ପ୍ଲେ ସ୍କୁଲ ଢାଞ୍ଚାରେ ୫୧୮୯ଟି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଖୋଲିବ ‘ବାଲ୍‌ ବାଟିକା’

କଟକ ଜିଲ୍ଲାରେ ସର୍ବାଧିକ ୩୪୨ ସ୍କୁଲ ଚିହ୍ନଟ
ସ୍କୁଲ ନିକଟରେ ଥିବା ଅଙ୍ଗନବାଡ଼ିକୁ ପ୍ରାଥମିକତା
୨୦୨୨-୨୩ ଶିକ୍ଷା ବର୍ଷରୁ ଲାଗୁ କରିବାକୁ ଯୋଜନା

ଭୁବନେଶ୍ବର : ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଖୋଲିବ ‘ବାଲ୍‌ ବାଟିକା’। ଯେଉଁଠାରେ ଛୋଟ ପିଲାଙ୍କୁ ଖେଳକୁଦ ସହ ମନୋରଞ୍ଜନ ମାଧ୍ୟମରେ ଶିକ୍ଷା ଦିଆଯିବ। ଏନ୍‌ସିଇଆରଟି ପାଠ୍ୟକ୍ରମ ଢାଞ୍ଚାରେ ସେମାନଙ୍କୁ ସାଧାରଣ ଇଂରାଜୀ ଶବ୍ଦ, ରାଇମ୍ସ ଆଦି ଶିକ୍ଷା ଯିବ। ପ୍ଲେ ସ୍କୁଲ ଢାଞ୍ଚାରେ ରାଜ୍ୟର ୫ ହଜାର ୧୮୯ଟି ପ୍ରାଥମିକ ବିଦ୍ୟାଳୟରେ ଏଭଳି ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସହରାଞ୍ଚଳ, ଅର୍ଧ-ସହରାଞ୍ଚଳ ଓ ବ୍ଲକରେ ଥିବା ବିଦ୍ୟାଳୟରେ ଏହି ବ୍ୟବସ୍ଥା ‌ହେବ। ଫଳପ୍ରଦ ହେଲେ ପର୍ଯ୍ୟାୟକ୍ରମେ ଅନ୍ୟ ବିଦ୍ୟାଳୟଗୁଡ଼ିକରେ ଲାଗୁ କରିବା ଦିଗରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓ ଗଣଶିକ୍ଷା ବିଭାଗ ମିଳିତ ଭାବେ ପଦକ୍ଷେପ ନେବେ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ବିଶଦ ଆଲୋଚନା କରାଯାଇଛି। ଯୋଜନା ଅନୁଯାୟୀ ପିଲା ଯେପରି ଗୁଣାତ୍ମକ ଶିକ୍ଷା ପାଇପାରିବେ ତାହାକୁ ଆଖିରେ ରଖି ଏନ୍‌ସିଇଆରଟି ସିଲାବସ୍‌ ଢାଞ୍ଚାରେ ଏହା ପ୍ରସ୍ତୁତ ହେବ। ଏହାଦ୍ବାରା ପିଲା ସ୍କୁଲ ଯିବା ପୂର୍ବରୁ ଅକ୍ଷର, ଶବ୍ଦ ବିଷୟରେ ଜ୍ଞାନ ଆହରଣ କରିପାରିବେ। ୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲା ସପ୍ଲିମେଣ୍ଟାରି ନ୍ୟୁଟ୍ରେସନ କାର୍ଯ୍ୟକ୍ରମ ଲାଗି ସକାଳ ୯ରୁ ୧୦ଟା ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ରହିବେ। ଏହାପରେ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟରେ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ୩୦ ଯାଏ ଶିକ୍ଷା ଗ୍ରହଣ କରିବେ। ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟାହ୍ନଭୋଜନ କରି ଘରକୁ ଫେରିବେ।

ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ପ୍ରାଥମିକତା ଦିଆଯାଇ ‘ବାଲ୍‌ ବାଟିକା’ ଖୋଲାଯିବ। ଛୋଟ ପିଲାଙ୍କୁ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଯୋଡ଼ି ହେବାକୁ କିଛି ସମୟ ଲାଗିବ। ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଙ୍ଗବାଡି କର୍ମୀମାନେ କ୍ଲାସ ସମୟରେ ବିଦ୍ୟାଳୟରେ ଉପସ୍ଥିତ ରହିବେ। ପିଲାମାନେ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ମିଶିଲା ପରେ ଅଙ୍ଗନବାଡ଼ି କର୍ମୀମାନେ ଦୂରେଇ ଯିବେ। ପିଲାଙ୍କୁ କିଭଳି ଶିକ୍ଷା ଦିଆଯିବ ସେନେଇ ପ୍ରତି ବିଦ୍ୟାଳୟର ଦୁଇ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ତାଲିମ ଦିଆଯିବ। ସେମାନେ ପିଲାଙ୍କୁ କ୍ଲାସରୁମ୍‌ରେ ପଢ଼ାଇବେ।

ମହିଳା ଓ ଶିଶୁ ବିକାଶ ବିଭାଗ ତଥ୍ୟ ଅନୁଯାୟୀ ୨୦୨୧-୨୨ ଶିକ୍ଷାବର୍ଷରେ ପ୍ରଥମ ପର୍ଯ୍ୟାୟରେ ୫ ହଜାର ୧୮୯ଟି ବାଲ୍‌ ବାଟିକା ଖୋଲିବାକୁ ଯୋଜନା ହୋଇଛି। ଯେଉଁଠାରେ ବିଦ୍ୟାଳୟ ସହ ଅଙ୍ଗନବାଡ଼ି କେନ୍ଦ୍ର ରହିଛି ସେଠାରେ ପ୍ରାଥମିକତା ଭିତ୍ତିରେ ଏହି ଶ୍ରେଣୀ ଖୋଲିବ। ଏନେଇ ଗତ ଡିସେମ୍ବର ମାସରେ ବିଭାଗ ପକ୍ଷରୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସ୍‌ଡବ୍ଲୁଓ)ଙ୍କଠାରୁ ତଥ୍ୟ ମଗାଯାଇଥିଲା। ଚିହ୍ନଟ ହୋଇଥିବା ସ୍କୁଲ ମଧ୍ୟରୁ କଟକ ଜିଲ୍ଲାରେ ସର୍ବାଧିକ ୩୪୨ଟି ରହିଛି। ଏହାବ୍ୟତୀତ ଗଞ୍ଜାମରେ ୩୦୬, ଅନୁଗୁଳରେ ୨୭୪, ବାଲେଶ୍ବରରେ ୨୮୪, ବରଗଡ଼ରେ ୨୧୯, ଭଦ୍ରକରେ ୨୩୦, ବଲାଙ୍ଗୀରରେ ୧୫୫, ବୌଦ୍ଧରେ ୧୩୯. ଢେଙ୍କାନାଳରେ ୨୪୦, ଯାଜପୁରରେ ୨୨୯, ଜଗତ୍‌ସିଂହପୁରରେ ୧୮୮, କେନ୍ଦ୍ରାପଡ଼ାରେ ୨୦୪, ଖୋର୍ଧାରେ ୨୪୯, ମୟୂରଭଞ୍ଜରେ ୨୭୪, ନୟାଗଡ଼ରେ ୨୦୪,ସମ୍ବଲପୁର ୧୪୯, ସୋନପୁରରେ ୧୦୭, ମାଲକାନଗିରିରେ ୧୧୩,କେନ୍ଦୁଝରରେ ୧୭୨, କନ୍ଧମାଳରେ ୧୦୨, ପୁରୀ ୧୯୭, ସୁନ୍ଦରଗଡ଼ରେ ୨୫୮ଟି ବିଦ୍ୟାଳୟ ରହିଛି। ଅନ୍ୟ ଜିଲ୍ଲାଗୁଡ଼ିକରେ କମ୍‌ ସଂଖ୍ୟକ ବିଦ୍ୟାଳୟ ରହିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ଜାତୀୟ ଶିକ୍ଷା ନୀତି-୨୦୨୦ରେ କେନ୍ଦ୍ର ସରକାର ପ୍ରାଥମିକତା ଦେଇଛନ୍ତି। ଏହା ଅଧୀନରେ ପ୍ରାଥମିକ ସ୍କୁଲରେ ପ୍ଲେ ସ୍କୁଲ ଖୋଲିବାକୁ ଯୋଜନା ରହିଛି। ଏଥିସହ ଇତି ମଧ୍ୟରେ କେନ୍ଦ୍ର କ୍ୟାବିନେଟ୍‌ରେ ସମଗ୍ର ଶିକ୍ଷା ଯୋଜନା ୨.୦କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଯୋଜନାରେ ମାଷ୍ଟର ଟ୍ରେନ୍‌ରମାନଙ୍କର ଉପଯୁକ୍ତ ତାଲିମ, ଅଙ୍ଗନବାଡ଼ି କର୍ମୀଙ୍କ ବିଶେଷ ତାଲିମ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ୩ୟରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀ ଯେପରି ପଢ଼ିବା, ଲେଖିବା‌ ଓ ହିସାବ କରିପାରିବେ ସେଥିପାଇଁ ଛାତ୍ର ମୁଣ୍ଡପିଛା ୫୦୦ ଟଙ୍କା ଓ ଶିକ୍ଷକଙ୍କ ପାଇଁ ମୁଣ୍ଡପିଛା ୧୫୦ ଟଙ୍କାର ଟିଚର ମାନୁଆଲ୍‌ ଯୋଗାଇ ଦିଆଯିବ। ସ୍କୁଲ ପିଲା ‌ଯେପରି ବିନା ବ୍ୟାଗ୍‌ରେ ଆସି ସ୍ଥାନୀୟ ହସ୍ତକଳା କାରିଗରଙ୍କଠାରୁ ଶିକ୍ଷାଗ୍ରହଣ କରିପାରିବେ ସେଥିପାଇଁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର