ ମୋଟ ୯୦ ଦିନର ଖାଇବା ଖର୍ଚ୍ଚ ପ୍ରଦାନ କରାଯିବ। ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ୪୭୯.୯୬ ଟଙ୍କା ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରଛାତ୍ରୀଙ୍କ ପାଇଁ ୭୧୭.୧୬ ଟଙ୍କା ପ୍ରଦାନ କରାଯିବାକୁ ସ୍ଥିର ହୋଇଛି। ମୋଟ ୧ଲକ୍ଷ ୯୯ ହଜାର ୭୪୬ ଛାତ୍ରଛାତ୍ରୀଙ୍କ ପାଇଁ ୧୧ କୋଟି ୨୭ ଲକ୍ଷ ୬୨ହଜାର ୯୯୯ ଟଙ୍କା ପ୍ରଦାନ କରାଯିବ। କିନ୍ତୁ ଛାତ୍ରଛାତ୍ରୀଙ୍କୁ ଏହି ରୋଷେଇ ଖର୍ଚ୍ଚ ପ୍ରଦାନରେ ବାଧକ ସାଜିଛି ଆକାଉଣ୍ଟ। କାରଣ ଅଦ୍ୟାବଧି ୧୫ ହଜାର ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟ ନ ଥିବା ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ଗତ ଦୁଇ ମାସ ଧରି ବ୍ଲକ ଶିକ୍ଷା ଅଧିକାରୀଙ୍କ ଜରିଆରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଆକାଉଣ୍ଟ ନମ୍ବର ସଂଗ୍ରହ କାର୍ଯ୍ୟ ଜାରି ରହିଛି। ତେବେ ଅଦ୍ୟାବଧି ୧୫ ହଜାର ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମିଳୁ ନ ଥିବାରରୁ ଅର୍ଥ ପ୍ରଦାନରେ ବାଧକ ସାଜିଛି।

ବର୍ତ୍ତମାନ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବାବଦରେ ଆବଶ୍ୟକ ହେଉଥିବା ୧୧ କୋଟି ୨୭ ଲକ୍ଷ ୬୨ହଜାର ୯୯୯ ଟଙ୍କା ଆକାଉଣ୍ଟରେ ଗଚ୍ଛିତ ଥିଲେ ବି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟ ନମ୍ବର ନ ଥିବାରୁ ତାହା ଦିଆଯାଇପାରୁ ନାହିଁ। ତେବେ ୧୫ ହଜାର ପିଲାଙ୍କ ପାଇଁ ଅବଶିଷ୍ଟ ପିଲା କାହିଁକି ଅର୍ଥ ପାଇବାରୁ ବଞ୍ଚିତ ହେଉଛନ୍ତି, ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର