ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ବିକ୍ଷୋଭ

ଭୁବନେଶ୍ବର : ପ୍ରତିଦିନ ଦେଶରେ ୩୧ଜଣ କୃଷକ ଆତ୍ମହତ୍ୟା କରୁଛନ୍ତି। ୪୩ ପ୍ରତିଶତ କୃଷକ କୃଷିଠାରୁ ଦୂରେଇ ରହିବାକୁ ଯୋଜନା କଲେଣି। ଏଭଳି ନାରାବାଜି କରି ଆଜି ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି। ସଂଘର ରାଜ୍ୟ ସମ୍ପାଦକ ଶଙ୍କର ସାହୁ ଓ ରାଜ୍ୟ ସଂଯୋଜକ ଟୁନା ମଲ୍ଲିକଙ୍କ ନେତୃତ୍ବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଚାଷୀ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମଜି ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଦାବି ନେଇ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବି ଗୁଡ଼ିକ ମଧ୍ୟରେ ଭାଗଚାଷୀ ଓ କୃଷି ଶ୍ରମିକଙ୍କୁ ୫ଏକର ଚାଷଜମି ଏବଂ କୃଷକଙ୍କୁ ସମସ୍ତ ଅଧିକାର ପ୍ରଦାନ କରିବା, ଆର୍‌ସିଇପି ବୁଝାମଣା ଚୁକ୍ତିକୁ ବାତିଲ୍‌ କରିବା, ୬୦ ବର୍ଷରୁ ଊର୍ଧ୍ବ ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ପେନ୍‌ସନ କୃଷି ଭିତ୍ତିକ ଅଞ୍ଚଳକୁ ଶିଳ୍ପାଞ୍ଚଳ କରିଡରରେ ପରିବର୍ତ୍ତନ ବନ୍ଦ କରିବା, ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାର ଓ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବା ଆଦି ରହିଛି। ଏହାପରେ ସଂଘର ଏକ ପ୍ରତିନିଧି ମଣ୍ଡଳୀ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ଭେଟି ଦାବି ଉପରେ ଆଲୋଚନା କରିଥିଲେ। ଦାବି ଉପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ପାଇବା ପରେ ସଂଘ ଧାରଣାରୁ ଓହରିଛି।

ସମ୍ବନ୍ଧିତ ଖବର