ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଫୁଲବାଣୀ : ପ୍ରାୟ ୨୦ ଦିନ ଧରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଏକ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା ପରିସ୍ଥିତି ଉପୁଜିଛି। ଚିକିତ୍ସାରେ ଅବହେଳା ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଛି ବୋଲି ପରିବାର ‌ଲୋକେ ଅଭିଯୋଗ ଆଣିବାରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା ଦେଖା ଦେଇଥିଲା।

ଘଟଣାରୁ ପ୍ରକାଶ, ଦାରିଙ୍ଗବାଡ଼ିର ରାକେଶ ନାଏକଙ୍କ ପତ୍ନୀ କମଳିନୀ ଦିଗାଲଙ୍କୁ ଗତ ଅକ୍ଟୋବର ମାସ ୨୦ ତାରିଖରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା। ଗତ ମାସ ୨୨ ତାରିଖରେ କମଳିନୀ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ଶିଶୁର ଓଜନ କମ୍‌ ଥିବାରୁ ଶିଶୁଟିକୁ ଏସ୍‌ଏନ୍‌ସିୟୁରେ ରଖା ଯାଇଥିଲା। ତେବେ ଶିଶୁଟିକୁ ଡାକ୍ତର ପ୍ରଦୀପ କୁମାର ବେହେରା ଏବଂ ନର୍ସମାନେ ଉପଯୁକ୍ତ ଚିକିତ୍ସା କରି ନଥିବାରୁ ଶିଶୁଟିର ମୃତ୍ୟୁ ହୋଇଛି ବୋଲି ମୃତ ଶିଶୁର ପିତା ରାକେଶ ଅଭିଯୋଗ କରିଛନ୍ତି। ଏ ନେଇ ରାକେଶ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଆଜି ଶିଶୁଟିର ମୃତ୍ୟୁ ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଦୀର୍ଘ ସମୟ ଧରି ଉତ୍ତେଜନା ଦେଖା ଦେଇଥିଲା। ଡାକ୍ତରଙ୍କ ଅବ‌େହେଳାରୁ ଏଭଳି ଅଘଟଣ ଘଟିଛି ବୋଲି ଜନସାଧାରଣ ଅଭିଯୋଗ ଆଣିଛନ୍ତି। ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟଙ୍କ ସହ ଯୋଗାଯୋଗ କରିବାରୁ ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅନ୍ୟପଟେ ମୃତ ଶିଶୁର ବାପା ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରମାନଙ୍କ ଅବହେଳା ଏବଂ ଦୁର୍ବ୍ୟବହାର ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର