ଆମ ବୌଦ୍ଧିକ ଓ ସାମାଜିକ ଜୀବନ ଦୀପକୁ ଜଳାଇ ରଖାଯାଉ: ସୌମ୍ୟ

ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଅରବିନ୍ଦ ଦା‌ସ ସମ୍ବର୍ଦ୍ଧିତ

ଭୁବନେଶ୍ବର: ମଣିଷର ସାମଗ୍ରିକ ଜୀବନ ୩ଟି ଦୀପ ଭଳି। ବୌଦ୍ଧିକ ଜୀବନ ଦୀପ, ସାମାଜିକ ଜୀବନ ଦୀପ ଓ ରାଜନୈତିକ ଜୀବନ ଦୀପ। ଏହି ୩ ଦୀପ ମଧ୍ୟରୁ ଆମ ଜୀବନର ବୌଦ୍ଧିକ ଦୀପଟି ସମ୍ପୂର୍ଣ୍ଣ ଲିଭିଯାଇଥିବା ବେଳେ ସାମାଜିକ ଦୀପଟି ମିଞ୍ଜିମିଞ୍ଜି ହୋଇ ଜଳୁଛି। ରାଜନୈତିକ ଜୀବନ ଦୀପଟି ହୁତୁହୁତୁ ହୋଇ ଜଳୁଛି, ଯାହାକି ଆମର ଏହି ଛୋଟିଆ ଚାଳ ଘର ପରି ସାମାଜିକ ବ୍ୟବସ୍ଥା ପାଇଁ ଶୁଭଙ୍କର ନୁହେଁ। ଏଣୁ ଲିଭିଯାଇଥିବା ବୌଦ୍ଧିକ ଜୀବନ ଦୀପ କେହି ଜଣେ ଜଳାଇ ଦେଉ ଓ ସାମାଜିକ ଜୀବନ ଦୀପଟି ସବୁବେଳେ ଜଳୁଥାଉ ବୋଲି ଆଶା ପ୍ରକଟ କରିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏସବୁ ପାଇଁ ସମାଜ, ରୋଟାରି କ୍ଲବ ଭଳି କିଛି ଅନୁଷ୍ଠାନଙ୍କଠାରୁ ଖୁବ୍‌ ଆଶାବାଦୀ ଅଛି ବୋଲି ସମ୍ବାଦ ଭବନରେ ‘ରୋଟାରି କ୍ଲବ୍‌ ଭୁବନେଶ୍ବର ଏକ୍ସିଲେନ୍ସ’ର ଚାର୍ଟର ଦିବସରେ ବରିଷ୍ଠ ସାମ୍ବାଦିକ ତଥା ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସଙ୍କୁ କର୍ମକର୍ତ୍ତାମାନେ ସମ୍ବର୍ଦ୍ଧିତ କରିବା ଅବସରରେ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ଏବେ ଡିଜିଟାଲ ଯୁଗରେ ମୁଦ୍ରିତ ଗଣମାଧ୍ୟମ ଧୀରେଧୀରେ ଅପ୍ରାସଙ୍ଗିକ ହେବାରେ ଲାଗିଛି ବୋଲି କିଛି ଲୋକଙ୍କ ହୃଦବୋଧ ହେଉଛି। କିନ୍ତୁ ବଡ଼ବଡ଼ ଅନୁଷ୍ଠାନଗୁଡ଼ିକଠାରୁ ଖବରକାଗଜର ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧନା, ଲୋକଙ୍କର ଏହି ଧାରଣାକୁ ଆପେ ଭୁଲ ପ୍ରମାଣିତ କରି ଦେଉଛି। କେବଳ ଖବରକାଗଜ କାହିଁକି, ଏମିତି ଅନେକ ସାମାଜିକ ଅନୁଷ୍ଠାନ ବା ସଂସ୍ଥା ରହିଛନ୍ତି ଯେଉଁମାନଙ୍କ ଆବଶ୍ୟକତା ରହିଥିଲେ ବି ସେମାନେ ନିଜନିଜ ପ୍ରାସଙ୍ଗିକତା ହରାଇବାରେ ଲାଗିଛନ୍ତି। ସେ ନେଇ ଆମେ ଯେତିକି ଚିନ୍ତିତ ହେବା କଥା ସେତିକି ହେଉନାହୁଁ ବୋଲି ସେ ଚିନ୍ତାବ୍ୟକ୍ତ କରିଥିଲେ।

ଗୁରୁବାର ସନ୍ଧ୍ୟାରେ ‘ସମ୍ବାଦ ଭବନ’ ପରିସରରେ ଆୟୋଜିତ ଏହି ଉତ୍ସବରେ ସାମ୍ବାଦିକତା କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଶ୍ରୀ ଦାସ ଉତ୍ତମ ବିଶ୍ବ ଗଠନ ପାଇଁ ରୋଟାରି କ୍ଲବ୍‌ର ଅଙ୍ଗୀକାରବଦ୍ଧତା ନିମନ୍ତେ କୃତଜ୍ଞତା ଜଣାଇଥିଲେ। ଏହି ଅନୁଷ୍ଠାନ ବିଭିନ୍ନ ସାମାଜିକ ପ୍ରସଙ୍ଗରେ ଲୋକଙ୍କୁ ସଚେତନ କରାଇବା ସହ ପୋଲିଓର ମୂ ଳୋତ୍ପାଟନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପ୍ରଶଂସନୀୟ।

ଯେ ପର୍ଯ୍ୟନ୍ତ ଏକ ଉତ୍ତମ ଓ ନୂତନ ବିଶ୍ବ ଗଠନ ହୋଇନାହିଁ ସେ ପର୍ଯ୍ୟନ୍ତ ‌ଏଭଳି ସାମାଜିକ ସଂସ୍ଥା ପ୍ରାସଙ୍ଗିକ ହୋଇ ରହିବେ। ତେବେ ଯେତେ ଶୀଘ୍ର ଏହି ଭଳି ସଂସ୍ଥାର ଲୋଡ଼ାପଣ ଦୂର ହୋଇଯିବେ, ବିଶ୍ବବାସୀଙ୍କ ମଙ୍ଗଳ ହେବ। କାରଣ ସେହି ପରିକଳ୍ପିତ ଉତ୍ତମ ବିଶ୍ବରେ ଏହି ସଂସ୍ଥାସବୁ ଆପେ ଅପ୍ରାସଙ୍ଗିକ ହୋଇଯିବେ। ଆଫଗାନିସ୍ତାନରେ ମହିଳା ଓ ଶିଶୁଙ୍କ ଉପରେ ତାଲିବାନର ବର୍ବରତା ନେଇ ବିଶ୍ବବ୍ୟାପୀ ୧୨ ଲକ୍ଷ ରୋଟାରିଆନ୍ ୩୫ ହଜାର ରୋଟାରି କ୍ଲବ୍‌ ଜରିଆରେ ସ୍ବର ଉତ୍ତୋଳନ କରି ବିଶ୍ବ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାକୁ ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ଦାସ ଅନୁରୋଧ କରିଥିଲେ।

ଏହି ସମ୍ବର୍ଦ୍ଧନା ଉତ୍ସବରେ ରୋଟାରି କ୍ଲବ୍‌ ଭୁବନେଶ୍ବର ଏକ୍ସଲେନ୍ସର ସଭାପତି ସୁଶାନ୍ତ କୁମାର ମହାପାତ୍ର, ଉପସଭାପତି ତଥା ପ୍ରଖ୍ୟାତ ସିନେ ଅଭିନେତ୍ରୀ ଅନୁ ଚୌଧୁରୀ, ପୂର୍ବତନ ସଭାପତି ଶିଶିର କୁମାର ପଣ୍ଡା, ବିଭୂତି ମହାପାତ୍ର, ବିଜୟ କୁମାର ପାତ୍ର ଓ ସିଦ୍ଧାର୍ଥ ତିୱାରୀଙ୍କ ସମେତ ‘ସମ୍ବାଦ’ର ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର, ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ଓ ‘ସମ୍ବାଦ’ର ଉପମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର, ‘ସମ୍ବାଦ’ର ବରିଷ୍ଠ ସାମ୍ବାଦିକ ଚିତ୍ତରଂଜନ ଚିରଂଜିତ, ଦୋଳଗୋବିନ୍ଦ ପଣ୍ଡା, କ୍ଷେତ୍ରବାସୀ ନାଏକ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଦାସଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର