ଲୋଇସିଂହା ବିଜେପିରେ ତେଜୁଛି ଅସନ୍ତୋଷ, ମେଳି କଲେଣି ଆଶାୟୀ

ବଲାଙ୍ଗୀର/ଲୋଇସିଂହା: ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ରାଜନୈତିକ ଦଳ ଗୁଡ଼ିକର ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଲୋଇସିଂହା ନିର୍ବାଚନମଣ୍ଡଳୀରେ ରାଜନୈତିକ ଗତିବିଧି ସରଗରମ ହେବାରେ ଲାଗିଛି। କୌଣସି ରାଜନୈତିକ ଦଳ ଏଠାରେ ନିଜର ପ୍ରାର୍ଥୀ ଚୂଡ଼ାନ୍ତ କରି ନଥିବା ବେଳେ ବିଜେପିରେ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ତେଜିଛି। ପୂର୍ବ ସାଂସଦ ସଙ୍ଗୀତା ସିଂଦେଓ ଏବଂ ବିଜେପି ବିଧାୟକ ଦଳ ନେତା ତଥା ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଗତ ମାସ ୧୦ ତାରିଖରେ ବିଶିଷ୍ଟ ପରିବେଶବିତ ଡ. ମୁକେଶ ମହାଲିଙ୍ଗ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ। ସେ ଟିକଟ୍‌ ପାଇଁ ଆଶାୟୀ ଥିବାବେଳେ ପୂର୍ବରୁ ମଧ୍ୟ ଅନେକ ଆଶାୟୀ ବିଜେପିରେ ରହିଛନ୍ତି। ଡ. ମହାଲିଙ୍ଗ ଦଳରେ ଯୋଗଦେବା ଦିନଠାରୁ ନିଜର କିଛି ସମର୍ଥକଙ୍କ ଧରି ନିର୍ବାଚନମଣ୍ଡଳୀର ବିଭିନ୍ନ ଅଂଚଳରେ ଜନସମ୍ପର୍କ ରଖି ଆସୁଥିବା ଦେଖିବାକୁ ମିଳିଛି। ଏପଟେ ଟିକଟ ଆଶାରେ ବହୁ ଦିନ ଧରି ବିଜେପିରେ ରହି ସଙ୍ଗଠନ ଚଳାଇ ଆସୁଥିବା ଅନେକ ଆଶାୟୀ ବର୍ତ୍ତମାନ ମିଳିତ ଗୋପନ ବୈଠକ କରି ଦଳ ଶେଷ ମୁହୂର୍ତ୍ତରେ ଡ. ମହାଲିଙ୍କ ପ୍ରାର୍ଥିତ୍ବର ସମ୍ଭାବନାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି। ୭ ଟିକଟ ଆଶାୟୀ ଗତ ମାର୍ଚ୍ଚ ୧ ତାରିଖରେ ବଲାଙ୍ଗୀର ନିକଟସ୍ଥ ମଠଖାଇ ବୁଢା ଓ ମା ବୈଷ୍ଣୋଦେବୀଙ୍କ ପୀଠରେ ନିଜ ନିଜର ସମର୍ଥକଙ୍କୁ ନେଇ ଏକ ବୈଠକ କରିଥିଲେ। ଡ. ମହାଲିଙ୍ଗଙ୍କ ବିଜେପିରେ ଯୋଗଦାନ ପରଠାରୁ ସେମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଉଥିବା ଆଶାୟୀ ପ୍ରାର୍ଥୀ ଗଜେନ୍ଦ୍ର ଦଣ୍ଡସେନା, ବଳରାମ ସା, ଆନନ୍ଦ ଚନ୍ଦ୍ର ନାଏକ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ପରମାନନ୍ଦ ସେଠ, ଓକିଲ କଂନେର, ଅଶ୍ୱିନୀ କୁମାର ତାଣ୍ଡି ପ୍ରମୁଖ ଅଭିଯୋଗ କରିଛନ୍ତି। କୌଣସି ନବାଗତଙ୍କୁ ଦଳ ପକ୍ଷରୁ ଟିକଟ ଦିଆଗଲେ ସେମାନେ ବିଦ୍ରୋହୀ ପ୍ରାର୍ଥୀ ଭାବେ ସେମାନଙ୍କ ମଧ୍ୟରୁ ଜଣକୁ ପୂର୍ଣ୍ଣ ସମର୍ଥନ ଦେବେ ଏବଂ ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ କରିବେ ବୋଲି ଜନ ସମ୍ପର୍କ ଅଭିଯାନରେ ଖୋଲାଖୋଲି ଘୋଷଣା କରିଛନ୍ତି। ଏହା ଦଳୀୟ ଉଚ୍ଚ ପଦାଧିକାରୀଙ୍କ ମୁଣ୍ଡବ୍ୟଥା ବଢାଇ ଦେଇଛି। ଏପରିକି ସେମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖାଯିବା ପ୍ରତିବାଦରେ ଗତ ମହାଶିବରାତ୍ରି ଦିନ ସଂପୃକ୍ତ ଆଶାୟୀମ‌େନେ ୭ଟି ଶିବ ମନ୍ଦିରରେ ସଂକଳ୍ପ ଦୀପ ପ୍ରଜ୍ୱଳନ କରିଥିଲେ। ଆଶାୟୀଙ୍କ ଏଭଳି ନିଷ୍ପତ୍ତି ନିର୍ବାଚନରେ ବିଜେପିର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ଏ ବାବଦରେ ବିଜେପି ଜିଲ୍ଲା ସଭାପତି ଭକ୍ତବନ୍ଧୁ ନାଏକଙ୍କୁ ପଚାରିବାରୁ ଟିକଟ୍‌ ଆଶାୟୀ ହେବାରେ କାହାରିକୁ ମନା ନାହିଁ, କେବଳ ଜଣକୁ ହିଁ ଦଳୀୟ ଟିକଟ ଦିଆଯାଇ ପାରିବ। କିଛି ଟିକଟ ଆଶାୟୀ ପ୍ରାର୍ଥୀଙ୍କ ଏତାଦୃଶ କାରବାର ବାବଦରେ ମୁଁ ମଧ୍ୟ ଜାଣିବାକୁ ପାଇଛି। ତେବେ ଦଳୀୟ ଶୃଙ୍ଖଳା ଭଙ୍ଗ କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର