ଉଜୁଡ଼ିଗଲା ପରିବାର : ଦୁଇ ପୁଅ ପରେ ଆଖି ବୁଜିଲେ ମା’

ଅର୍ଥାଭାବ ନେଲା ୩ ଜୀବନ

ଅନୁଗୁଳ : ଅର୍ଥାଭାବ ନେଲା ୩ ଜୀବନ। ନିଆଁରେ ପୋଡ଼ି ଆହତ ହୋଇଥିବା ଶାବଳଭଙ୍ଗା ଗ୍ରାମର ଦୁଇ ନିଷ୍ପାପ ଶିଶୁଙ୍କ ପରେ ଶୁକ୍ରବାର ମା’ ବଚନ ବେହେରା ବି ଆଖି ବୁଜିଛନ୍ତି।

ଅନୁଗୁଳ ବ୍ଲକ ଶାବଳଭଂଗା ଗାଁର ପବିତ୍ର ବେହେରା ଜଣେ କାଠ ମିସ୍ତ୍ରି ଭାବେ କାମ କରନ୍ତି। ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। ତଥାପି ପିଲାକୁ ପାଠ ପଢ଼ାଇ ଭଲ ମଣିଷ କରିବାର ସ୍ବପ୍ନ ଦେଖିଥିଲେ। ପୁଅ ରାହୁଲ(୭)କୁ ଟ୍ୟୁସନ ଦେଉଥିଲେ। ମାତ୍ର ଅର୍ଥାଭାବ ଯୋଗୁଁ ଠିକ୍ ସମୟରେ ଟ୍ୟୁସନ ଫି’ ଦେଇପାରି ନଥିଲେ। ଟ୍ୟୁସନ୍‌ ଫି ଦେଇପାରି ନଥିବାରୁ ଗତ ୧୮ ତାରିଖ ଦିନ ରାହୁଲକୁ ତାର ଜଣେ ସହପାଠିନୀ କମେଣ୍ଟ ମାରିଥିଲା। ଏହା ମା’ ବଚନଙ୍କୁ ବାଧିଥିଲା। କମେଣ୍ଟ ମାରିବା ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ସାହିର ମହିଳା ସ˚ଘ ଏହାର ସମାଧାନ ପାଇଁ ଚେଷ୍ଟା କରିଥିଲେ। ମାତ୍ର ସମାଧାନ ହୋଇ ପାରିନଥିଲା। ଅପରପକ୍ଷରେ ସେଦିନ ରାତିରେ ପୁଣି ଅର୍ଥାଭାବକୁ କେନ୍ଦ୍ର କରି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସ୍ବାମୀ ପବିତ୍ର ଘର ବାରଣ୍ତାରେ ଯାଇ ଶୋଇଥିଲେ। ବଚନ ଉତ୍ତ୍ୟକ୍ତ ହୋଇ ନିଜର ଦୁଇ ନିଷ୍ପା‌ପ ଶିଶୁଙ୍କ ସହ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଅନୁଗୁଳ ଡାକ୍ତରଖାନାକୁ ଅଣାଯାଇଥିଲା। ଅବସ୍ଥା ଉଦ୍୍୍୍ବେଗଜନକ ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ପରିବାର ଲୋକେ ସେମାନଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରିଥିଲେ। ସୋମବାର ସନ୍ଧ୍ୟାରେ ବଡ଼ ପୁଅ ରାହୁଲ (୭) ଆଖି ବୁଜିଥିଲା। ସେହିଦିନ ବିଳମ୍ବିତ ରାତିରେ ଦେଢ଼ ବର୍ଷର ସାନପୁଅ ଅଭିମନ୍ୟୁର ବି ପ୍ରାଣବାୟୁ ଉଡ଼ି ଯାଇଥିଲା। ଏଣେ ଅର୍ଥାଭାବ ଯୋଗୁଁ ବଚନଙ୍କୁ ଆଉ ଅଧିକ ଦିନ ଘରୋଇ ଡାକ୍ତରଖାନାରେ ରଖି ଚିକିତ୍ସା କରିବା ସମ୍ଭବ ହୋଇନଥିଲା। ସେହି ଘରୋଇ ଡାକ୍ତରଖାନାରୁ ପୁଣି ତାଙ୍କୁ ପରିବାର ଲୋକେ ଅନୁଗୁଳକୁ ଫେରାଇ ଆଣିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନେ ପୁଣି ତାଙ୍କୁ କଟକ ରେଫର୍‌ କରିଥିଲେ। ହେଲେ ଅର୍ଥ ସାଜିଥିଲା ପ୍ରତିବନ୍ଧକ। ‌ଡାକ୍ତର ରେଫର୍‌ କରିବା ସତ୍ତ୍ବେ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଥିଲେ। ପରିଶେଷରେ ଶୁକ୍ରବାର ସନ୍ଧ୍ୟାରେ ବଚନ ବି ଆରପାରିକୁ ଚାଲି ଯାଇଥିଲେ। ପରିବାର ଛାରଖାର ହୋଇଗଲା।

ସମ୍ବନ୍ଧିତ ଖବର