୧୪ ବର୍ଷ ପରେ ଭେଡ଼ାବାହାଲ ୟୁଏମପିପି ବାତିଲ

୩ ହଜାର ବିସ୍ଥାପିତ ପରିବାରର ଭବିଷ୍ୟତ ଅନିଶ୍ଚିତ, ପ୍ରଶ୍ନବାଚୀରେ ସରକାରଙ୍କ ଉଦାସୀନତା

ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ବ୍ଲକ୍ ଭେଡ଼ାବାହାଲ ଠାରେ ପ୍ରତିଷ୍ଠା ହେବାକୁ ଥିବା ଉଚ୍ଚ  ଶକ୍ତି ସମ୍ପନ୍ନ ବୃହତ ତାପଜ ବିଦ୍ୟୁତ ପ୍ରକଳ୍ପ (ୟୁଏମପିପି) ବାତିଲ ହୋଇଯାଇଛି। ୧୪ ବର୍ଷ ଧରି ଝୁଲି ରହିବା ପରେ ପ୍ରକଳ୍ପ ଦାୟିତ୍ବରେ ଥିବା ଓଡ଼ିଶା ସମନ୍ନିତ ଶକ୍ତି କମ୍ପାନି (ଓଆଇପିଏଲ)ର ନିର୍ଦ୍ଦେଶକ ବୋର୍ଡ ନିକଟରେ ଏହି ନିଷ୍ପତ୍ତି ନେଇ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରାଳୟକୁ ସୂଚୀତ କରି ଦେଇଥିବା ସୂଚନା ମିଳିଛି। ପ୍ରକଳ୍ପ ବନ୍ଦ ହୋଇଯିବା ପରେ ସୁନ୍ଦରଗଡ଼ରେ ୪ ହଜାର ମେଗାୱାଟ୍ ତାପଜ ବିଦ୍ୟୁତ ଉତ୍ପାଦନ ନେଇ ଯେଉଁ ଆଶା ସୃଷ୍ଟି ହୋଇଥିଲା, ତାହା ପବନରେ ମିଳେଇ ଯାଇଛି।

୨୦୦୮ରେ ୨୯ ହଜାର କୋଟି ଅଟକଳରେ  ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ୨୦୧୧ରେ ଏଥିପାଇଁ ଟେଣ୍ଡର ଡକାଯାଇଥିଲା। କିନ୍ତୁ ପ୍ରକଳ୍ପ ନିର୍ମାଣ ଓ କାର୍ଯ୍ୟକ୍ଷମ ପାଇଁ ଟେଣ୍ଡରରେ ରଖାଯାଇଥିବା ଯୋଗ୍ୟ ମାପକାଠି ବା କଡ଼ା ସର୍ତ୍ତ ଯୋଗୁଁ କେହି ଆବେଦନ କରି ନଥିଲେ। ଅଧାରେ ଟେଣ୍ଡର ବାତିଲ ହୋଇଯାଇଥିଲା। ଦ୍ବିତୀୟ ଥର ଡକାଯାଇଥିବା ଟେଣ୍ଡରରେ ମଧ୍ୟ ସେହି ସମାନ କାରଣରୁ  କେହି ଭାଗ ନେଇ ନଥିବା ପ୍ରକାଶ ପାଇଥିଲା।  ଫଳରେ ପ୍ରକଳ୍ପ ସେମିତି ପଡ଼ି ରହିଲା। ଏପଟେ  ୧୪ ବର୍ଷ ମଧ୍ୟରେ ପ୍ରକଳ୍ପର ବ୍ୟୟ ଅଟକଳ ୨୯ ହଜାର କୋଟିରୁ ପ୍ରାୟ  ୪୦ ହଜାର କୋଟିକୁ ବଢ଼ି ଯାଇଥିବାରୁ ଓଆଇପିଏଲ ତାକୁ ବାତିଲ କରି ଦେଇଥିବା ଏକ ସୂତ୍ରରୁ ଜଣାପଡ଼ିଛି।

ତେବେ ପ୍ରକଳ୍ପକୁ ନେଇ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତାକୁ ନେଇ ପ୍ରଶ୍ନ ଉଠିଛି। ଜମି ଅଧିଗ୍ରହଣ ପରେ ବହୁ ବର୍ଷ ଧରି ପ୍ରକଳ୍ପକୁ ଝୁଲାଇ ରଖାଗଲା କାହିଁକି, ଉଭୟ ସରକାର ଏ ବିଷୟରେ ବିଚାରବିମର୍ଶ କଲେ ନାହିଁ କାହିଁକି, କେଉଁସ୍ଥିତିରେ ଦୁଇ ଦୁଇ ଥର ଟେଣ୍ଡର ବାତିଲ ହେଲା, ପ୍ରକଳ୍ପ ପାଇଁ ରଖାଯାଇଥିବା କଡ଼ା ସର୍ତ୍ତରେ ବିଶେଷ ପରିବର୍ତ୍ତନ ବା କୋହଳ କରାଗଲା ନାହିଁ କାହିଁକି, ଏଭଳି ଅନେକ ପ୍ରଶ୍ନ ଉଠିଛି। ଏହି ପରିପ୍ରେକ୍ଷିରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ପ୍ରକଳ୍ପ ବାତିଲ ଦୁର୍ଭାଗ୍ୟଜନକ ବୋଲି ପ୍ରତିକ୍ରିୟା ଦେଇଛନ୍ତି।  ସେ କହିଛନ୍ତି, ‘ପ୍ରକଳ୍ପକୁ ନେଇ ଜିଲ୍ଲାବାସୀ ନିଯୁକ୍ତି ଓ ଅନ୍ୟ ସୁବିଧା ପାଇବା ପାଇଁ ବେଶ ଆଶାବାଦୀ ଥିଲେ। ସେ ପ୍ରକଳ୍ପ ନିର୍ମାଣ ନେଇ  ୨୦୨୦ରେ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରାଳୟକୁ ଚିଠି ଲେଖିଥିଲେ।  ମନ୍ତ୍ରାଳୟ ପ୍ରକଳ୍ପ ଖୁବ୍ ଶୀଘ୍ର ଆରମ୍ଭ କରାଯିବା ନେଇ ତାଙ୍କୁ  ଉତ୍ତର ଦେଇଥିଲା।

ସେହିପରି ନିକଟରେ ସେ ରାଜ୍ୟ ସରକାରଙ୍କ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ତ୍ରୀ ତାଙ୍କୁ ପ୍ରକଳ୍ପ ବିବରଣୀ ମାଗିଥିଲେ ଓ  ପଦକ୍ଷେପ ନିଆଯିବ ଆଶ୍ବାସନା ଦେଇଥିଲେ। କିନ୍ତୁ ବହୁ ବର୍ଷ ଧରି  ପ୍ରକଳ୍ପକୁ ଝୁଲାଇ ରଖି ଶେଷକୁ ବାତିଲ କରି ଦିଆଯିବା ବିଡ଼ମ୍ବନାର ବିଷୟ’ ବୋଲି ଶ୍ରୀମତୀ ଟେଟେ ପ୍ରକାଶ କରିଛନ୍ତି।  ତେବେ ଅଧିଗ୍ରହଣ ହୋଇଥିବା ଜମିରେ ଜିଲ୍ଲାର ବିକାଶ ପାଇଁ ଅନ୍ୟ କୌଣସି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସେ କେନ୍ଦ୍ର ସରକାରଙ୍କ ଆଗରେ ଦାବି କରିବେ ବୋଲି ସେ କହିଛନ୍ତି। ତେବେ ପ୍ରକଳ୍ପ ବାତିଲ ପରେ  ୧୪ ବର୍ଷ ଧରି ଆଶା ଓ ଆଶଙ୍କାରେ ରହିଥିବା ବିସ୍ଥାପିତ ଏବେ ନିଜ ଅନିଶ୍ଚିତ ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ପ୍ରକଳ୍ପ ପାଇଁ ଲଙ୍କାହୁଡ଼ା ପଞ୍ଚାୟତର ଲଙ୍କାହୁଡ଼ା, କୋପସିଂହା, ରୂପିଡିହି ଗାଁ ସମ୍ପୂର୍ଣ୍ଣ ଏବଂ ଭେଡ଼ାବାହାଲ, କନ୍ଦାବାହାଲ, କିରେଇର ଆଂଶିକ ଜମି ଅଧିଗ୍ରହଣ ହୋଇଛି।

୨୦୧୦ ଜାନୁଆରି ୧୫ରେ ଲଙ୍କାହୁଡ଼ାର ତତ୍କାଳୀନ ସରପଞ୍ଚ ସୁଜାତା ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଗ୍ରାମସଭାରେ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ସର୍ତ୍ତମୂଳକ ଭାବେ ଜମି ଦେବାକୁ ସହମତି ପ୍ରକାଶ ପାଇଥିଲା। ଏହା ପରେ ୨୦୧୩ ଅଗଷ୍ଟ ୧୩ରୁ ମୋଟ ୨୭୩୩.୫୪୦ ଏକର ଜମି ଅଧିଗ୍ରହଣ କଲା ଇଡକୋ। ପ୍ରକଳ୍ପରେ ଲଙ୍କାହୁଡ଼ା, କୋପସିଂହା, ରୁପିଡିହିରୁ ୩ ହଜାର ପରିବାର ବିସ୍ଥାପିତ ତାଲିକାରେ ସାମିଲ ହେଲେ। କେବଳ ଜମିର କ୍ଷତିପୂରଣ ବାବଦକୁ ସେମାନଙ୍କୁ  ୬୧୧ କୋଟି କ୍ଷତିପୂରଣ ଦିଆଯାଇଥିଲା। କିନ୍ତୁ ଘରବାଡ଼ି କ୍ଷତିପୂରଣ ଅପେକ୍ଷାରେ ଥିଲେ। ଅନ୍ୟପଟେ ଲଙ୍କାହୁଡ଼ା, କୋପସିଂହା, ରୂପିଡିହି  ବିସ୍ଥାପିତ ଗାଁ ହୋଇଥିବାରୁ ଏଠାରେ ଉନ୍ନୟନମୂଳକ କାର୍ଯ୍ୟ ଉପରେ କଟକଣା ଥିବା ବେଳେ ଅଧିଗ୍ରହଣ ହୋଇଥିବା ଜମିର ମାଲିକାନା ଆଉ ବିସ୍ଥାପିତଙ୍କ ପାଖରେ ନାବହିଁ। ଏସ୍ଥିତିରେ ସେମାନେ ସରକାରୀ ରେକର୍ଡରେ ଭୂମିହୀନ ହୋଇଯାଇଛନ୍ତି। ପ୍ରକଳ୍ପ ବାତିଲ ପରେ ୩ ହଜାର ପରିବାରର ଭାଗ୍ୟ, ଭବିଷ୍ୟତ କ’ଣ ହେବ ତାକୁ ନେଇ ସେମାନେ ସନ୍ଦିହାନ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର