ବାଲେଶ୍ବର ସାଟେଲାଇଟ୍‌ ସେଣ୍ଟର‌େର ଏମ୍‌ସର ପ୍ରତିଷ୍ଠା ଦିବସ‌, ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ଦାୟିତ୍ବର ସହ କାମ କର: ପ୍ରତାପ

ବିଧାୟକଙ୍କୁ ଡକା ନ ଯିବାରୁ ଉତ୍ତେଜନା, ୭ ବିଜେଡି କର୍ମୀ ଅଟକ, ମେଗା ସ୍ବାସ୍ଥ୍ୟ ସେବା ଶିବିରରେ ୨୫୦୦ରୁ ଅଧିକ ରୋଗୀଙ୍କ ଚିକିତ୍ସା

ବାଲେଶ୍ବର : ଭୁବନେଶ୍ବର ଏମ୍‌ସର ସପ୍ତମ ପ୍ରତିଷ୍ଠା ଦିବସ ବାଲେଶ୍ୱର ସାଟେଲାଇଟ୍‌ ସେଣ୍ଟରରେ ଆଜି ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ରାଜନୈତିକ ଉଷ୍ମତା ଦେଖାଦେଇଥିଲା। ସ୍ଥାନୀୟ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଉତ୍ସବକୁ ଡକାନଯିବା ନେଇ ଦଳୀୟ କର୍ମକର୍ତାମାନେ ନାରାବାଜି କରିବା ସହ ନିଷ୍ପତ୍ତିକୁ କଡ଼ା ବିରୋଧ କରିବାରୁ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ ବିଜୁ ଜନତା ଦଳର ୭ ଜଣଙ୍କୁ ଅଟକ ରଖି ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷ‌େର ଏହି ଅବସରରେ ଅନୁଷ୍ଠିତ ମେଗା ସ୍ବାସ୍ଥ୍ୟସେବା ଶିବିରରେ ୨୫୦୦ରୁ ଅଧିକ ରୋଗୀଙ୍କ ଚିକିତ୍ସା କରାଯାଇଛି।

ଆଜି ସ୍ଥାନୀୟ ଆଇଟିଆର୍‌ କଲୋନି ପରିସରରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ରାଜ୍ୟରେ ସ୍ବାସ୍ଥ୍ୟସେବାର ସ୍ଥିତିକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଲେ ଯେ ସ୍ବାସ୍ଥ୍ୟ ପାଇଁ ଆଖିଦୃଶିଆ ବଜେଟ୍‌ ନାହିଁ। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେବେ ରାଜ୍ୟ ସରକାର ହୁଅନ୍ତୁ କି କାର୍ଯ୍ୟରତ ଡାକ୍ତର, ଏ ନେଇ ସମ‌ସ୍ତେ ଦାୟିତ୍ବର ସହ କାମ କରିବା ଦରକାର। ଅନ୍ୟତମ ଅତିଥି ଭାବେ ଏମ୍‌ସର ନିର୍ଦେଶକ ଡ. ଗୀତାଞ୍ଜଳି ବା‌ତ୍ମାନାବାନେ, ଚାନ୍ଦିପୁର ଆଇଟିଆର୍‌ ନିର୍ଦେଶକ ଡ. ବିନୟ କୁମାର ଦାସ, ପିଏକ୍ସଇର ନିର୍ଦେଶକ ଡି କେ ଯୋଶୀ, ଏମ୍‌ସର ଉପ-ନିର୍ଦେଶକ ପି କେ ରାୟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସାଟେଲାଇଟ୍‌ ‌େସଣ୍ଟର ନୋଡାଲ୍‌ ଅଫିସର ମୁକୁନ୍ଦ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ବୈଜ୍ଞାନିକ ନୀଳାଦ୍ରି ରୟ ସଭା ପରିଚାଳନା କରିଥିଲ। ଏହି ଅବସରରେ ଭୁବନେଶ୍ବର ଏମ୍‌ସ ଓ ଚାନ୍ଦିପୁର ଆଇଟିଆର୍‌ ସହଯୋଗରେ ଏକ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୫୩ ଜଣ ବରିଷ୍ଠ ଡାକ୍ତର ଯୋଗଦେଇଥିବା ବେଳେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ରାଜ୍ୟରୁ ଆସିଥଇବା ପ୍ରାୟ ଅଢ଼େଇ ହଜାରରୁ ଅଧିକ ରୋଗୀ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ।

ଅନ୍ୟପକ୍ଷରେ ରେମୁଣା ନିର୍ବାଚନ ମଣ୍ଡଳୀରେ ଏମ୍‌ସ ସାଟେଲାଇଟ୍‌ ସେଣ୍ଟର ରହିଥିବା ବେଳେ ଆଜିର ଉତ୍ସବକୁ ରେମୁଣା ବିଧାୟକ ଶ୍ରୀ ପରିଡ଼ାଙ୍କୁ ଡକା ନ ଯିବା ନେଇ କିଛି ବିଜେଡି କର୍ମକର୍ତ୍ତା ଅସନ୍ତୋଷ ପ୍ରକାଶ କରିଥିଲେ। ନିଷ୍ପତ୍ତିକୁ ବିରୋଧ କରି ‌େମାନେ ଉତ୍ସବସ୍ଥଳରେ ବିଭିନ୍ନ ସ୍ଳୋଗାନ ଦେବାରୁ ସେଠାରେ ଉତ୍ତେଜନା ପ୍ରକା‌ଶ ପାଇଥିଲା। ଫଳରେ ପରିସ୍ଥିତିକୁ ଦେଖି ସହଦେବଖୁଣ୍ଟା ପୁଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ୭ ଜଣ ବିଜେଡି କର୍ମୀଙ୍କୁ ଅଟକ ରଖିଥିଲା। ଥାନା ଆଇଆଇସି ସୁଭ୍ରାଂଶୁ ଶେଖର ନାୟକଙ୍କ ସୂଚନା ଅନୁସାରେ; ଅଟକ ଥିବା ସନ୍ଦୀପ ରାଉତ, ଅବିନାଶ ମହାପାତ୍ର, ପ୍ରଦୀପ ଦାସ, ମନୋରଂଜନ ଦାସ, ଅନି ନାୟକ, ମିଥୁନ ଦାସ, ସାଗର ଦାସ ପ୍ରମୁଖଙ୍କୁ ପିଆର୍‌ ବଣ୍ଡରେ ଛଡ଼ାଯାଇଛି।

ସମ୍ବନ୍ଧିତ ଖବର