ଭାରତ ମହାସାଗରରୁ ପ୍ରଥମ ଥର ଆରିଓସୋମା ମାଜୁସ୍ ମାଛ ଠାବ

ଗୋପାଳପୁର : ପଶ୍ଚିମବଙ୍ଗ ସ୍ଥିତ ପେଟୁଆଘାଟରୁ ପ୍ରଥମ ଥର ଆରିଓସୋମା ମାଜୁସ୍ ନାମକ ବିରଳ ପ୍ରଜାତିର ମାଛ ଠାବ ହୋଇଛି। ଭାରତ ମହାସାଗରରୁ ପ୍ରଥମ ଥର ପାଇଁ ଏହା ଠାବ ହୋଇଛି। ଏହି ମାଛଟିକୁ ୨୦୨୦ ଜୁଲାଇ ୨୪ତାରିଖରେ ଦେବନାରାୟଣ ରାଏ, ତପନ ଖୁଣ୍ଟିଆ ଓ ଦିପାଞ୍ଜନ ଧରିଥିଲେ। ପରେ ଗୋପାଳପୁର ସ୍ଥିତ ଜେଡ୍ଏସ୍‌ଆଇ କେନ୍ଦ୍ରକୁ ପଠାଇଥିଲେ। କେନ୍ଦ୍ରର ଅଧିକାରୀ ବୈଜ୍ଞାନିକ ଡ. ଅନୀଲ ମହାପାତ୍ର ସେହି ମାଛର ପରୀକ୍ଷାନିରୀକ୍ଷା କରିଥିଲେ। ପ୍ରାୟ ପାଞ୍ଚ ମାସର ନିରୀକ୍ଷଣ ପରେ ତଥ୍ୟ ବାହାର କରିଥିଲେ।

ଏହି ମାଛର ଲମ୍ବ ୨୪୬-୨୯୦ ମିଲିମିଟର ରହିଛି। ହାଲ୍‌କା ଧଳା ଓ ବାଦାମୀ ରଙ୍ଗର ମିଶ୍ରଣ ଏବଂ ପେଟପାଖ ଟିକେ ଫିକା, ଦେହ ଚିକ୍କଣ ରହିଛି। ଏମାନେ ଗଭୀର ସମୁଦ୍ର ଭିତରେରେ ରହିଥାନ୍ତି। ଏମାନେ ବିଷାକ୍ତ ନୁହନ୍ତି। ଏମାନେ ଅଦରକାରୀ ମାଛ ଭାବେ ଗଣିତ। ଏମାନଙ୍କୁ କୁକୁଡ଼ା ଖାଦ୍ୟ ରୁପେ ବ୍ୟବହାର କରାଯାଏ। ଏମାନେ ଛୋଟ ଛୋଟ ଗେଣ୍ଡା, ଗୁଳ୍ମ ଖାଆନ୍ତି। ଏମାନଙ୍କ ମେରୁଦଣ୍ଡରେ ୧୪୧ରୁ ୧୪୪ ଖଣ୍ଡ ହାଡ଼ ରହିଛି। ଏହା ପ୍ରଶାନ୍ତ ମହାସାଗରରେ ଦେଖାଯାଉଥିବା ବେଳେ ଭାରତ ମହାସାଗରରୁ ପ୍ରଥମ ଥର ମିଳିଥିବା ଗୋପାଳପୁର କେନ୍ଦ୍ରର ଅଧିକାରୀ ବୈଜ୍ଞାନିକ ଡ. ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର