ତାମିଲନାଡ଼ୁରେ ଅନର କିଲିଂ: ଅନ୍ୟ ଜାତିରେ ପ୍ରେମ ପାଇଁ ଝିଅକୁ ହତ୍ୟା କଲା ମା’

ଚେନ୍ନାଇ: ତାମିଲନାଡ଼ୁର ‌ତିରୁନେଲଭେଲିରେ ଜଣେ ମହିଳା ତାଙ୍କ ନିଜ ଝିଅକୁ ହତ୍ୟା କରିଛନ୍ତି। ତାଙ୍କ ଝିଅର ଭୁଲ୍‌ ହେଲା ସେ ଅନ୍ୟ ଜାତିରେ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଥିଲେ। କିନ୍ତୁ ତାଙ୍କ ମା’ ଏଥିରେ ରାଜି ନଥିଲେ। ଅଭିଯୁକ୍ତ ମହିଳାଙ୍କ ନାମ ହେଉଛି ଅରୁମୁଗା କନି। ସେ ସିବଲପେରି ଗ୍ରାମ ବାସିନ୍ଦା। ପିଚାଇ ନାମକ ଜଣେ ବ୍ୟକ୍ତିଙ୍କୁ ସେ ବିବାହ କରିଥିଲେ। ତାଙ୍କ ସ୍ବାମୀ ଚେନ୍ନାଇରେ ଅଟୋ ଡ୍ରାଇଭର । ସେମାନଙ୍କ ଝିଅ ଅରୁଣା (୧୯) ନର୍ସିଂ ପଢ଼ୁଥିଲେ ।

ନିଜ ମା’ଙ୍କୁ ସେ ଅନ୍ୟ ଜାତିରେ ଜଣେ ଯୁବକଙ୍କୁ‌ ପ୍ରେମ କରୁଥିବା କଥା କହିଥିଲେ। ଏହା ଜାଣିବା ପରେ ଅରୁଣାଙ୍କ ମା’ ତାଙ୍କ ବିବାହ ଅନ୍ୟ ଏକ ସ୍ଥାନରେ ଠିକ୍‌ କରିଥିଲେ। ନଭେମ୍ବର ୨୩ରେ ଅରୁମୁଗାଙ୍କ ଘରେ ପୁଅ ଘର ଲୋକ ଆସି ଅରୁଣାଙ୍କୁ ଦେଖିଥାନ୍ତେ। କିନ୍ତୁ ଅରୁଣା ଏଥିରେ ରାଜି ନଥିଲେ। ସେ ତାଙ୍କ ମା’ଙ୍କୁ କହିଥିଲେ ଯେ ସେ ଅନ୍ୟ କାହାକୁ ଭଲପାଉଛନ୍ତି ବୋଲି ପୁଅ ଘର ଲୋକକୁ କହିଦେବେ। ଅରୁଣାଙ୍କ ମା’ ଏଥି‌ରେ ରାଗି ଯାଇ ତାଙ୍କ ତଣ୍ଟି ଚିପି ମାରିଦେଇଛନ୍ତି। ଝିଅକୁ ମାରିବାପରେ ଅରୁଣାଙ୍କ ମା’ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପଡ଼ୋଶୀମାନେ ତାଙ୍କୁ ଅଟକାଇଥିଲେ। ଅଭିଯୁକ୍ତ ଅରୁମୁଗା ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର