ଅଞ୍ଜନା ମିଶ୍ରଙ୍କ ଆବେଦନ ଶୁଣାଣିରେ ପୂର୍ଣ୍ଣଚ୍ଛେଦ

କଟକ : ୧୯ବର୍ଷ ତଳେ ହାଇକୋର୍ଟରେ ଅଞ୍ଜନା ମିଶ୍ର ଦାୟର କରିଥିବା ଆବେଦନର ଆଜି ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସୋମବାର ଦିନ ଏ ସଂପର୍କିତ ଆବେଦନର ଶୁଣାଣି ସମୟରେ ରାଜ୍ୟ ସରକାର ଓ ସିବଆଇ ପକ୍ଷରୁ ଦର୍ଶାଯାଇଥିଲା ଯେ, ୧୯୯୯ରେ ଘଟିଥିବା ଦୁଷ୍କର୍ମ ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିବନ ବଶ୍ବାଳକୁ ଇତିମଧ୍ୟରେ ଗିରଫ କରାଯାଇଛି। ବିବନ ବିଶ୍ବାଳ ଏବେ ବିଚାରବିଭାଗୀୟ ହାଜତରେ ରହିଛି। ଫେରାର ଅଭିଯୁକ୍ତ ଗିରଫ ହୋଇଥିବା ଦୃଷ୍ଟିରୁ ହାଇକୋର୍ଟ ଏ ସଂପର୍କିତ ମାମଲାର ଆଜି ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ, ଅଞ୍ଜନା ମିଶ୍ରଙ୍କ ସହିତ ଦୁଷ୍କର୍ମ ନେଇ ପ୍ରଥମେ କଟକ ମହିଳା ଥାନାରେ ୧୯୯୯ ଜାନୁଆରି ୧୦ ତାରିଖରେ ଏକ ମାମଲା ରୁଜୁ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିଲା। ଏହାପରେ ସିବିଆଇ ହାତକୁ ତଦନ୍ତ ଭାର ଯାଇଥିଲା। ମାମଲାରେ ପ୍ରଦୀପ ସାହୁ ଓରଫ ପଦିଆ ଓ ଧୀରେନ୍ଦ୍ର ମହାନ୍ତି ଓରଫ ଟୁନିଆକୁ ଗିରଫ କରାଯାଇଥିଲା। ୨୦୦୨ ଏପ୍ରିଲ ୨୯ରେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ ମାମଲାର ରାୟ ପ୍ରକାଶ କରି ପଦିଆ ଓ ଟୁନିଆକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ମାମଲାର ରାୟ ପ୍ରକାଶ ସମୟରେ ଅଭିଯୁକ୍ତ ବିବନ ବିଶ୍ବାଳ ଫେରାର ଥିଲା। ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ ହୋଇ ୨୦୦୨ ଜୁନ୍ ୧୨ରେ ଅଞ୍ଜନା ମିଶ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତଦନ୍ତ ପ୍ରକ୍ରିୟା‌ରେ ଶିଥିଳତା ଓ ମୁଖ୍ୟ ଅଭିଯୁକ୍ତର ଗିରଫ ପ୍ରସଙ୍ଗ ନେଇ ଏହି ମାମଲା ଦାୟର କରାଯାଇଥିଲା। ଘଟଣା ପଛରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋ‌ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରାଯାଇଥିଲା।

ମାମଲାର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ ସିବିଆଇକୁ ନୋଟିସ୍ ଜାରି କରିଥିଲେ। ଦୁଇ ଅଭିଯୁକ୍ତଙ୍କୁ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡିତ କରାଯାଇଥିବାବେଳେ ଫେରାର ଥିବା ବିବନ ବିଶ୍ବାଳକୁ ଗିରଫ ପାଇଁ ଚେଷ୍ଟା ଜାରି ରହିଛି ବୋଲି ସିବିଆଇ ହାଇକୋର୍ଟରେ ଜବାବରେ ଦର୍ଶାଇଥିଲା। ୨୦୧୯ରେ ଶେଷଥର ଏହି ମାମଲ ହାଇକୋର୍ଟରେ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିବାବେଳେ ଶୁଣାଣି ଘୁଞ୍ଚିଥିଲା। ହାଇକୋର୍ଟରେ ୨୦୧୯ ନଭେମ୍ବର ୧୮ରେ ମାମଲାର ଶୁଣାଣି ସମୟରେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କ ପକ୍ଷରୁ ସମୟ ନିଆଯାଇଥିଲା।୨୦୧୯ ଡିସେମ୍ବର ୧୬କୁ ମାମଲାର ଶୁଣାଣି ଧାର୍ଯ୍ୟ କରାଯାଇଥିଲା। ଏହାପରେ ଆଜି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା।

ସମ୍ବନ୍ଧିତ ଖବର