୨୦ରେ ଉଜ୍ଜ୍ୱଳା ଦିବସ : ରାଜ୍ୟର ୬୬୭ ସ୍ଥାନରେ ଆୟୋଜିତ ହେବ ଏଲପିଜି ପଞ୍ଚାୟତ

ଭୁବନେଶ୍ୱର : ଏପ୍ରିଲ ୧୪ରୁ ମେ’ ୫ ପର୍ଯ୍ୟନ୍ତ ସାରା ଦେଶରେ ପାଳନ କରାଯାଉଥିବା ଗ୍ରାମ ସ୍ୱରାଜ ଅଭିଯାନର ଅଂଶସ୍ୱରୂପ ଏପ୍ରିଲ ୨୦କୁ ଉଜ୍ଜ୍ୱଳା ଦିବସ ଭାବେ ପାଳନ କରାଯିବ। ଏହି ଅବସରରେ ଓଡ଼ିଶାର ୬୬୭ଟି ସ୍ଥାନରେ ଏଲପିଜି ପଞ୍ଚାୟତ ଆୟୋଜିତ ହେବ। ଏଲପିଜିର ନିରନ୍ତର ବ୍ୟବହାରକୁ ପ୍ରେତ୍ସାହନ, ଏଲପିଜି ବ୍ୟବହାରରେ ନିରାପତ୍ତା ଓ ଗ୍ରାମୀଣ ଉପଭୋକ୍ତାଙ୍କ ସଂଖ୍ୟା ବଢ଼ାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ରାଜ୍ୟର ୬୬୭ଟି ସ୍ଥାନରେ ଏକକାଳୀନ ଅନୁଷ୍ଠିତ ହେବ। ‘କିଛି ଶିଖ, କିଛି ଶିଖାଅ’ ମାଧ୍ୟମରେ ଲୋକଙ୍କୁ ଏଲପିଜି ବ୍ୟବହାରରେ ନିରାପତ୍ତା ସମ୍ପର୍କରେ ସଚେତନ କରାଯିବ। ସେହିପରି ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଉପକୃତ ହୋଇଥିବା ମହିଳାମାନେ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିବା ସହ ସ୍ୱାସ୍ଥ୍ୟ, ପରିବେଶ ଏବଂ ମହିଳା ସଶକ୍ତୀକରଣ ଦିଗରେ ଏଲପିଜିର ଅବଦାନକୁ ନେଇ ଦଳଗତ ଆଲୋଚନା କରାଯିବ। ଏହି ଅବସରରେ ଓଡ଼ିଶାର ୭୦ ହଜାର ପରିବାରକୁ ଏଲପିଜି ସଂଯୋଗ ଦିଆଯିବ। ତୈଳ ମନ୍ତ୍ରାଳୟ ନେତୃତ୍ୱରେ ତୈଳ ବିପଣନକାରୀ କମ୍ପାନିର ପିଏସୟୁଗୁଡ଼ିକ ଜରିଆରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଚନ୍ଦ୍ରଶେଖରପୁରସ୍ଥିତ ଇଣ୍ଡିଆନ୍‌ ଅଏଲ ଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଆଇଓସିଏଲର ମୁଖ୍ୟ ମହାପ୍ରବନ୍ଧକ ତଥା ତୈଳ ଉଦ୍ୟୋଗର ରାଜ୍ୟସ୍ତରୀୟ ସଂଯୋଜକ ପ୍ରୀତିଶ ଭରତ, ଏଲପିଜି ଆଇଓସିଏଲ ମୁଖ୍ୟ ପ୍ରବନ୍ଧକ ପ୍ରକାଶ ସାହୁ, ବିପିସିଏଲର ସଞ୍ଜୟ ଶର୍ମା, ଏଚ୍‌ପିସିଏଲର ଧର୍ମେନ୍ଦ୍ର ବେହୁରା ଓ ଆଇଓସିଏଲ ବରିଷ୍ଠ ପ୍ରବନ୍ଧକ ଶ୍ରୀନିବାସ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର