ମହାପ୍ରଭୁଙ୍କ ସାମ୍ନାରେ ଦାଦାଗିରି: ଶ୍ରୀମନ୍ଦିରରେ ମହିଳାଙ୍କ ମୁଣ୍ଡ ଫଟାଇଦେଲା ପୁଲିସ

ଆଉ ଜଣେ ହବିଷ୍ୟାଳୀଙ୍କୁ ଦୁର୍ବ୍ୟବହାର, ଆକ୍ଷେପ, ଓଏସ୍‌ଏପି ହାବିଲଦାର ନିଲମ୍ବିତ, ତଦନ୍ତ ଆରମ୍ଭ

ପୁରୀ : ମହାପ୍ରଭୁଙ୍କୁ ସକାଳର ଜଳଖିଆ ମଧ୍ୟାହ୍ନରେ, ମଧ୍ୟାହ୍ନର ଖାଦ୍ୟ ରାତିରେ ଦିଆଯିବା ଏବଂ ରାତିରେ ପହୁଡ଼ ନ ପକାଇ ଠାକୁରଙ୍କୁ କଲବଲ କରିବା ଭଳି ଅଭାବନୀୟ ଘଟଣାରେ ଶ୍ରୀଜଗନ୍ନାଥ ପ୍ରେମୀ ଢେର୍ ଆଘାତ ପାଇଛନ୍ତି। ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ବା ରାଜ୍ୟ ସରକାର ଏଯାଏ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଠିକ୍ ଏମିତି ସମୟରେ ଆଜି ଶ୍ରୀମନ୍ଦିର ଭିତରେ ପବିତ୍ର କାର୍ତ୍ତିକ ମାସ ଏବଂ ମହାପଞ୍ଚୁକରେ ମହାପ୍ରଭୁଙ୍କ ସାମ୍ନାରେ ତାଙ୍କ ଭକ୍ତକୁ ଲାଞ୍ଝିତ କରାଯାଇଛି ଓ ନିର୍ଯାତନା ଦିଆଯାଇଛି। ଏପରିକି ମହାପ୍ରଭୁଙ୍କ ଭକ୍ତ ଦେହରୁ ରକ୍ତ ଝରିଛି। ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଯିବା ବେଳେ ଆଜି ଶ୍ରୀମନ୍ଦିରରେ ଜଣେ ବୃଦ୍ଧା ହବିଷ୍ୟାଳୀଙ୍କୁ ପୁଲିସ ମାଡ଼ ମାରି ତାଙ୍କ ମୁଣ୍ଡ ଫଟାଇ ଦେଇଥିଲା। ପୁଲିସର ଏଭଳି ଦବଙ୍ଗଗିରି କେବଳ ହବିଷ୍ୟାଳୀ
ନୁହେଁ, ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଛି।

ତେବେ ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି ପୁରୀ ଜିଲ୍ଲା ଏସ୍‌ପି ଡ. କେ. ବିଶାଳ ସିଂହ ତୁରନ୍ତ ମାଡ଼ ମାରିଥିବା ସଂପୃକ୍ତ ହାବିଲଦାରଙ୍କୁ ନିଲମ୍ବିତ କରିଛନ୍ତି ଏବଂ ଡାକ୍ତରଖାନା ଯାଇ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥାର ତଦାରଖ କରିଛନ୍ତି। ହେଲେ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ ଉପରେ ଏସବୁର କିଛି ପ୍ରଭାବ ପଡ଼ିନି। ଓଲଟା ଯେଉଁ ସମୟରେ ଅସୁସ୍ଥ ମହିଳାଙ୍କ ପାଖରେ ନିଜେ ଏସ୍‌ପି ପହଞ୍ଚି ଆଶ୍ବାସନା ଦେଉଥିଲେ, ଠିକ୍ ସେହି ସମୟରେ ଆଉ ଜଣେ ବୃଦ୍ଧା ମହିଳାଙ୍କୁ ପୁଣି ଜଣେ ଖାକି ପୋଷାକଧାରୀ ମହାପ୍ରଭୁଙ୍କ ସାମ୍ନାରେ ଅସମ୍ମାନିତ କରିଥିଲେ ଓ ହୃଦୟକୁ ଆଘାତ ଦେବାଭଳି ଏଭଳି ଆକ୍ଷେପ କରିଥିଲେ ଯେ ସଂପୃକ୍ତ ବୃଦ୍ଧା ଭୋ-ଭୋ ହୋଇ କାନ୍ଦି ଉଠିଥିଲେ। ପରେ ସିଂହଦ୍ବାର ଥାନାରେ ଏହି ଘଟଣାରେ ମାମଲା ରୁଜୁ ହୋଇଛି।

ସବୁଠାରୁ ବଡ କଥା ହେଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଉତ୍ସାହ ପ୍ରକାଶ କରି ହବିଷ୍ୟାଳୀଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଅଥଚ ଶ୍ରୀମନ୍ଦିରରେ ଯେଉଁମାନଙ୍କ ସହିତ ଆଜି ଅଘଟଣ ଘଟିଲା, ସେମାନେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାର। ଆଜି ଘଟଣାକୁ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ଖୋଦ୍ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ବି ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ କେହି ବି ଚେତିନାହାନ୍ତି, ଏଥରର କାର୍ତ୍ତିକମାସର କିଛି ଘଟଣା ଏହା ପ୍ରମାଣିତ କରୁଛି।


ସୋମବାର ଦିନ ମହାପଞ୍ଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଧନଞ୍ଜୟ ଦାସଙ୍କ ପତ୍ନୀ ମାଧୁରୀ ଦାସ(୬୫)। ମାଧୁରୀ କାର୍ତ୍ତିକ ବ୍ରତ ପାଇଁ ମାସେ ଧରି ପୁରୀ ବାସେଳିସାହିରେ ଅନ୍ୟ କିଛି ହବିଷ୍ୟାଳୀଙ୍କ ସହ ଭଡ଼ା ସୂତ୍ରରେ ଘର ନେଇ କାର୍ତ୍ତିକ ବ୍ରତ ପାଳନ କରି ଆସୁଛନ୍ତି। ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ସହ ସେ ହବିଷ୍ୟାନ୍ନ ସେବନ କରିଥାନ୍ତି। ସବୁଦିନ ଭଳି ସୋମବାର ସକ‌ାଳେ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ। ଏହି ସମୟରେ ବାହାର କାଠରୁ ମହାପ୍ରଭୁଙ୍କ ଦର୍ଶନ ଚାଲିଥିଲା। ମାଧୁରୀ ଦର୍ଶନ ପାଇଁ ଯିବାବେଳେ ଗାରଦ ପାଖରେ ଦାୟିତ୍ବରେ ଥିବା ହାବିଲଦାର ପ୍ରଶାନ୍ତ ଦଳାଇଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ପ୍ରଶାନ୍ତ ହାତରେ ଧରିଥିବା ଗୁଆପଟୁରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଥରେ ନୁହେଁ, ବାରମ୍ବାର ଏଥିରେ ପିଟିବାରୁ ତାଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା। ତୁରନ୍ତ ମାଧୁରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏହାର କିଛି ସମୟେ ବ୍ରହ୍ମପୁରରୁ ଆସିଥିବା ଜଣେ ବୃଦ୍ଧା ପୁଣି ପୁଲିସର ରୋଷର ଶିକାର ହୋଇଥିଲେ। ସଂପୃକ୍ତ ବୃଦ୍ଧା ତାଙ୍କ ଝିଅ ସହିତ ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଆସିଥିଲେ। ସେମାନେ ଗହଳି ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ତାଙ୍କୁ ଜଣେ ଜେଟିପି ଠେଲାପେଲା କରିଥିଲେ। ବୃଦ୍ଧା ଜଣକ ଏହାର ପ୍ରତିବାଦ କଲେ। ଜେଟିପି ନିଜକୁ ସୁଧାରିବା ପରିବର୍ତ୍ତେ ମହିଳାଙ୍କୁ ଲାଞ୍ଝିତ କରିବାକୁ ପଛାଇ ନଥିଲେ। ଆକ୍ଷେପ କରିଥିଲେ, ‘ସେଇଥିପାଇଁ ଭଗବାନ ତୁମକୁ ବିଧବା କରିଦେଇଛନ୍ତି’।

ଜେଟିପିଙ୍କ ମୁହଁରୁ ଏଭଳି କଟୁକଥା ଶୁଣିବା ପରେ ବୃଦ୍ଧା ଜଣକ କାନ୍ଦି ପକାଇଥିଲେ। ନିଜ ଝିଅ ସହ ଶ୍ରୀମନ୍ଦିର ଛାଡ଼ି ବାହାରକୁ ଚାଲିଆସିଥିଲେ। ମା’ଙ୍କୁ ଦୁର୍ବ୍ୟବହାର ହୋଇଥିବା ସଂପର୍କରେ ତାଙ୍କ ଝିଅ ସିଂହଦ୍ବାର ଥାନାରେ ଅଭିଯୋଗ କରିଥିଲେ। ଦୁର୍ବ୍ୟବହାର କରିଥିବା ଖାକି ପୋଷାକ ପରିଧାନକାରୀ ବ୍ୟକ୍ତି ଜଣକ ଜେଟିପି କି ପୁଲିସ ସେ ଜାଣିନାହାନ୍ତି ବୋଲି କହିଥିଲେ ହେଁ, ସେଠାରେ ଉପସ୍ଥିତି ଲୋକମାନେ ଆକ୍ଷେପ କରିଥିବା ବ୍ୟକ୍ତି ଜେଟିପି ବୋଲି କହିଥିଲେ। ଗଞ୍ଜାମର ଲକ୍ଷ୍ମୀଶ୍ରୀୟା ପାଣିଗ୍ରାହୀଙ୍କ ଏହି ଅଭିଯୋଗକୁ ଭିତ୍ତି କରି ସିଂହଦ୍ବାର ଥାନାରେ ପୁଲିସ ୧୨୮/୨୨ ନମ୍ବରରେ ଏକ ମାମଲା ରୁଜୁ କରିଛି।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଦେଶର କୋଣ ଅନୁକୋଣରୁ ଭକ୍ତମାନେ କେଡ଼େ ଆବେଗରେ ପୁରୀ ଧାଇଁ ଆସୁଥିବା ବେଳେ ସେମାନଙ୍କୁ ଯେଭଳି ମାଡ଼ମାରି, ଆକ୍ଷେପ କରି ପୁଲିସ ଔଦ୍ଧତ୍ୟ ଦେଖାଇଛି, ତାକୁ ନେଇ ଭକ୍ତମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅନ୍ୟପଟେ ଏହି ମାଡ଼ ଘଟଣାରେ ସମ୍ପୃକ୍ତ ହାବିଲଦାର ପ୍ରଶାନ୍ତ ଦଳାଇଙ୍କୁ ଆଜି ପୁରୀ ଏସ୍‌ପି ଚାକିରିରୁ ନିଲମ୍ବିତ କରିଛନ୍ତି। ମାସେ ଧରି ନିଷ୍ଠାର ସହ ବ୍ରତ ପାଳନ ପରେ ଦର୍ଶନ ପାଇଁ ଆସି ଯଦି ଏଭଳି ଭୋଗିବାକୁ ପଡ଼ିବ, ତେବେ କିଏ କାହିଁକି ଶ୍ରୀମନ୍ଦିର ଆସିବେ ବୋଲି ମାଧୁରୀ ମତବ୍ୟକ୍ତ କରିଛନ୍ତି। ହାବିଲଦାର ଓ ହବିଷ୍ୟାଳୀଙ୍କ ଠେଲାପେଲା ବେଳେ ହବିଷ୍ୟାଳୀ ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡ ଫାଟିଥିବା ପୁଲିସ ସଫେଇ ଦେଇଛି।

ସୂଚନାଯୋଗ୍ୟ ଯେ ଏହି କାର୍ତ୍ତିକ ମାସରେ ପ୍ରଥମେ ସେବାୟତମାନେ ହବିଷ୍ୟାଳୀଙ୍କୁ ମାଗଣାଖିଆ କହି ତାଚ୍ଛଲ୍ୟ କରିଥିଲେ। ହବିଷ୍ୟାଳୀଙ୍କ ତଣ୍ଟିରେ ଛିଡ଼ା ହୋଇଗଲେ। ଏହି ଘଟଣାରେ ନା ପୁଲିସ, ନା ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର କେହି କିଛି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ଘଟଣାକୁ କିଛିଦିନ ବିତିଛି କି ନାହିଁ ଆଜି ପୁଣି ଏଭଳି ଘଟଣା ଘଟିବା ନିନ୍ଦନୀୟ ବୋଲି ଭକ୍ତମାନେ ଅଭିଯୋଗ କରିଛନ୍ତି। ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହ କହିଛନ୍ତି, ଏହି ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ହବିଲଦାରଙ୍କୁ ତତ୍କାଳ ନିଲମ୍ବିତ କରାଯାଇଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରୢାଙ୍କର ଅଧିକାରୀଙ୍କ ନେତୃତ୍ବରେ ଘଟଣାର ତଦନ୍ତ କରାଯାଉଛି। ସିସିଟିଭି ଫୁଟେଜ୍‌ ବି ଯାଞ୍ଚ କରାଯାଉଛି। ଯେ ଦୋଷୀ ତାଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରତି ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯିବନାହିଁ ବୋଲି ଡ. ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର