ଏମ୍‌ସ ଠକେଇ ସଂସ୍ଥାର ସହକାରୀ ନିର୍ଦ୍ଦେଶକ ଗିରଫ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ଏମ୍‌ସ ମାର୍କେଟିଂ ସଂସ୍ଥାର ସହକାରୀ ନିର୍ଦ୍ଦେଶକ  ପୂର୍ଣ୍ଣେନ୍ଦୁ ମହାନ୍ତିଙ୍କୁ ଟାଉନ୍‌ ଥାନା ପୁଲିସ ଗିରଫ କରିଛି। ଆଜି ବସ୍ତା ଥାନା ବାରିଗାଡ଼ିଆ ଗ୍ରାମରେ ଥିବା ତାଙ୍କ  ଘରୁ ପୂର୍ଣ୍ଣେନ୍ଦୁଙ୍କୁ ଗିରଫ କରାଯାଇଥିଲା। ପୂର୍ବରୁ ଏହି ମାମଲାରେ ସଂସ୍ଥାର ମୁଖ୍ୟ ନିର୍ଦ୍ଦେଶକ ଦିବ୍ୟକେଶରୀ ମହାନ୍ତି ଗିରଫ ହୋଇସାରିଥିବା ଜଣାଯାଇଛି। ସୂଚନା ଥାଉକି, ଏମ୍‌ସ ମାର୍କେଟିଂ ସଂସ୍ଥା ବିରୋଧରେ ବାଲେଶ୍ବର ସହର ମାନସିଂବଜାରର ନିରାକାର ନାୟକଙ୍କ ଅଭିଯୋଗ ଆଧାରରେ ମାମଲା ନମ୍ବର ୨୫/୧୫ରେ ଠକେଇ ଅଭିଯୋଗ ହୋଇଥିଲା।

ପୁଲିସ ଏହି ମାମଲାରେ ସଂସ୍ଥାର ମୁଖ୍ୟ ନିର୍ଦ୍ଦେଶକଙ୍କ ସମେତ ୧୫ ଜଣଙ୍କ ନାଁରେ ମାମଲା ରୁଜୁ କରି ୨୦୧୫ ମସିହା ଡିସେମ୍ବର ୧ ତାରିଖରେ ମୁଖ୍ୟ ନିର୍ଦ୍ଦେଶକ ଦିବ୍ୟକେଶରୀଙ୍କୁ ଗିରଫ କରିଥି‌ଲା। ସେହିପରି ସଂସ୍ଥାର ଅନ୍ୟ ୧୧ ଜଣ ଗିରଫ ଏବଂ ଆତ୍ମସମର୍ପଣ ହୋଇ ଜାମିନରେ ମୁକୁଳିଛନ୍ତି। ସଂସ୍ଥା ବିରୋଧରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ ଅଭିଯୋଗ ଥିଲା। ଏହି ମାମଲା‌ ଏବେ ବାଲେଶ୍ବର ଚିଟ୍‌ଫଣ୍ଡ ଅଦାଲତରେ ବିଚାରଧୀନ ଅଛି। ୭ ବର୍ଷ ପରେ ଆଜି ପୂର୍ଣ୍ଣେନ୍ଦୁଙ୍କୁ ଗିରଫ କରାଯିବା ପରେ ଟାଉନ୍‌ ଥାନା ପୁଲିସ ଚିଟ୍‌ଫଣ୍ଡ ଅଦାଲତରେ ହାଜର କରିଥିଲା। ମାମଲାର ଶୁଣାଣି ପରେ ପୂର୍ଣ୍ଣେନ୍ଦୁଙ୍କୁ ବିଚାର ବିଭାଗୀୟ ଅଦାଲତକୁ ପଠାଯାଇଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର