ଗୋଟିଏ ଭୁଲ୍‌ ସୁଧାରିବା ପରେ ଆଉ ଏକ ଭୁଲ୍‌

ଆମ ଘରର ହାଲଚାଲ, ସୌମ୍ୟର˚ଜନ ପଟ୍ଟନାୟକ

ଗୋଟିଏ ଭୁଲ୍‌କୁ ସୁଧାରିବା ପରେ ସେ ସମ୍ପର୍କରେ ପୁଣି ଏକ ଭୁଲ୍‌ ନିଷ୍ପତ୍ତି ନେଲେ ବିପରୀତ ଫଳ ହେବା ହିଁ ସାର ହୁଏ ଏବଂ ଏହା‌ ଯେ କୌଣସି ବୁଦ୍ଧିମାନର କାର୍ଯ୍ୟ ନୁହେଁ, ତାହା କେହି ବି ସ୍ବୀକାର କରିବେ। ବନହରପାଲିଠାରେ ଥିବା ତାପଜ ବିଦ୍ୟୁତ୍‌ କେନ୍ଦ୍ର କ୍ଷେତ୍ରରେ ସରକାର ଏହିପରି ଏକ ଭୁଲ୍ କରିବାକୁ ଯାଉଛନ୍ତି। ଏଇଏସ୍‌ ବିଦ୍ୟୁତ୍‌ କମ୍ପାନିରୁ ଓହରିଯିବାର ନିଷ୍ପତ୍ତିର ସୁଯୋଗକୁ ବିନିଯୋଗ କରି ସରକାର କମ୍ପାନିର ପୂରା ମାଲିକାନାକୁ ନିଜ ହାତକୁ ଆଣିବାକୁ ଯାଉଛନ୍ତି। ଏହା ଦ୍ବାରା ପୂର୍ବ ସରକାରଙ୍କ ଭୁଲ୍ ନିଷ୍ପତ୍ତିର ସୁଧାର ହେବ। ତେବେ ପୂରା ମାଲିକାନା ଆସିବା ପରେ ସେହି ବିଦ୍ୟୁତ୍‌ କେନ୍ଦ୍ର କିପରି ପରିଚାଳିତ ହେବ, ସରକାର ସେ ନେଇ ଯେଉଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି ତାହା ପୁଣି ଏକ ଭୁଲ୍ ହେବ ବୋଲି ଜାଣିବାଶୁଣିବା ମହଲ ଆଶଙ୍କା ପ୍ରକାଶ କରୁଛନ୍ତି। ଗୋଟିଏ ଠିକ୍‌ ନିଷ୍ପତ୍ତିର ଅସଲ ମାପକାଠି ହେଲା ଏହା କାହାର ସ୍ବାର୍ଥ ସାଧନ କରିବ? ବ୍ୟକ୍ତି, ଦଳ ନା ସମୂହର? ନିଷ୍ପତ୍ତି ନେବା ପୂର୍ବରୁ ସବୁ ଦିଗରୁ ତର୍ଜମା କରି ସଫଳତାର ସମ୍ଭାବନାକୁ ଦେଖାଯାଇଛି କି ନାହିଁ? ମୋଟାମୋଟି ଭାବେ ନିଷ୍ପତ୍ତି ନେବା‌ରେ ପାରଦର୍ଶିତା ଅଛି କି ନାହିଁ?

ତାପଜ ବିଦ୍ୟୁତ୍‌ କେନ୍ଦ୍ରର ଆଗାମୀ ପରିଚାଳନାକୁ ନେଇ ସରକାର ଯେଉଁ ଧର୍ମ ସଂକଟର ସମ୍ମୁଖୀନ ହୋଇଛନ୍ତି; ସେଥିପାଇଁ ‌ଅନେକାଂଶରେ ସେ ନିଜେ ହିଁ ଦାୟୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏକାବନ ପ୍ରତିଶତ ଅଂଶଧନର ମାଲିକ ହୋଇ ମଧ୍ୟ କମ୍ପାନିର ପରିଚାଳନାର ସମସ୍ତ ଦାୟିତ୍ବ ଏଇଏସ୍‌ ପ୍ରତିନିଧି ଭାଇମାନଙ୍କ ଉପରେ ଛାଡ଼ି ଦେଇ ନିଜେ ହାତ ଟେକି ଦେଇଥିଲେ। ଫଳରେ କମ୍ପାନି ଏଇଏସ୍‌ କର୍ତ୍ତୃପକ୍ଷଙ୍କର ମନମୁଖୀ କାର୍ଯ୍ୟକଳାପର ଶିକାର ହୋଇ ଆଜି ଯାବତୀୟ ଅସୁବିଧାର ସମ୍ମୁଖୀନ ହେଉଛି। ଏସବୁ ସମ୍ପର୍କରେ ଏହି ସ୍ତମ୍ଭରେ ପୂର୍ବରୁ ଦୃଷ୍ଟି ଆକର୍ଷଣ କରାଯାଇଛି। ଏଇଏସ୍‌ର ମନମୁଖୀ କାର୍ଯ୍ୟକଳାପ କମ୍ପାନିରେ ପ୍ରଥମେ କର୍ମ ସଂସ୍କୃତିକୁ ନଷ୍ଟ କରିଦେଲା। ଗୋଟିଏ କମ୍ପାନିରେ ତିନି ରକମର ଦରମା ପ୍ରଦାନ କରି କର୍ମଚାରୀଙ୍କ ଭିତରେ ଜାତିଭେଦର ବିଷ ମଂଜି ବୁଣାଗଲା। ଏଇଏସ୍‌ ଦ୍ବାରା ମନୋନୀତ ମୁଷ୍ଟିମେୟ ଅଧିକାରୀଙ୍କୁ ରିସୋର୍ସ ସେୟାରିଂ ନାମରେ ଆକାଶଛୁଆଁ ଦରମା ଦେଇ ସବୁ ବିଭାଗର ମୁଖ୍ୟ କରାଗଲା। ପରେ ମାର୍କେଟ୍‌ ବେସ୍‌ଡ ସାଲାରି କଥା କହି ଆଉ ଏକ ଗୋଷ୍ଠୀ ତିଆରି କରାଗଲା। ଯେଉଁମାନେ ପୁରୁଣା ଦରମା ହାରରେ ରହିଲେ, ସେମାନଙ୍କୁ ଏକରକମର ଅଛୁଆଁ କରି ଅବହେଳିତ କରି ରଖାଗଲା।

ଏଭଳି ଏକ ବ୍ୟବସ୍ଥାରେ ଯେତେବେଳେ ତୃତୀୟ ଓ ଚତୁର୍ଥ ୟୁନିଟ୍‌ର ସମ୍ପ୍ରସାରଣ ହେଲା, ଏଇଏସ୍‌ କର୍ତ୍ତୃପକ୍ଷଙ୍କର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ୧୦ ହଜାର କୋଟିରୁ ଅଧିକ ପୁଞ୍ଜି ବିନିଯୋଗର ସୁପରିଚାଳନା ହୋଇପାରିଲା ନାହିଁ। ଆଜି ଆସ୍‌ ହ୍ୟାଣ୍ଡଲିଂ ପ୍ଲାଣ୍ଟ କାମ କରୁନାହିଁ ତ କୋଇଲା ପରିବହନର ବ୍ୟବସ୍ଥ‌ା ସମ୍ପୂର୍ଣ୍ଣ ହୋଇନାହିଁ। ସମ୍ପ୍ରସାରଣ କାର୍ଯ୍ୟ ଅଯଥାରେ ବିଳମ୍ବିତ ହୋଇ କମ୍ପାନିକୁ ଆର୍ଥିକ କ୍ଷତି ସହିବାକୁ ବାଧ୍ୟ କରିଛି। ଏଥିରେ ଦୁର୍ନୀତି ହୋଇଛି କି ନାହିଁ ତାହା ନିଶ୍ଚିତ ଭାବେ ତଦନ୍ତସାପେକ୍ଷ। ତେବେ ଏଭଳି ଏକ ପରିସ୍ଥିତିରେ ଏଇଏସ୍‌ ଓହରିଯିବାରୁ ପୂର୍ବ ସରକାରର ଭୁଲ୍ ନିଷ୍ପତ୍ତିକୁ ସୁଧାରିବା ପାଇଁ ଏ ସରକାରକୁ ଏକ ସୁଯୋଗ ମିଳିଲା। ସୁଖର କଥା ସରକାର ମଧ୍ୟ ଅନୁରୂପ ନିଷ୍ପତ୍ତି ନେଲେ। ତେବେ ପ୍ରଶ୍ନ ଉଠୁଛି, ଏଇଏସ୍‌ର ମୁଣ୍ଡିଆଳମାନେ ଓହରିଗଲା ପରେ କମ୍ପାନି ଚାଲିବ କିପରି? ସରକାର ଏହି ପରିସ୍ଥିତିରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଜାତୀୟ ତାପଜ ବିଦ୍ୟୁତ୍‌ କର୍ପୋରେସନ୍‌ର ସହଯୋଗ ଲୋଡ଼ିଲେ। ଏନ୍‌ଟିପିସିର ଏକ ପ୍ରତିନିଧିଦଳ ବନହରପାଲିର ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରକୁ ପରିଦର୍ଶନ କରି ଏକ ୮ ଜଣିଆ ପରିଚାଳକ ଗୋଷ୍ଠୀକୁ ଧାର ସୂତ୍ରରେ ପଠାଇବ ବୋଲି ସମ୍ମତି ପ୍ରଦାନ କଲେ। ହଠାତ୍‌ କଣ ହେଲା କେଜାଣି ଏନ୍‌ଟିପିସିର ଏହି ପ୍ରସ୍ତାବକୁ ଗ୍ରହଣ ନ କରି ଏଇଏସ୍‌ର ପୁରୁଣା ଗୋଷ୍ଠୀକୁ ଚଢ଼ା ଦରମାରେ ୬ ମାସ ପାଇଁ କମ୍ପାନି ଚଳାଇବାର ଦାୟିତ୍ବ ଦେବା ନିଷ୍ପତ୍ତି ସରକାର ନେଇଛନ୍ତି। କଥାଟା ନୂଆ ବୋତଲରେ ପୁରୁଣା ମଦ ପରି ମନେ ହେଉଛି। ଏହା ଦ୍ବାରା କାହାର ହିତ ସାଧନ ହେବ ବୁଝାପଡ଼ୁ ନାହିଁ। ଏନ୍‌ଟିପିସିର ପ୍ରତିନିଧିଦଳ ଦାୟିତ୍ବ ‌ନେଲେ ଏଇଏସ୍‌ ସମୟର ଭୁଲ୍ ନିଷ୍ପତ୍ତିଗୁଡ଼ିକ ଧରାପଡ଼ିଯିବ ନାହିଁ ତ? ପୁଣି ରିସୋର୍ସ ସେୟାରିଂ ବ୍ୟବସ୍ଥାରେ ଆକାଶଛୁଆଁ ଦରମା ପାଉଥିବା ବ୍ୟକ୍ତିମାନେ କମ୍‌ ଦରମା ପାଇ କିପରି ଭଲ କାମ କରିବେ ନା ନିଜ ପୁରୁଣା ଭୁଲ୍‌କୁ ଘଣ୍ଟ ଘୋଡ଼ାଇବା ପାଇଁ ଉଦ୍ୟମ କରିବେ, ଏ ନେଇ ସନ୍ଦେହ ହେବା କଣ ଅସ୍ବାଭାବିକ? ପୁଣି ଆଉ ଯେଉଁ କଥାଟି ଶୁଣାଯାଉଛି ତାହା ସତ୍ୟ ହୋଇଥିଲେ ନିଶ୍ଚୟ ସାଂଘାତିକ। ତାପଜ ବିଦ୍ୟୁତ୍‌ କେନ୍ଦ୍ରକୁ କୋଇଲା ଯୋଗାଇବା ପାଇଁ ଓଡ଼ିଶା ସରକାର ଏକ ସ୍ବତନ୍ତ୍ର କମ୍ପାନି (ଓଡ଼ିଶା କୋଲ୍‌ ଆଣ୍ଡ ପାୱାର ଲିମିଟେଡ୍‌)କରି କୋଇଲା ଖଣି ଲିଜ୍‌ ସୂତ୍ରରେ ପାଇଛନ୍ତି। ଏହି କମ୍ପାନିର ଅଂଶଧନର ସିଂହଭାଗ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍‌ ଯୋଗାଇଛି। ଏହି କର୍ପୋରେସନ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଓ ଓପିଜିସିର ଅଧ୍ୟକ୍ଷ ଉଭୟ ସତୀର୍ଥ। ତାଙ୍କ ଭିତରେ କିନ୍ତୁ ଉତ୍ତମ ବୁଝାମଣା ନାହିଁ। ଏହାଠାରୁ ଅଧିକ ସାଂଘାତିକ କଥାଟି ହେଲା, ଏଇଏସ୍‌ର ଯେଉଁମାନଙ୍କୁ ଥଇଥାନ କରାଇବା ପାଇଁ ଏଭଳି ଭୁଲ୍‌ ନିଷ୍ପତ୍ତି ନିଆଯାଉଛି ସେମାନଙ୍କ ମଧ୍ୟରୁ କ‌େତେଜଣ ମଧ୍ୟ ଏମାନଙ୍କର ସତୀର୍ଥ। ସମୁଦାୟ କଥାଟି ସତୀର୍ଥମାନଙ୍କ ସ୍ବାର୍ଥ ସାଧନ ପାଇଁ ହେଉ ନାହିଁ ତ?

ସମ୍ବନ୍ଧିତ ଖବର