ଜାମିନ ଆବେଦନ ଖାରଜ, ଜେଲ ଗଲେ ଆଶୀର୍ବାଦ ବେହେରା

ଭୁବନେଶ୍ୱର: ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଜେଲ ଯିବାକୁ ପଡ଼ିଛି। ସେ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ। ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ଭୁବନେଶ୍ୱର ଦ୍ୱାରା ଗିରଫ ହୋଇଥିବା ଆଶୀର୍ବାଦ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଜାମିନ ଆବେଦନ କରିଥିଲେ।

ସୂଚନାଯୋଗ୍ୟ ଆଜି ସକାଳେ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିଥିଲ। ତାଙ୍କ ସହ ଜନୈକ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ବି ସିବିଆଇ ଗିରଫ କରିଥିଲା। ଉଭୟଙ୍କୁ ସିବିଆଇ ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଗିରଫ କରାଯାଇଥିଲା । ସିବିଆଇ ପୂର୍ବରୁ ଆଶୀର୍ବାଦ ବେହେରାଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ଏବଂ ଜେରା କରିଥିଲା । ଠିକ୍ ସେହିପରି ଖାରବେଳ ନଗର ଥାନା ପାଖରେ ଥିବା ହୋଟେଲ ସୋଲାନ ଇନ୍‌ର ମାଲିକ କମଳାକାନ୍ତ ଦାସ ବି ଆଗରୁ ଜେରାର ସମ୍ମୁଖୀନ ହୋଇଥିଲେ।

ଏହି ମାମଲାର ଅନ୍ୟ ଅଭିଯୁକ୍ତ ହେଲେ ଏଟି ଗ୍ରୁପ୍‌ ନିର୍ଦ୍ଦେଶକ ସମ୍ବିତ ଖୁଣ୍ଟିଆ। ସମ୍ବିତଙ୍କୁ ୨୦୧୪ ଅଗଷ୍ଟ ୧୬ରେ ଖୋର୍ଦ୍ଧା ବାଟମଙ୍ଗଳା ହାଉସିଂବୋର୍ଡରେ ଥିବା ତାଙ୍କ ଘରୁ ସିବିଆଇ ଗିରଫ କରିଥିଲା। ପୂର୍ବରୁ ଏହି ମାମଲାରେ ୮ଟି କମ୍ପାନୀ ଓ ୩୩ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ୬ ଚାର୍ଜସିଟ୍‌ ସହ ୪ଟି ଅତିରିକ୍ତ ଚାଜସିଟ୍‌ ଦାଖଲ କରିସାରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର