ଛାତ୍ରଙ୍କୁ ଜାତି ଆକ୍ଷେପ କରିଥିବା ଶିକ୍ଷକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଡିଇଓଙ୍କ କାର୍ଯ୍ୟାଳୟ ଘେରିଲା ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ

ବୌଦ୍ଧ: କଣ୍ଟାମାଳ ବ୍ଲକ୍‌ ମନମୁଣ୍ଡା ଥାନା ଅନ୍ତର୍ଗତ ଯୋଗୀନ୍ଦ୍ରପୁର ହାଇସ୍କୁଲରେ ଗତ ମାସରେ ଅନୁଷ୍ଠିତ ସରସ୍ଵତୀ ପୂଜା ଅବସରରେ ୧୦ମ ଶ୍ରେଣୀ ପଢୁଥିବା ଜଣେ ଛାତ୍ରଙ୍କୁ ପ୍ରଧାନଶିକ୍ଷକଙ୍କ ସମେତ ସଂସ୍କୃତ ଶିକ୍ଷୟିତ୍ରୀ ଓ ବିଜ୍ଞାନ ଶିକ୍ଷକ ଜାତି ଆକ୍ଷେପ କରି ଛୁଆଁ ଅଛୁଆଁ ଭେଦଭାବ କରିଥିବା, ଏପରିକି ପ୍ରସାଦ ସେବନରୁ ଦୂରେଇ ରହିବାକୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗତ ୧୭ତାରିଖରେ ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନଥିବା ଦର୍ଶାଇ ଗୁରୁବାର ଉକ୍ତ ପରିଷଦ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଗଣଧାରଣା ଦିଆଯାଇଥିଲା। ତେବେ ଉକ୍ତ ପରିଷଦର ଅଭିଯୋଗ ଆଧାରରେ ତଦନ୍ତ କରାଯାଇ ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି। ଏଥିସହ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ସାଧାରଣ ନିର୍ବାଚନ ପରେ ସରକାରୀ ନୀତି ନିୟମ ମୁତାବକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦିଆଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଗଣଧାରଣାରେ ସଙ୍ଗଠନର ଜିଲ୍ଲା ଉପସଭାପତି ମକରଧ୍ବଜ ମହାନନ୍ଦିଆ, ଦଶରଥ ବେହେରା, କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି, ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନନ୍ଦିନୀ ନାଏକ, ଧରଣୀଧର ବିଭାର, ରମେଶ ମହାନନ୍ଦିଆ, ବିଶ୍ୱଜିତ ହରିପାଲ, ବରିଷ୍ଠ ସମାଜସେବୀ ଜୟରାମ ହରିପାଲ, ଜଗବନ୍ଧୁ ବାଦୀ, ଚିତ୍ତରଞ୍ଜନ ବେହେରା, ବାମନ ବେହେରା, ହରିବନ୍ଧୁ ହରିପାଲ, ଶ୍ରୀଧର କୁମ୍ଭାର, ସୁବ୍ରତ ଜଗଦଲା, ଲଳିତ କହଁର, ସନତ କହଁର, ଭୁବନ ଭବସାଗର, କପିଳ ଭବସାଗର, ବରୁଣ ରାଜଦୀପ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର