ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ପ୍ରସଙ୍ଗ : ଉଦ୍ୟମ ସତ୍ତ୍ବେ ହୋଇପାରିଲାନି ସମାଧାନ

ପଟାଙ୍ଗି : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ସମ୍ବାଇ ପଂଚାୟତରେ ଆନ୍ଧ୍ର ସହ ଲାଗି ରହିଥିବା ସୀମା ଦିନକୁଦିନ ଅଧିକ ଜଟିଳ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଶାନ୍ତି କମିଟି ଗଠନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଯାହାକୁ ଆନ୍ଧ୍ରର ପ୍ରଶାସନିକ ଅଧିକାରୀମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। ଯାହାଫଳରେ କୌଣସି ନିର୍ଯାସ ବାହାରି ନ ପାରି ବୈଠକ ବିଫଳ ହୋଇଥିବା ଜଣାପଡ଼ିଛି।

ସୀମା ବିବାଦକୁ ନେଇ ସୀମାନ୍ତ ଗାଁର ଲୋକ ବାରମ୍ବାର ମୁହାଁମୁହିଁ ହେଉଛନ୍ତି। ଏମିତି ସ୍ଥିତିରେ ସୀମାରେଖା ଚିହ୍ନଟ ପ୍ରକ୍ରିୟା ଚୂଡ଼ାନ୍ତ ନ ହେବା ପର୍ଯ୍ୟନ୍ତ ଶାନ୍ତିରକ୍ଷା ପାଇଁ ଦୁଇ ରାଜ୍ୟର ପ୍ରଶାସନ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ବୈଠକ ପାଇଁ ଆଜି ଦିନ ଧାର୍ଯ୍ୟ କରାଯାଇଥିଲା। ସୀମାନ୍ତ ଗାଁ ସୁନାବେଡ଼ା ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ଏହି ବୈଠକରେ ପଟାଙ୍ଗି ତହସିଲଦାର ହରିପଦ ମଣ୍ଡଳ, ରାଜସ୍ବ ସୁପରଭାଇଜର ରଘୁନାଥ ଖଟେଇ, ରାଜସ୍ବ ନିରୀକ୍ଷକ ସଭା ହରିଜନ, ଆଇଆଇସି ବିଜୟରାଜ ମାଝୀ, ସମ୍ବାଇ ସରପଞ୍ଚ ପୁଲୁକ ଗୁଣ୍ଠା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକ୍ରା ଖରାଙ୍କ ସମେତ ଗ୍ରାମର ମୁଖିଆମାନେ ଯୋଗ ଦେଇଥିଲେ। ସେହିପରି ଆନ୍ଧ୍ର ପକ୍ଷରୁ ଡମୁରିଗୁଡ଼ା ତହସିଲଦାର କେ. ଜୟ ପ୍ରକାଶ, ଏଏସଆଇ ଗୋପାଳ ରାଓ ଯୋଗ ଦେଇଥିଲେ। ଦୁଇ ରାଜ୍ୟର ସମୀନ୍ତ ଗାଁର ଗ୍ରାମବାସୀ ଏବଂ ନିର୍ବାଚିତ ଲୋକପ୍ରତିନିଧି ବି ବୈଠକକୁ ଆସିଥିଲେ। ଦୀର୍ଘ ସମୟ ଧରି ଉଭୟପକ୍ଷ ଆଲୋଚନା କରିଥିଲେ ବି ଓଡ଼ିଶା ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ। ବିଭିନ୍ନ ଆଳ ଦେଖାଇ ବୈଠକରୁ ଓହରି ଯାଇଥିବା ମଧ୍ୟ ସୂଚନା ମିଳିଛି। ଯାହାଫଳରେ ଆଗକୁ ସୀମାନ୍ତ ଗାଁରେ ସ୍ଥିତି ଅଧିକ ଜଟିଳ ହେବ ବୋଲି ଅଶାଙ୍କା କରାଯାଉଛି। ଯଦି ଏଥିପାଇଁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜେ ଏଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି। ଆନ୍ଧ୍ରର ଡୁମୁରିଗୁଡ଼ା ଓ କୋରାପୁଟ ଜିଲ୍ଲାର ପଟାଙ୍ଗି ତହସିଲଦାର ଉଭୟ ରାଜ୍ୟର ସୀମାନ୍ତରେ ଥିବା ଅଞ୍ଚଳର ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସୀମା ସମସ୍ୟାର ସମାଧାନ କରିବାକୁ ଉଦ୍ୟମ ହେଉଥିବାରୁ ସୀମାରେ ଶାନ୍ତି ଫେରିବ ବୋଲି ଆଶା କରାଯାଉଥିଲା ସମ୍ବାଇ ସରପଞ୍ଚ ପିଲୁକୁ ଗୁଣ୍ଠା ଜଣାଇଛନ୍ତି। କିନ୍ତୁ ମିଳିତ ଶାନ୍ତି କମିଟି ଗଠନ କରିବା ପାଇଁ ଆନ୍ଧ୍ରପ୍ରଦେଶ ଅରାଜି ହେବା କାରଣରୁ ପରିସ୍ଥିତି ପୂର୍ବଭଳି ରହିବ ଏବଂ ଅଶାନ୍ତି ବଢ଼ିବାର ସମ୍ଭାବନା ରହିଥିବା ନେଇ ସେ ଅଶାଙ୍କା କରୁଛନ୍ତି।

ସମ୍ବନ୍ଧିତ ଖବର