ଲୋୟର ଇନ୍ଦ୍ର ବିସ୍ଥାପିତଙ୍କ ସହ ପ୍ରଶାସନର ଆଲୋଚନା : ‘ଥଇଥାନ ରାଶି ନମିଳିବା ଯାଏ ପ୍ରକଳ୍ପ ଉଦଘାଟନ କରାଇ ଦେବୁ ନାହିଁ’

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପ ବର୍ତ୍ତମାନ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ୨୦ ବର୍ଷ ଧରି ପ୍ରକଳ୍ପ କାମ ଚାଲିଥିଲେ ମଧ୍ୟ ଆଜି ଯାଏ ବିସ୍ଥାପିତଙ୍କୁ ନିୟମ ଅନୁଯାୟୀ ଥଇଥାନ ରାଶି ମିଳି ନାହିଁ। ଫଳରେ ବିସ୍ଥାପିତମାନଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପାଇଁ ଖଡ଼ିଆଳ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ବିସ୍ଥାପିତ ସହାୟତା ସମିତି ଗତ ୧୦ ଦିନ ହେଲା ଧାରଣା ଦେଇଛି।

ଶୁକ୍ରବାର ନୂଆପଡ଼ା ଜିଲ୍ଲାପ୍ରଶାସନ ସହ ବିସ୍ଥାପିତ ସହାୟତା ସମିତିର ଆଲୋଚନା ହୋଇଥିଲା। ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ବୈଠକରେ ସମିତି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦିଆଯାଇଥିଲା। ଏହି ପ୍ରକଳ୍ପରେ ବିସ୍ଥାପିତମାନଙ୍କୁ ସଂପୂର୍ଣ୍ଣ ଭାବେ ସରକାରୀ ନିୟମ ଅନୁସାରେ ଥଇଥାନ ରାଶି ନମିଳିବା ଯାଏ ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରି ଦିଆଯିବ ନାହିଁ। ୨୦୨୧ରେ ହେବାକୁ ଥିବା ଏହି ପ୍ରକଳ୍ପ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବିରୋଧ କରି ଭୟଙ୍କର ଆନ୍ଦୋଳନ କରାଯିବ ବୋଲି ସମିତି ଚେତାବନୀ ଦେଇଛି। ପ୍ରକଳ୍ପ ଦ୍ବାରା ବିସ୍ଥାପିତ ହୋଇଥିବା ୨୫ ଶହ ପରିବାରକୁ ତୁରନ୍ତ ସହାୟତା ରାଶି ପ୍ରଦାନ, ବିସ୍ଥାପିତଙ୍କ ଯୋଗ୍ୟ ପୁଅ ଝିଅମାନଙ୍କୁ ୨୦୦୬ ଥଇଥାନ ନୀତି ମୁତାବକ ସହାୟତା ପ୍ରଦାନ, ବିସ୍ଥାପିତ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ସ‌ୁଯୋଗ ପ୍ରଦାନ ଆଦି ୧୫ଦଫା ସମ୍ବଳିତ ଦାବିପତ୍ର ଦେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ସାଂସଦ ବସନ୍ତ ପଣ୍ଡା, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲା ପରିଷଦ ଅଧକ୍ଷା ନମିତା ପ୍ରଧାନ ଉପସ୍ଥିତଥିଲେ। ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତି ସଭାପତି ନିତ୍ୟାନନ୍ଦ ପ୍ରଧାନ, ସମ୍ପାଦକ ଗୋପୀନାଥ ଗଉଡ଼, କିଶୋର କଠାର, ତୁକାରାମ ସଗରିଆ, ଅଲେଖ ମାଝୀ, କରୁଣା ହେତା, ହୃଷୀକେଶ ବେହେରା, କିଶୋର ବେହେରା, ଅମରେଶ ପଟ୍ଟନାୟକ, କିଶୋର ନାଏକ, ଯଦୁମଣି ପାଣିଗ୍ରାହୀ, କୋମନା ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋଜ ମିଶ୍ର, ଉପଜିଲ୍ଲାପାଳ ତରଣୀସେନ ନାଏକ, ନୂଆପଡ଼ା ଏସ୍‌ଡିପିଓ ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତଥିଲେ।

ସମ୍ବନ୍ଧିତ ଖବର