ସମ୍ଭାବ୍ୟ ପରିବହନ ଧର୍ମଘଟ ଉପରେ ଲାଗୁହେଲା ଏସ୍‌ମା

ଭୁବନେଶ୍ବର: ସମ୍ଭାବ୍ୟ ପରିବହନ ଧର୍ମଘଟକୁ ଦୃଷ୍ଟିରେ ରଖି ସରକାରଙ୍କ ଗୃହ ବିଭାଗ ଜରୁରୀ ସେବା(ରକ୍ଷଣାବେକ୍ଷଣ) ଆଇନ ବା ଏସ୍‌ମା ଲାଗୁ କରିଛି। ଏହା ଫଳରେ ଖଣି ଅଞ୍ଚଳରେ ଟ୍ରକ, ଲୋଡର, ଟିପ୍ପର ଓ ଷ୍ଟିଭେଡୋର ଆଦି ପରିବହନକାରୀମାନେ କୌଣସି ଧର୍ମଘଟ କରିପାରିବେ ନାହିଁ। ଧର୍ମଘଟ କଲେ, ସଂପୃକ୍ତ ପରିବହନକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇହେବ। ଗତ ଡିସେମ୍ବର ମାସ ୨୬ ତାରିଖରେ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଆଦେଶ ଜରିଆରେ ଏସ୍‌ମା ଲାଗୁ କରିଥିଲେ। ଏହା ଜାନୁଆରି ୩ ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ଦର୍ଶାଯାଇଥିଲା। ଆଜି ବାଣିଜ୍ୟ ଓ ପରିବହନ ବିଭାଗ ଏ ନେଇ ସମସ୍ତ ଆରଟିଓଙ୍କୁ ଏହି ଆଦେଶନାମା ଜାରି କରିଛି। ଏଥିରେ ଏସ୍‌ମା ଅବଧି ୬ ମାସ ପାଇଁ ବୃଦ୍ଧି କରାଯାଇଥିବା ଦର୍ଶାଯାଇଛି। ପୂର୍ବରୁ ଗତ ଜୁଲାଇ ମାସରେ ଏସ୍‌ମା ଲାଗୁ କରିଥିଲା ଗୃହ ବିଭାଗ। ଗୃହ ବିଭାଗର ଆଦେଶନାମାରେ ଟ୍ରକ, ଲୋଡର, ଟିପ୍ପର ଆଦିଙ୍କୁ ନେଇ ଗଠିତ ପରିବହନକାରୀ ସଂଘ ଖଣି ଅଞ୍ଚଳରେ ଧର୍ମଘଟ କରିପାରନ୍ତି ବୋଲି ଦର୍ଶାଯାଇଛି। ଏଭଳି ଧର୍ମଘଟ ହେଲେ ଏହା ସ୍ଥାନୀୟ, ରାଜ୍ୟ ତଥା ଜାତୀୟ ଅର୍ଥନୀତିକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଏହାକୁ ପ୍ରତିହତ କରିବା ପାଇଁ ଏସ୍‌ମା ଅବଧିକୁ ଆହୁରି ୬ ମାସ ପାଇଁ ବୃଦ୍ଧି କରାଯାଇଛି। ତେବେ କେନ୍ଦୁଝର ଅଞ୍ଚଳରେ କେହି ପରିବହନକାରୀ ସଂଘ ଟ୍ରକ ଧର୍ମଘଟ ଡାକରା ଦେଇନଥିବା ଜିଲ୍ଲାରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର