ଶିଳ୍ପୀ ନାରାୟଣ ମହାରଣାଙ୍କ ଦେହାନ୍ତ

ପୁରୀ: ପୁରୀର ସ୍ବନାମଧନ୍ୟ ଶିଳ୍ପୀ କଳାମଣି ନାରାୟଣ ମହାରଣା ଆଉ ନାହାନ୍ତି। ତାଙ୍କ ଦେହାନ୍ତ ଖବର ପ୍ରଚାର ହେବାପରେ ଶୁଭେଚ୍ଛୁମାନେ ତାଙ୍କ ବାଲିସାହି ଶ୍ୟାମାକାଳୀ ଲେନ୍‌ସ୍ଥିତ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା।

ସ୍ବର୍ଗତ ମହାରଣା ଜଣେ ନିଖୁଣ ଶିଳ୍ପୀ ଭାବେ ପୁରୀରେ ଜଣାଶୁଣା ଥିଲେ। ସେ ଦୀର୍ଘ ୩୦ ବର୍ଷ କାଳ କାକୁଡ଼ିଖାଇ, ଭୋଗ ଜାଗା ଓ ଚକ୍ରକୋଟ ଗୋସାଣୀଙ୍କୁ ରୂପ ଦେଉଥିଲେ। ସେହିପରି ସେ ଯଦିଓ ରଥ ନିର୍ମାଣ ସେବାୟତ ନୁହନ୍ତି, ‌ତେବେ ସେ ସର୍ବଦା ତିନି ରଥକୁ ରଙ୍ଗ ଦେଇ ସୁସଜ୍ଜିତ କରିଥାନ୍ତି। ସେ ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିଲେ। ଏହାସହ ସେ ‘ଅଭିନନ୍ଦନିକା’ ପକ୍ଷରୁ ଶ୍ରେଷ୍ଠ ଶିଳ୍ପୀ ଭାବେ ସମ୍ମାନୀତ ହେବା ସହ ଅନେକ ସମ୍ମାନର ଅଧିକାରୀ ହୋଇଥିଲେ। ସେ ଓଡ଼ିଶା ଚାରୁକଳା ମହାବିଦ୍ୟାଳୟର ସଦସ୍ୟ ମଧ୍ୟ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ଲୋକ ତାଙ୍କ ବାସଭବନରେ ପହଞ୍ଚି ପରିବାର ଲୋକଙ୍କୁ ଆଶ୍ବାସନା ଦେଇଥିଲେ। ସେ ଦୀର୍ଘ ଏକ ବର୍ଷ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ। ଆଜି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ।

ଅନ୍ତିମ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ, ଦୁଇ ଝିଅ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଆଜି ରାତିରେ ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ସ୍ବର୍ଗଦ୍ବାରକୁ ନିଆଯାଇଥିଲା। ସେଠାରେ ବଡ଼ପୁଅ ଚିତ୍ତରଞ୍ଜନ ମହାରଣା ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପାଦନ କରିଥିଲେ।

ସମ୍ବନ୍ଧିତ ଖବର