ଗଞ୍ଜାମ ବୋହୁଛି ଏଡ୍‌ସ ବୋଝ

୧୭ବର୍ଷରେ ୨୨୭୭ ଗର୍ଭବତୀ ମହିଳା ଏଚ୍‌ଆଇଭି ଆକ୍ରାନ୍ତ

୨୫-୪୯ବର୍ଷ ବର୍ଗର ବ୍ୟକ୍ତି ସର୍ବାଧିକ ଆକ୍ରାନ୍ତ

ଭୁବନେଶ୍ୱର : ଡିସେମ୍ବର ୧ ତାରିଖ ହେଉଛି ବିଶ୍ୱ ଏଡ୍‌ସ ଦିବସ। ଲୋକମାନଙ୍କ ମଧ୍ୟରେ ଏଡ୍‌ସର ଭୟାବହତା ଓ ସଚେତନତା ସୃଷ୍ଟି ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଚଳିତବର୍ଷ ବିଶ୍ୱ ଏଡ୍‌ସ ଦିବସର ବିଷୟବସ୍ତୁ ରହିଛି ‘ମୋ ସ୍ୱାସ୍ଥ୍ୟ, ମୋ ଅଧିକାର’। ଦେଶରେ ୨.୩୯ ମିଲିଅନ୍‌ ଲୋକ ଏଡ୍‌ସରେ ଆକ୍ରାନ୍ତ ହୋଇଥିବା ବେଳେ ଏହି ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି।

ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତିରୁ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାରେ ୪୨ ହଜାର ୯୯୮ଜଣ ଏଚ୍‌ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତହିଁରେ ୨୨୭୭ଜଣ ହେଉଛନ୍ତି ଗର୍ଭବତୀ ମହିଳା। ୨୦୧୩ ମସିହାରେ ରାଜ୍ୟରେ ୩୪୭୯, ୨୦୧୪ରେ ୩୩୫୭, ୨୦୧୫ରେ ୩୦୬୬ ଓ ୨୦୧୬ରେ ୩୩୬୯ ନୂତନ ଏଚ୍‌ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୦୧୬ ମସିହାରେ ୧୮୫ଜଣ ଗର୍ଭବତୀ ମହିଳା ଏଚ୍‌ଆଇଭିରେ ସଂକ୍ରମିତ ଥିବା ଜଣାପଡ଼ିଛି। ରାଜ୍ୟର ଗଞ୍ଜାମ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୪ହଜାର ୩୮୭ ଜଣ ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ୮୦୨ ନୂତନ ଏଚ୍‌ଆଇଭି ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ଗର୍ଭବତୀ ମହିଳାଙ୍କ ସଂଖ୍ୟା ହେଉଛି ୪୭। କୋରାପୁଟ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୨୨୦୫ଜଣ ଚିହ୍ନଟ ହୋଇଥିବା ବେଳେ ୨୦୧୬ ମସିହାରେ ୧୪୮ଜଣଙ୍କୁ ଚିହ୍ନଟ କରାଯାଇଛି।

ଅପରପକ୍ଷରେ ରାଜ୍ୟର ୨୫ରୁ ୪୯ବର୍ଷ ବର୍ଗରେ ସର୍ବାଧିକ ବ୍ୟକ୍ତି ଏଡ୍‌ସ ଦ୍ୱାରା ଆକ୍ରାନ୍ତ ହୋଇଥିବା ଚିନ୍ତାର ବିଷୟ ପାଲଟିଛି। ୨୦୦୨ ମସିହାରୁ ୨୦୧୬ ମସିହା ମଧ୍ୟରେ ହୋଇଥିବା ପରିସଂଖ୍ୟାନରେ ଏହି ବର୍ଗର ବ୍ୟକ୍ତିଙ୍କ ସଂଖ୍ୟା ହେଉଛି ୨୯ ହଜାର ୧୯୪ ଅର୍ଥାତ୍‌ ୭୮ପ୍ରତିଶତ। ଏଥିରେ ପୁରୁଷଙ୍କ ସଂଖ୍ୟା ୧୯ହଜାର ୪୮୭ ହୋଇଥିବା ବେଳେ ମହିଳାଙ୍କ ସଂଖ୍ୟା ହେଉଛି ୯ ହଜାର ୭୦୭। ସେହିପରି ୧୫-୨୪ବର୍ଷର ୯ ପ୍ରତିଶତ, ୧୪ବର୍ଷରୁ କମ୍‌ ୭ ପ୍ରତିଶତ ଓ ୫୦ବର୍ଷରୁ ଅଧିକ ବର୍ଗର ୬ ପ୍ରତିଶତ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ ଯେତିକି ସଂଖ୍ୟକ ଏଚ୍‌ଆଇଭି ରୋଗୀ ଅଛନ୍ତି ସେମାନଙ୍କ ମଧ୍ୟରୁ ଅସୁରକ୍ଷିତ ଯୌନ ସଂପର୍କ ହିଁ ମୁଖ୍ୟ କାରଣ ବୋଲି ଜଣାପଡ଼ିଛି।

ଅସୁରକ୍ଷିତ ଯୌନ ସଂପର୍କ ଯୋଗୁଁ ୮୮ ପ୍ରତିଶତ ବ୍ୟକ୍ତି ଏଚ୍‌ଆଇଭିରେ ଆକ୍ରାନ୍ତ ହୋଇଛନ୍ତି। ଏଥିରେ ପୁରୁଷଙ୍କ ସଂଖ୍ୟା ହେଉଛି ୨୧ହଜାର ୪ଶହ ଓ ମହିଳାଙ୍କ ସଂଖ୍ୟା ୧୧ହଜାର ୫୩୩। ପିପିଟିସିଟି ବା ପିତାମାତାଙ୍କଠାରୁ ଶିଶୁ ଆକ୍ରାନ୍ତ ହେବା କ୍ଷେତ୍ରରେ ୬ପ୍ରତିଶତ ଏଚ୍‌ଆଇଭି ସଂକ୍ରମିତ ହୋଇଛନ୍ତି। ଏ ପର୍ଯ୍ୟନ୍ତ ୨ହଜାର ୪୧୧ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ସଂକ୍ରମିତ ସିରିଞ୍ଜ ଓ ଛୁଞ୍ଚି ଦ୍ୱାରା ୬୨୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମିତ ରକ୍ତ ନେବା ଦ୍ୱାରା ଏ ପର୍ଯ୍ୟନ୍ତ ୪୬୦ ଏଚ୍‌ଆଇଭି ଦ୍ୱାରା ଆକ୍ରାନ୍ତ ହୋଇଥିବା ପରିସଂଖ୍ୟାନରୁ ଜଣାପଡ଼ିଛି। ତେବେ ଲୋକମାନଙ୍କୁ ବିଶୁଦ୍ଧ ରକ୍ତ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସିବିନାଟ୍‌ ପରୀକ୍ଷା ଆରମ୍ଭ ହୋଇଛି। ୨୪ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା ଉପଲବ୍ଧ ହେଉଛି।

ତେବେ ଏଡ୍‌ସ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟିଆଇ ବା ଟାର୍ଗେଟ୍‌ ଇଣ୍ଟରଭେନସନ୍‌ ପ୍ରକଳ୍ପ ହାତକୁ ନିଆଯାଇଛି। ୨୦୧୨ ମସିହାରୁ ଏ ପର୍ଯ୍ୟନ୍ତ ୬ଲକ୍ଷ ୯୯ହଜାର ୭୦ଜଣଙ୍କୁ ଏଚ୍‌ଆଇଭି ସମ୍ବନ୍ଧୀୟ ସେବା ମିଳିପାରିଛି। ମହିଳା ଯୌନକର୍ମୀଙ୍କ ପାଇଁ ରାଜ୍ୟରେ ୧୨ଟି ଟିଆଇ କାର୍ଯ୍ୟ କରୁଛନ୍ତି। ସେହିପରି ଏମ୍‌ଏସ୍‌ଏମ୍‌ ବା ପୁରୁଷ-ପୁରୁଷ ମଧ୍ୟରେ ଯୌନ ସଂପର୍କ ରଖୁଥିବା ଲୋକଙ୍କ ପାଇଁ ୨ଟି, ସିସି ବା କୋର କମ୍ପୋଜିଟ୍‌ ପାଇଁ ୨୧ଟି, ଆଇଡିୟୁ ବା ଇଞ୍ଜେକସନ୍‌ ଦ୍ୱାରା ଡ୍ରଗ୍‌ ସେବନ କରୁଥିବା ଲୋକଙ୍କ ପାଇଁ ୬ଟି, ଟ୍ରକଚାଳକଙ୍କ ପାଇଁ ୨ଟି, କିନ୍ନରଙ୍କ ପାଇଁ ୧ଟି, ପ୍ରବାସୀମାନଙ୍କ ପାଇଁ ୯ଟି ଟିଆଇ କାମ କରୁଛି। ସମୁଦାୟ ୭ଟି ବର୍ଗର ଲୋକମାନଙ୍କୁ ଟିଆଇ ଦ୍ୱାରା ପରାମର୍ଶ ଦିଆଯାଉଛି।

ସମ୍ବନ୍ଧିତ ଖବର