୨ ଶିଶୁଙ୍କୁ ଚେଙ୍କ; ଉଭୟ ବଡ଼ ଡାକ୍ତରଖାନା ସ୍ଥାନାନ୍ତର, ଅଭିଯୁକ୍ତ ଗିରଫ

ପୁରୁଷୋତ୍ତମପୁର : ୪ ବର୍ଷର ଏକ ଶିଶୁପୁତ୍ର ଓ ୬ ବର୍ଷର ଶିଶୁକନ୍ୟାଙ୍କୁ ଅକଥନୀୟ ନିର୍ଯାନତା ସହ ଦିଆ ଯାଉଥିଲା ଚେଙ୍କ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଇଲାକାରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିବା ପରେ ଆଲୋଡ଼ନ ଖେଳିଯାଇଛି। ଏହି ଅମାନୁଷିକ କାର୍ଯ୍ୟ ଘଟାଇଥିବା ଅଭିଯୁକ୍ତ ତଥା ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ବାସିନ୍ଦା ଅରୁଣ କୁମାର ଗୌଡ଼କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନାନୁସାରେ, ଅରୁଣ ଗତ କିଛିଦିନ ହେଲା ତା’ର ଜଣେ ନିକଟ ସଂପର୍କୀୟଙ୍କ ଦୁଇ ଶିଶୁଙ୍କୁ ଆଣି ଘରେ ରଖିଥିଲା। କିନ୍ତୁ ବିଭିନ୍ନ କାରଣରୁ ସେମାନଙ୍କୁ ସେ ନିର୍ଯାତନା ଦେଇ ଆସୁଥିଲା। ଗତକାଲି ସେ ବର୍ବରତାର ସବୁ ସୀମା ଟପି ଯାଇଥିଲା। ଆଉ ଦୁଇ ଶିଶୁଙ୍କୁ ଚେଙ୍କ ଦେବ‌ାରୁ ସେମାନେ ପ୍ରବଳ କାନ୍ଦିଥିଲେ। ସାହିବାସିନ୍ଦା ଏହା ଜାଣିବା ପରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଉଭୟ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା। ପୁଲିସ ନିଜ ଆଡ଼ୁ କେସ୍ ନମ୍ବର ୫୦୬ ଅନୁସାରେ ମାମଲା ରୁଜୁ ସହ ଅଭିଯୁକ୍ତ ଅରୁଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ଦୁଇ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ବୋଲି ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର