ସ୍ଥାୟୀ ଚାକିରି ଦାବିରେ ରାସ୍ତାକୁ ଓହ୍ଲାଇଲେ ଏଏନ୍‌ଏମ୍

ଭୁବନେଶ୍ବର : ମହାମାରୀ କରୋନା ସଂକ୍ରମିତଙ୍କୁ ସେବା ଯୋଗାଉଥିବା ଏଏନ୍‌ଏମ୍‌ମାନଙ୍କୁ ଚାକିରିରୁ ବାହାର କରିବା ପରିବର୍ତ୍ତେ ତୁରନ୍ତ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବିରେ ଆଜି ମହିଳା ସ୍ବାସ୍ଥ୍ୟକର୍ମୀମାନେ ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ କରିଛନ୍ତି। ଏପରିକି ଏହାର ସମାଧାନ ପାଇଁ ପୁଲିସ୍ ଏସିପିଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ସିଧାସଳଖ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ରାତିତମାମ୍ ଏଏନ୍‌ଏମ୍ ସ୍ବାସ୍ଥ୍ୟକର୍ମୀମାନେ ଧାରଣା ଦେଇଥିବା ଜଣାପଡ଼ିଛି।

ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ମହାମାରୀ କରୋନା ପୂର୍ବରୁ ନିଯୁକ୍ତି ପାଇଁ ମହିଳା ସ୍ବାସ୍ଥ୍ୟକର୍ମୀମାନେ ବାରମ୍ବାର ସରକାରଙ୍କ ନିକଟରେ ଦାବି କରିଆସୁଥିଲେ ହେଁ ଚାକିରି ମିଳିନଥିଲା। ମାତ୍ର କରୋନା ସମୟରେ ଆମକୁ ସରକାର ୩ ମାସିଆ ଠିକା ନିଯୁକ୍ତି ଦେଇ ଲୋକଙ୍କୁ ସେବା ଯୋଗାଇବାକୁ କହିଥିଲେ। ଫଳରେ ଆମେ ଲୋକଙ୍କ ଘରରୁ ଘର ବୁଲି ନମୁନା ସଂଗ୍ରହ, ଟ୍ରାକିଙ୍ଗ୍ ସଚେତନତା, ବିଦେଶ ଫେରନ୍ତା ଲୋକଙ୍କୁ ସଙ୍ଗରୋଧରେ ରଖିବା ପାଇଁ ରାତିଦିନ ସେବା ଯୋଗାଉଥିଲୁ। ତେବେ ଆମେ କରୋନା ସମୟରେ ଜୀବନ ବାଜି ଲଗେଇ ଲୋକଙ୍କ ସ୍ବାସ୍ଥ୍ୟସେବା ଦେଉଥିବା ବେଳେ ସରକାର ବର୍ତ୍ତମାନ ଆମକୁ ଛଟେଇ କରି ଆମ ମୁହଁରୁ ଦାନା ଛଡ଼େଇନେଇଛନ୍ତି। ସେହିଭଳି ଗତବର୍ଷରୁ ୧୫ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇ ମଧ୍ୟ ଏବେ ସୁଦ୍ଧା କୌଣସି ପଦବି ବାହାର କରିନାହାନ୍ତି। ମାତ୍ର ନିକଟରେ ନର୍ସିଂ ଷ୍ଟାପ୍‌ଙ୍କ ନିଯୁକ୍ତି ବାହାରିଥିବା ବେଳେ ଏଏନ୍‌ଏମ୍ ସ୍ବାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ବାହାର ନକରିବା ସେମାନଙ୍କ ପ୍ରତି ଅବିଚାର ବୋଲି ସଂଘ କହିଛି। ତେଣୁ ପଦବି ଖାଲିପଡ଼ିଥିବା ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆନଗଲେ ଆମରଣ ଅନଶନ କରିବା ସହିତ ଆତ୍ମଦାହ କରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର