ଏସିଏଫ୍ ମୃତ୍ୟୁ ମାମଲାରେ ୪୦ ଲକ୍ଷ ଟଙ୍କା ଲାଞ୍ଚ ଖବର: ତେଲେଙ୍ଗାନାର ଜଣଙ୍କ ବିରୋଧରେ ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ

କଟକ : ବରିଷ୍ଠ ସରକାରୀ ଅଧିକାରୀଙ୍କ ବିରୋଧରେ ମିଛ ଖବର ପ୍ରସାରଣ ମାମଲାରେ କ୍ରାଇମବ୍ରାଞ୍ଚ ତେଲେଙ୍ଗାନାର ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ପାରଳାଖେମୁଣ୍ଡି ଡିଏଫ୍‌ଓଙ୍କୁ ବଞ୍ଚାଇବାକୁ ଲାଞ୍ଚ କାରବାର ହୋଇଥିବା ସଂକ୍ରାନ୍ତ ଖବର ପ୍ରସାରଣ କରାଯାଇଥିଲା। କ୍ରାଇମବ୍ରାଞ୍ଚ ସାଇବର୍ ସେଲ୍ ମାମଲାର ତଦନ୍ତ ପରେ ଏହା ମିଛ ବୋଲି ଜାଣିବା ସହିତ ସୋସିଆଲ୍ ମିଡିଆରେ ଖବର ପ୍ରସାରଣ କରିଥିବା ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ପାରଳାଖେମୁଣ୍ଡି ଏସିଏଫ୍‌ଙ୍କ ମୃତ୍ୟୁ ମାମଲାରେ ଡିଏଫଓଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ସଂକ୍ରାନ୍ତ ଏକ ଖବର ଫେସ୍‌ବୁକରେ ଭାଇରାଲ୍ ହୋଇଥିଲା। ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ଫଟୋ ବି ରହିଥିଲା। ଗତ ୧୨ ତାରିଖରେ ଓଡ଼ିଆ ନିଉଜ୍ ବୁକ୍‌ ନାଁରେ ଏକ ଫେସ୍‌ବୁକ ପେଜ୍‌ରେ ଏହି ଖବର ଅପଲୋଡ୍ ହୋଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ସାଇବର୍ ସେଲ୍ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଯେଉଁ ଓ୍ବେବସାଇଟ୍‌ରେ ଏହି ଖବର ଅପଲୋଡ୍‌ କରି ଫେସବୁକରେ ସେୟାର କରାଯାଇଛି, ସେହି ଓ୍ବେବସାଇଟ୍ ତେଲେଙ୍ଗାନାର ଏକ ମୋବାଇଲ୍ ନମ୍ବରରେ ପଞ୍ଜିକରଣ ହୋଇଛି। ଉକ୍ତ ମୋବାଇଲ୍ ନମ୍ବର ଯାଞ୍ଚ ପରେ ଏହା ଲାକା ରାଜଶେଖର ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ପଞ୍ଜିକରଣ ହୋଇଥିବା ଜଣାପଡ଼ିଥିଲା। ଉଦ୍ଦେଶ୍ୟମୂଳକ ଭାବେ ସୋସିଆଲ୍ ମିଡିଆରେ ଏଭଳି ମିଥ୍ୟା ତଥା ଗୁଜବ ଖବର ପ୍ରସାରଣ କରାଯାଇଥିବାରୁ ଲାକା ରାଜଶେଖର ବିରୋଧରେ କ୍ରାଇମବ୍ରାଞ୍ଚ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର