ବାଦାମବାଡ଼ିରେ ଠକଙ୍କ ନିଯୁକ୍ତି ମେଳା: ଥାନାରେ ୮୦ ଜଣଙ୍କ ଅଭିଯୋଗ; ଠକି ନେଲେଣି ୧୦ କୋଟି

କଟକ : କଟକ ବାଦାମବାଡ଼ି ଅଞ୍ଚଳରେ ଏବେ ନିଯୁକ୍ତି ପ୍ରଦାନ ପ୍ରତିଶ୍ରୁତି ଦେଉଥିବା ଠକ ସଂସ୍ଥା ହାଉଯାଉ ହେଉଛନ୍ତି। ରେଳବାଇ, ବ୍ୟାଙ୍କ, ଡାକ୍ତରଖାନା, ସୁରକ୍ଷା କର୍ମୀ ସଂସ୍ଥାରେ ସ୍ଥାୟୀ ନିଯୁକ୍ତି ପାଇଁ ୫୦୦ ଟଙ୍କା ପଞ୍ଜୀକରଣ ରାଶି ନେଉଥିବାବେଳେ ସାକ୍ଷାତକାର, ନିଯୁକ୍ତିପତ୍ର ପ୍ରଦାନ ଆଳରେ ପ୍ରାର୍ଥୀଙ୍କ ନିକଟରୁ ଟଙ୍କା ଲୁଟି ନେଉଛନ୍ତି ଏହି ଠକ ସଂସ୍ଥା।

ସୂଚନା ଅନୁସାରେ; ଏହି ଠକସଂସ୍ଥାଗୁଡ଼ିକ ମୁଖ୍ୟତଃ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର ଭଳି ଉପାନ୍ତ ଜିଲ୍ଲାର ବେକାର ଯୁବକ ଯୁବତୀଙ୍କୁ ଟାର୍ଗେଟ କରୁଛନ୍ତି। ଟଙ୍କା ନେଲା ପରେ ନିଯୁକ୍ତି ଦେଉ ନଥିବା ବେଳେ ଟଙ୍କା ମାଗିଲେ ଅଫିସକୁ ଡାକି ମାଡ଼ି ମାରୁଛନ୍ତି। ଚଳିତ ବର୍ଷ ବାଦାମବାଡ଼ି ଥାନାରେ ପ୍ରାୟ ୮୦ ଜଣ ଯୁବକଯୁବତୀ ଏଭଳି ଠକ ସଂସ୍ଥାଙ୍କ ବିରୋଧରେ ଅଭିଯୋଗ କରିଥିବା ବେଳେ ପାଖାପାଖି ୧୦ କୋଟି ଟଙ୍କା ଏହି ଠକ ସଂସ୍ଥା ଲୁଟି ନେଇଥିବା ପୁଲିସ ଆକଳନ କରୁଛି।

ସୂଚନା ଅନୁଯାୟୀ, ଏହି ଠକ ସଂସ୍ଥା ଅରୁଣୋଦୟ ମାର୍କେଟ, ଶଙ୍କରପୁର ଦାସ ସାହି, ପରିଡ଼ା ସାହି, ହାଇକୋର୍ଟ କଲୋନିରେ ନିଜର ଅଫିସ ଖୋଲିଛନ୍ତି। ସେଥିରୁ ଅଧିକାଂଶ ଅଫିସ ଅରୁଣୋଦୟ ମାର୍କେଟରେ ଖୋଲାଯାଇଛି। ଚଳିତବର୍ଷ ବାଦାମବାଡ଼ି ଅଞ୍ଚଳରେ ଯେଉଁ ଠକେଇ ମାମଲା ରୁଜୁ ହୋଇଛି, ସବୁ ମାମଲାରେ ସମାନ ପ୍ରକାର କୌଶଳ ଠକ ସଂସ୍ଥାର କର୍ମକର୍ତ୍ତା ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।

ଜଗତସିଂହପୁର ତିର୍ତ୍ତୋଲର ଅଳାକଣର ସଂଜିତ କୁମାର ପରିଜା ଏଚପି ଏଣ୍ଟରପ୍ରାଇଜର୍ସ ଓ ପିପି ଏଣ୍ଟରପ୍ରାଇଜେର୍ସ ନାଁରେ ଶଙ୍କରପୁର ଦାସ ସାହିରେ ଅଫିସ ଖୋଲି ପାଖାପାଖି କୋଟିଏ ଟଙ୍କା ହଡ଼ପ କରି ନେଇଥିଲା।

ବଲାଙ୍ଗୀର ଅଞ୍ଚଳର ତୁଲେଶ୍ବର ବେହେରାଙ୍କୁ ନିଯୁକ୍ତି ଦେବାକୁ କହି ହାଇକୋର୍ଟ କଲୋନିରେ ଠକ ସଂସ୍ଥା ଏ ଟୁ ଜେଡ୍ ୧୮ ହଜାର ଟଙ୍କା ନେଇଥିଲା। ସଂସ୍ଥା କର୍ତ୍ତୃପକ୍ଷ ଟଙ୍କା ଫେରସ୍ତ ନକରି ନିର୍ଯାତନା ଦେବା ଆରମ୍ଭ କରିଥିଲା। ଏ ସଂକ୍ରାନ୍ତରେ ତୁଲେଶ୍ବର ଜୁଲାଇ ୨୨ ତାରିଖରେ ବାଦାମବାଡ଼ି ଥାନାରେ ଏତଲା ଦେଇଥିଲେ। ଠକ ସଂସ୍ଥା ମାଲିକ ବିନୟ ଦାସ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ସେବେଠୁ ବିନୟ ଫେରାର ହୋଇଯାଇଥିଲା। ଅରୁଣୋଦୟ ମାର୍କେଟରେ ସିନର୍ଜି କନସଲଟାନ୍ସି ନାଁରେ ଖୋଲିଥିବା ଏକ ଠକ ସଂସ୍ଥାର ଦୁଇ ମାଲିକ ସନ୍ଦିର ଚାର୍ଚ୍ଚା ଓ ସୌମ୍ୟରଞ୍ଜନ ସାହୁଙ୍କୁ ବାଦାମବାଡି଼ ଥାନା ପୁଲିସ ସେପ୍ଟେମ୍ବର ୧୯ ତାରିଖରେ ଗିରଫ କରିଥିଲା।

ଅରୁଣୋଦୟ ମାର୍କେଟରେ ଅଫିସ ଖୋଲିଥିବା ଏ ଟୁ ଜେଡ୍ ଠକ ସଂସ୍ଥାରେ ପ୍ରାୟ ୭ ଜଣ ମହିଳା କର୍ମଚାରୀ କାର୍ଯ୍ୟ କରୁଛନ୍ତି। କେହି ପ୍ରାର୍ଥୀ ଟଙ୍କା ଫେରସ୍ତ ପାଇଁ ଅଡ଼ି ବସିଲେ ସମ୍ପୃକ୍ତ ମହିଳାଙ୍କୁ ବ୍ୟବହାର କରି ଦୁର୍ବ୍ୟବହାର ଅଭିଯୋଗ ଆଣୁଛନ୍ତି। ଏବେ ସଂସ୍ଥାର ମାଲିକ ବିନୟ ବେହେରାକୁ ପୁଲିସ ଖୋଜୁଛି। ରାଜ୍ୟରେ ଶହ ଶହ ପ୍ରାର୍ଥୀ ନିର୍ଦ୍ଦିଷ୍ଟ ଭାବେ ଏ ଟୁ ଜେଡ୍ ସଂସ୍ଥା ମାଧ୍ୟମରେ ଠକେଇର ଶିକାର ହୋଇଛନ୍ତି। କେତେ ସଂଖ୍ୟାରେ ପ୍ରାର୍ଥୀ ଟଙ୍କା ଦେଇଥିଲେ ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଥିବା ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।

ଏହିଭଳି ଅନେକ ଠକସଂସ୍ଥା କାରବାର ମିଛ ନିଯୁକ୍ତି ଦେଇ କୋଟିକୋଟି ଟଙ୍କା ଠକିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର