ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସର୍କୁଲାର୍‌ ଇକୋନମିର ଗୁରୁତ୍ବ : ଅଷ୍ଟ୍ରେଲିଆ ଶିଖର ସମ୍ମିଳନୀରେ ଯୋଗଦେଲେ ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ବର : ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଅଷ୍ଟ୍ରେଲିଆର ଆଡିଲେଡଠାରେ ଆୟୋଜିତ ‘ସର୍କୁଲାର୍‌ ଇକୋନମି’ ସମ୍ପର୍କିତ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ବିଶେଷ କରି ବର୍ଜ୍ୟବସ୍ତୁଗୁଡ଼ିକର ପୁନଃବ୍ୟବହାର, ବିତରଣ, ମରାପତି ତଥା ଅନ୍ୟାନ୍ୟ ସଂଶୋଧନମୂଳକ ପଦକ୍ଷେପ, ଓ ପୁନଃପ୍ରକ୍ରିୟାକରଣ ପଦ୍ଧତିରେ କିପରି ଅଧିକ ଉପଯୋଗ କରାଯାଇପାରିବ ସେ ନେଇ ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା। ଭବିଷ୍ୟତରେ ବିଶ୍ବ ପରିବେଶକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର କାର୍ଯ୍ୟକ୍ରମମାନ ଗ୍ରହଣ କରିବାକୁ ସମ୍ମିଳନୀରେ ଆଲୋଚନା ହୋଇଛି। ରେଳଲାଇନଗୁଡ଼ିକରେ ଲୁହା ଓ କାଠ ବଦଳରେ କିପରି ବର୍ଜ୍ୟ ପ୍ଲାଷ୍ଟିକ୍‌ ଓ ବର୍ଜ୍ୟ କାଠ ଉପକରଣ ମିଶ୍ରଣରେ ଏକ ନୂତନ ପ୍ରକାରର ରେଳଧାରଣା ବିକାଶ କରାଯାଇପାରିବ ସେ ନେଇ ମନ୍ତ୍ରୀ ଶ୍ରୀ ପଣ୍ଡା ଅନୁଧ୍ୟାନ କରିଥିଲେ। ଏହି ଅବସରେ ସେ ଦକ୍ଷିଣ ଅଷ୍ଟ୍ରେଲିଆର ପରିବେଶ ଓ ଜଳ ବିଭାଗ ମନ୍ତ୍ରୀ ଡେଭିଡ୍‌ ସ୍ପେୟାର୍ସଙ୍କୁ ସାକ୍ଷାତ କରିବା ସହ ଉପହାର ପ୍ରଦାନ କରିଥିଲେ। ଓଡ଼ିଶାରେ ଅକ୍ଷୟଶକ୍ତି କ୍ଷେତ୍ରରେ ସୌରଚାଳିତ ଯନ୍ତ୍ରଗୁଡ଼ିକ ପାଇଁ ସର୍କୁଲାର୍‌ ଇକୋନମିର ଆବଶ୍ୟକତା ରହିଛି। ‘ଫନି’ ପରବର୍ତ୍ତୀ ଅବସ୍ଥାରେ ଏପରି କାରିଗରୀ କୌଶଳ ଉପଯୋଗ କରିବା ଉପରେ ମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।

ସମ୍ବନ୍ଧିତ ଖବର