ମେଣ୍ଢାଶାଳରେ ଅଘୋରତପ: ଅଗ୍ନିକୁଣ୍ଡରେ ଝୁଲିଲେ ୪ ବ୍ରତୀ

ମେଣ୍ଢାଶାଳ: ଚୈତ୍ରମାସ ମେରୁଯାତ୍ରା ଅବସରରେ ଦଣ୍ତପାଟୁଆମାନଙ୍କ କଠିନ ସାଧନାକୁ କୁହାଯାଏ ଉଗ୍ରତପ ବା ଅଘୋରତପ। ମାନସିକଧାରୀ ପାଟୁଆମାନେ ଅଗ୍ନିକୁଣ୍ଡରେ ଝୁଲିବା ହେଉଛି ଏହି ଅଘୋରତପର ବିଧି। ବହୁ ପୁରାତନ କାଳରୁ ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗାଁରେ ଏହି ପର୍ବ ପାଳିତ ହୋଇଆସୁଛି। ପ୍ରାୟ ପାଞ୍ଚ ଶହ ବର୍ଷ ହେଲା ଏହି ଅଘୋରତପ ଯାତ୍ରା ମେଣ୍ଢାଶାଳ ଗ୍ରାମରେ ପାଳିତ ହୋଇଆସୁଛି।

ଆଜି ଗ୍ରାମର ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିରର ପ୍ରାଙ୍ଗଣରେ ଏହି ଅଘୋରତପ ଯାତ୍ରା ପାଳିତ ହୋଇଛି। ଘଣ୍ଟ, ଘଣ୍ଟା, କାହାଳୀ ଓ ଢୋଲ ବାଦ୍ୟରେ ମନ୍ଦିରର ପରିସର ଉଛୁଳି ପଡ଼ୁଥିଲା। ପରମ୍ପରା ଅନୁଯାୟୀ ଝାମୁଯାତ୍ରାରେ ମିଶିଥିବା ପାଟୁଆ ଦଣ୍ଡକାଳିସୀମାନେ ସାତ ଦିନ ପୂର୍ବରୁ ଏହି ଯାତ୍ରାରେ ମିଶିଥାନ୍ତି। ମେରୁ ଦିନ ଗ୍ରାମଦେବତୀଙ୍କ ପାଖରେ ଗୁହାରିଆ ପଡ଼ି ସେଠାରୁ ଗ୍ରାମର ଇଷ୍ଟଦେବତା ଶ୍ରୀ ଶ୍ରୀ ଭଗବତବାସୁଦେବଙ୍କ ପ୍ରାଙ୍ଗଣରେ ତତଲା ବାଲିରେ ମେରୁଦଣ୍ଡ ବା ଧୂଳିଦଣ୍ଡ ଗଡ଼ିଥାଆନ୍ତି।

ସେଠାରୁ ବାଲୁଙ୍କେଶ୍ୱର ମନ୍ଦିରର ପରିସରକୁ ଗଡ଼ିଗଡ଼ି ଯାଇଥାନ୍ତି। ସେଠାରେ ସମସ୍ତ ପାଟୁଆ ଓ ଦଣ୍ଡକାଳିସୀମାନେ ଏକାଠି ହୋଇ ନିକଟସ୍ଥ ପଦ୍ମପୋଖରୀକୁ ଗାଧେଇବା ପାଇଁ ଯାଇଥାନ୍ତି। ଏହାପରେ ଗାଁରେ ପଣାଖିଆ ପର୍ବ ପାଳିତ ହୋଇଥାଏ। ପାଟୁଆ ଓ କାଳିସୀମାନେ ଗାଁ ବୁଲି ସାରିବା ପରେ ପାର୍ବତୀ ମନ୍ଦିରକୁ ଆସନ୍ତି। ମାନସିକଧାରୀ ୪ ପାଟୁଆ ପୋଖରୀରେ ଗାଧୋଇ ହଳଦିଆ ବସ୍ତ୍ର ପରିଧାନ କରନ୍ତି। ସେମାନଙ୍କ ମୁହଁରେ ଲୁଗା ଗୁଡ଼ାଇ ଅଘୋରତପ ଅଗ୍ନିକୁଣ୍ଡ ପାଖକୁ ନିଆଯାଏ। ସେଠାରେ ଅଗ୍ନିକୁଣ୍ଡ ଖମ୍ବରେ ସେମାନଙ୍କ ଦୁଇ ଗୋଡ଼କୁ ବାନ୍ଧି ତଳକୁ ଝୁଲାଇ ଦିଆଯାଏ। ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ କରାଯାଇଥାଏ ଓ ୩ ଥର ଝୁଣା ମରାଯାଏ। ଚଳିତ ବର୍ଷ ପ୍ରମୋଦ କୁମାର ପାଇକରାୟ, ମିଟୁ ମାନସିଂ, ଧୀରେନ୍ ଦାସ ଓ ଗଣେଶ ବେହେରା ଏହି ଅଘୋରତପରେ ଭାଗ ନେଇଥିଲେ। ଆସନ୍ତାକାଲି ମହାବିଷୁବ ପଣାସଂକ୍ରାନ୍ତିରେ ଝାମୁଯାତ୍ରା ହେବ ଓ ପାଟୁଆମାନେ ନିଆଁରେ ଚାଲିବେ।

ସମ୍ବନ୍ଧିତ ଖବର