ସମ୍ବଲପୁର : ଧାନ ସଂଗ୍ରହ ପ୍ରକ୍ରିୟାରେ ମିଲ୍ ମାଲିକଙ୍କ ଟଙ୍କାଟିଏ ବି ଖର୍ଚ୍ଚ ହେଉନି। କିନ୍ତୁ, କୋଟି କୋଟି ଟଙ୍କାର ଲାଭ ହେଉଛି। କଟ୍ନି ଛଟ୍ନି ଆଳରେ ଚାଷୀଙ୍କଠାରୁ ମନଇଚ୍ଛା ଧାନ କାଟି କୋଟି କୋଟି ଟଙ୍କାର ଲାଭ କରୁଥିବା କୃଷକ ସଂଗଠନ ଅଭିଯୋଗ କରିଛି। ସମ୍ବଲପୁର ଜିଲ୍ଲାରେ ପ୍ରଶାସନ ନିରବତା ଅବଳମ୍ବନ କରିଥିବା ବେଳେ ମିଲ୍ ମାଲିକଙ୍କ ମନମୁଖି ଚାଲିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାପ୍ତ ସୂଚନା ଅନୁସାରେ, ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ଅର୍ଥ ଯୋଗାଇଥାନ୍ତି। ପେକ୍ସ, ଲେମ୍ପସ ଭଳି ସରକାରୀ ସଂସ୍ଥା ଜରିଆରେ ଧାନ ସଂଗ୍ରହ କରାଯାଇଥାଏ। ଚାଷୀମାନେ ଧାନ ମଣ୍ଡି/କ୍ରୟକେନ୍ଦ୍ରକୁ ଆଣିଥାନ୍ତି। ମଣ୍ଡି/କ୍ରୟକେନ୍ଦ୍ରରେ ଚାଷୀମାନଙ୍କ ଧାନର ମାନ ନିର୍ଣ୍ଣୟ ତଥା ମାପ କରାଯିବାର ନିୟମ ରହିଛି। ସେଠାରୁ ଟ୍ରାନ୍ପୋର୍ଟ ଏଜେଣ୍ଟଙ୍କ ଜରିଆରେ ଧାନ କଷ୍ଟମ୍ ମିଲିଂ ପାଇଁ ରାଇସ୍ ମିଲ୍କୁ ଯିବା କଥା। ଧାନ ସଂଗ୍ରହ ପ୍ରକ୍ରିୟାରେ କଷ୍ଟମ୍ ମିଲିଂ ବ୍ୟତୀତ ମିଲ୍ ମାଲିକମାନଙ୍କ ଅନ୍ୟ କୌଣସି ଭୂମିକା ନଥାଏ। କିନ୍ତୁ, ଏବେ ମିଲ୍ ମାଲିକମାନେ ଧାନ ସଂଗ୍ରହ ପ୍ରକ୍ରିୟାରେ ଅଘୋଷିତ ଭାବେ ମୁଖ୍ୟ ଭୂମିକା ତୁଳାଉଥିବା ଦେଖିବାକୁ ମିଳୁଛି। ଜିଲ୍ଲାରେ ମଣ୍ଡି/କ୍ରୟକେନ୍ଦ୍ରଗୁଡ଼ିକରେ ଭିତ୍ତିଭୂମିର ଅଭାବ ରହିଛି।
ଧାନର ମାନ ନିର୍ଣ୍ଣୟ ଓ ମାପ କରିବା ଦାୟିତ୍ବ ଆର୍ଏମ୍ସିକୁ ନ୍ୟସ୍ତ କରାଯାଇଛି। ତେବେ, ଆର୍ଏମ୍ସି ଏହି ଗୁରୁଦାୟିତ୍ବ ତୁଳାଇବାରେ ଫେଲ୍ ମାରୁଛି। ଏପଟେ ଟ୍ରାନ୍ସପୋର୍ଟ ଏଜେଣ୍ଟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉ ନାହିଁ। ଲୋକଦେଖାଣିଆ ଭାବେ ଟ୍ରାନ୍ସପୋର୍ଟ ଏଜେଣ୍ଟ ନିଯୁକ୍ତି ପାଇଁ ଟେଣ୍ଡର ଆହ୍ବାନ କରାଯାଉଛି। କିନ୍ତୁ, ପରବର୍ତ୍ତୀ ସମୟରେ ବିଭିନ୍ନ ଆଳ ଦେଖାଇ ତାହା ପୁଣି ବାତିଲ କରାଯାଉଛି। ଚାଷୀମାନେ ନିଜ ଟୋକନ୍ ଅନୁସାରେ ମଣ୍ଡି/କ୍ରୟକେନ୍ଦ୍ରକୁ ଧାନ ଆଣୁଥିବା ବେଳେ ସେଠାରେ ନାମକୁ ମାତ୍ର କାଗଜପତ୍ର କାମ ହେଉଛି। ଟ୍ରାନ୍ସପୋର୍ଟ ଏଜେଣ୍ଟ ବ୍ୟବସ୍ଥା ନଥିବାରୁ ଚାଷୀମାନଙ୍କୁ ମଣ୍ଡି ସହିତ କଷ୍ଟମ୍ ମିଲିଂ ପାଇଁ ଟ୍ୟାଗ୍ ହୋଇଥିବା ରାଇସ୍ ମିଲ୍କୁ ପଠେଇ ଦିଆଯାଉଛି। ଆଉ ସେଠାରେ ଆରମ୍ଭ ହେଉଛି ଖେଳ। କଟ୍ନି ଛଟ୍ନି ନାମରେ ଚାଷୀମାନଙ୍କ କୁଇଣ୍ଟାଲ ପିଛା ୩ କିଲୋଗ୍ରାମରୁ ୬ କିଲୋଗ୍ରାମ ପର୍ଯ୍ୟନ୍ତ ଧାନ କାଟି ଦିଆଯାଉଥିବା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ ଏହାର ବିରୋଧ କରୁଛନ୍ତି, ସେମାନଙ୍କୁ ବିଭିନ୍ନ ଉପାୟରେ ହଇରାଣ କରାଯାଉଛି। ଏଭଳି ସ୍ଥିତି ନେଇ କୃଷକ ସଂଗଠନ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଚାରପାଲି ମଣ୍ଡିରେ ଚାଷୀମାନେ ଅନେକ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ କରିଥିବା ବେଳେ ଗତକାଲି ଧମାରେ ଚାଷୀମାନେ ଧାନ ନବିକିବାକୁ ସ୍ଥିରକରି ଧାରଣାରେ ବସି ଯାଇଥିଲେ। ତେବେ, ଯୋଗାଣ ବିଭାଗ ସହିତ ପ୍ରଶାସନିକ ଅଧିକାରୀଙ୍କୁ ଏ ସଂପର୍କରେ ଅବଗତ କରାଯାଇଥିଲେ ବି କେହି ଆସିନଥିଲେ। ପାଲଟା ମିଲ୍ ମାଲିକଙ୍କୁ ଚାଷୀମାନଙ୍କ ସହିତ ଆଲୋଚନା ପାଇଁ ପଠେଇ ଦେଇଥିଲେ। ମିଲ୍ ମାଲିକମାନେ ଧାନ ଖରାପ ଥିଲେ ସଂପୃକ୍ତ ଚାଷୀଙ୍କ ସହିତ ଆଲୋଚନା ଜରିଆରେ ଯାହା କିଛି କଟ୍ନି ଛଟ୍ନି କରିବାକୁ ରାଜି ହେବା ପରେ ଚାଷୀମାନେ ଧାରଣରୁ ଉଠିବା ସହିତ ଧାନ ବିକି ପାଇଁ ରାଜି ହୋଇଥିଲେ। କେବଳ ଚାରପାଲି କି ଧମା ନୁହେଁ, ଅନ୍ୟ ଅଂଚଳରେ ବି କଟ୍ନି ଛଟ୍ନିକୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନ ସରକାରୀ ଅର୍ଥରେ ଧାନ କିଣାବିକା ହେଉଥିବା ବେଳେ ଏବାବଦକୁ ଟଙ୍କାଟିଏ ବି ଖର୍ଚ୍ଚ ନକରି କଟ୍ନି ଛଟ୍ନି କରିବାକୁ ମିଲ୍ ମାଲିକମାନେ କିଏ ବୋଲି ପ୍ରଶ୍ନ କରିଛନ୍ତି। ଯଦି, କୁଇଣ୍ଟାଲ ପ୍ରତି ସର୍ବନିମ୍ନ ୩/୪ କିଲୋଗ୍ରାମ ଧାନ କଟାଯାଉଥିବା ନେଇ ହିସାବକୁ ନିଆଯାଏ, ତାହେଲେ ଖରିଫ ଫସଲରୁ ହେଉଥିବା ଧାନ ସଂଗ୍ରହରୁ କେତେ ଟଙ୍କାର ଲାଭ ମିଲ୍ ମାଲିକଙ୍କୁ ହେଉଥିବ, ତାହା ଅନୁମାନ କରାଯାଇପାରେ ବୋଲି ସେ କହିଛନ୍ତି। ଏସଂକ୍ରାନ୍ତରେ ସମ୍ବଲପୁର ଆର୍ଏମ୍ସି ସଂପାଦକଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେହେଁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।